ଏଣିକି ୬ ସପ୍ତାହ ପରେ କୋଭିଶିଲ୍ଡ ଦ୍ୱିତୀୟ ଡୋଜ୍‌

ଭୁବନେଶ୍ୱର, ୧୨।୫(ବ୍ୟୁରୋ):କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍‌ ପାଇଁ କୋୱିନ ପୋର୍ଟାଲକୁ ବୁଧବାରଠାରୁ ସଂଶୋଧନ କରିଛି। ପୂର୍ବରୁ କୋଭିଶିଲ୍ଡର ପ୍ରଥମ ଡୋଜ୍‌ ନେବାର ୨୮ ଦିନ ଅର୍ଥାତ୍‌ ୪ ସପ୍ତାହ ପରେ ଦ୍ୱିତୀୟ ଡୋଜ୍‌ ଟିକା ନେବା ପାଇଁ ନିୟମ ରହିଥିଲା। ଏଥିରେ ଏବେ ପରିବର୍ତ୍ତନ କରାଯାଇଛି। ଏଣିକି ପ୍ରଥମ ଡୋଜ୍‌ କୋଭିଶିଲ୍ଡ ନେବାର ୪୨ଦିନ ଅର୍ଥାତ୍‌ ୬ସପ୍ତାହ ପରେ ଦ୍ୱିତୀୟ ଡୋଜ୍‌ ନିଆଯିବ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ବୁଧବାର ସମସ୍ତ ଜିଲାପାଳ, ମହାନଗର ନିଗମ କମିଶନର ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣାଇଛନ୍ତି। ତେଣୁ ଏବେଠାରୁ ଯେଉଁ ହିତାଧିକାରୀ ୪ରୁ ୬ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍‌ କୋଭିଶିଲ୍ଡ ଟିକା ପାଇଁ ଆସିବେ ସେମାନଙ୍କୁ ଟିକାକରଣ କରାଯାଇପାରିବ ନାହିଁ। କୋୱିନ ପୋର୍ଟାଲ ମଧ୍ୟ ତାଙ୍କୁ ଅନୁମତି ଦେବ ନାହିଁ। ତେଣୁ ଏ ସମ୍ପର୍କରେ ସମସ୍ତ ଅଧିକାରୀ, ସୁପରଭାଇଜର, ଭାକ୍ସିନେଟର ଓ ଯାଞ୍ଚକାରୀଙ୍କୁ ଜଣାଇବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପକ୍ଷରେ ଗୁରୁବାର ରାଜ୍ୟର ୩୮୩ କେନ୍ଦ୍ରରେ ଟିକାକରଣ ହେବ। ତେବେ ଜଗତ୍‌ସିଂହପୁର ଓ ସୋନପୁର ଜିଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share