Categories: ଖେଳ

ଟ୍ରାଏଲ୍‌ରୁ ୬ କୁସ୍ତିଯୋଦ୍ଧାଙ୍କୁ ରିହାତି ଅନୁଚିତ

ନୂଆଦିଲ୍ଲୀ, ୨୪ା୬ (ପି.ଟି.): ଏସିଆନ ଗେମ୍ସ ଓ ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ହେବାକୁଥିବା ସିଲେକ୍ସନ ଟ୍ରାଏଲ୍‌ରୁ ୬ ଜଣ ଆନ୍ଦୋଳନକାରୀ କୁସ୍ତିଯୋଦ୍ଧାଙ୍କୁ ଛାଡ଼ କରାଯିବା ଉଚିତ ହୋଇ ନାହିଁ ବୋଲି ଲଣ୍ଡନ ଅଲିମ୍ପିକ ବ୍ରୋଞ୍ଜ ବିଜେତା ଯୋଗେଶ୍ୱର ଦତ୍ତ କହିଛନ୍ତି। ଏଥିପାଇଁ ସେ ବର୍ତ୍ତମାନ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ)ର ସାମୟିକ ପରିଚାଳନା ଦାୟିତ୍ୱରେ ଥିବାର ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଆଡହକ୍‌ କମିଟିକୁ କଡ଼ା ସମାଲୋଚନା ମଧ୍ୟ କରିଛନ୍ତି। କମିଟି ଜୁନ୍‌ ୧୬ରେ ଭିନେଶ ଫୋଗଟ, ବଜରଙ୍ଗ ପୁନିଆ, ତାଙ୍କ ସ୍ତ୍ରୀ ସଙ୍ଗୀତା ଫୋଗଟ, ସାକ୍ଷୀ ମଲିକ, ତାଙ୍କ ସ୍ବାମୀ ସତ୍ୟବ୍ରତ କାଡିଆନ୍‌ ଏବଂ ଜିତେନ୍ଦ୍ର କିନ୍‌ହାଙ୍କ ସହ ଯୋଗାଯୋଗ କରିଥିଲେ। ଭାରତୀୟ ଦଳରେ ସ୍ଥାନ ପାଇବା ଲାଗି ସେମାନଙ୍କୁ କେବଳ ସେମାନଙ୍କ କାଟେଗୋରିରେ ଟ୍ରାଏଲ୍ସର ବିଜେତାଙ୍କ ସହ ମୁକାବିଲା କରିବାକୁ ହେବ। ଏହି ୬ଜଣ କୁସ୍ତିଯୋଦ୍ଧାମାନଙ୍କ ଅନୁରୋଧ କ୍ରମେ ଏକ ମାତ୍ର ବାଉଟ ଟ୍ରାଏଲ ଅଗଷ୍ଟରେ ହେବ ବୋଲି ମଧ୍ୟ କମିଟି ପ୍ରତିଶ୍ରୁତି ଦେଇଛି। ଯୋଗେଶ୍ୱର କହିଛନ୍ତି ଭୂପିନ୍ଦର ସିଂ ବାଜଓ୍ବାଙ୍କ ନେତୃତ୍ୱାଧୀନ କମିଟିର ଏହି ପଦକ୍ଷେପ ଦ୍ୱାରା ଦେଶର ଜୁନିୟର କୁସ୍ତିଯୋଦ୍ଧାଙ୍କ ପ୍ରତି ଅନ୍ୟାୟ କରାଯାଇଛି। ଆଡହକ୍‌ କମିଟି କେଉଁ ମାନଦଣ୍ଡକୁ ଆଧାର କରି ଏହି ୬ଜଣ କୁସ୍ତିଯୋଦ୍ଧାଙ୍କୁ ଟ୍ରାଏଲରୁ ରିହାତି ପ୍ରଦାନ କରିଛି ତାହା ବାଝାପଡ଼ୁନାହିଁ। ପ୍ରଥମାବସ୍ଥାରେ ଡବ୍ଲ୍ୟୁଏଫ୍‌ଆଇ ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଅଣାଯାଇଥିବା ଯୌନଶୋଷଣ ଅଭିଯୋଗର ତଦନ୍ତ ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଗଠନ କରାଯାଇଥିବା ୬ ଜଣିଆ ସଦସ୍ୟ ବିଶିଷ୍ଟ ନିରୀକ୍ଷଣ କମିଟିର ଅଂଶବିଶେଷ ଥିଲେ ଯୋଗେଶ୍ୱର। ସେ କହିଛନ୍ତି, ଆଡହକ୍‌ କମିଟି ଯଦି କେତେଜଣ କୁସ୍ତିଯୋଦ୍ଧାଙ୍କ ପ୍ରତି କେହାଳ ମନୋଭାବ ଦେଖାଉଛନ୍ତି ତେବେ ଆହୁରି କେତେଜଣ ମଧ୍ୟ ହକ୍‌ ଦାର ଅଛନ୍ତି।

Share