ବାଙ୍କୀ/ନିଶ୍ଚିନ୍ତକୋଇଲି, ୩୦।୯ (ସ୍ବ.ପ୍ର.): ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ଚର୍ଚ୍ଚିକାଙ୍କ ପୀଠରେ ବୁଧବାରଠାରୁ ଷୋଳପୂଜା ଆରମ୍ଭ ହୋଇଛି। ଚଳିତବର୍ଷ କୋଭିଡ ନିୟମ ଅନୁଯାୟୀ ପୀଠରେ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଛି। ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ଆଶ୍ୱିନ ମାସ କୃଷ୍ଣପକ୍ଷ ମୂଳାଷ୍ଟାମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ୧୪ ଦିନ ବ୍ୟାପୀ ଏହି ପୂଜା ଅନୁଷ୍ଠିତ ହେବ। ପ୍ରଥମ ଦିନରେ ମନ୍ଦିରର ସେବାୟତଙ୍କ ଦ୍ୱାରା ମହାନଦୀର ରେଣୁକାତୁଠରୁ ଜଳ ଅଣାଯାଇ ରାଜଗୁରୁ ଭାବନୀ ଶଙ୍କର ମହାପାତ୍ରଙ୍କ ଦ୍ୱାରା ସମ୍ପାଦନ କରାଯିବା ପରେ ସ୍ବତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ସେହିପରି ମା’ଖପରଚଣ୍ଡୀ ଓ ମା’ଭଗବତୀଙ୍କ ମନ୍ଦିରରେ ଷୋଳ ପୂଜା ଅନୁଷ୍ଠିତ ହୋଇଯାଇଛି।
ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ନିଶ୍ଚିନ୍ତକୋଇଲି ବ୍ଲକ କରିଲୋ ପଞ୍ଚାୟତ ଛପଚିକଣା ଗ୍ରାମରେ ମା’ହରଚଣ୍ଡୀଙ୍କ ପୀଠରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି। ଏହି ଅବସରରେ ମା’ଙ୍କ ସ୍ବତନ୍ତ୍ର ରୀତିନୀତି କରାଯାଇ ଧୂପ, ଦୀପ ଓ ନୈବେଦ୍ୟ ଲଗାଯାଇଥିଲା। ସେହିଭଳି କାକୁଡିଆପଡାର ସିଦ୍ଧଦେବୀ, ନେମାଳର ଭଗବତୀ ଓ ନିଶ୍ଚିନ୍ତକୋଇଲିର ବେଲେଶ୍ୱରୀଙ୍କ
ପୀଠରେ ଏହି ପୂଜା ଆରମ୍ଭ ହୋଇଛି।