Categories: ଜାତୀୟ

୧୬ ଆଞ୍ଚଳିକ ଦଳକୁ ମିଳିଛି ୨୪.୭୭୯ କୋଟି ଚାନ୍ଦା

ନୂଆଦିଲ୍ଲୀ, ୩୦।୧୦(ପି.ଟି.): ୨୦୧୯-୨୦ ଆର୍ଥତ୍କ ବର୍ଷରେ ଦେଶର ୧୬ଟି ଆଞ୍ଚଳିକ ରାଜନୈତିକ ଦଳଙ୍କୁ ୧,୦୨୬ ଦାନ ସୂତ୍ରରୁ ବିନା ପ୍ୟାନ୍‌ ବିବରଣୀରେ ମୋଟ ୨୪.୭୭୯ କୋଟି ଟଙ୍କା ଚାନ୍ଦା ମିଳିଛି। ଉକ୍ତ ଦଳଗୁଡ଼ିକ ପକ୍ଷରୁ ଭାରତର ନିର୍ବାଚନ ଆୟୋଗ (ଇସି)ଙ୍କ ନିକଟରେ ଦାଖଲ ବିବରଣୀରେ ଏହା ଦର୍ଶାଯାଇଛି। ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ପ୍ରସ୍ତୁତ କରିଥିବା ରିପୋର୍ଟ ଅନୁଯାୟୀ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌), ଲୋକ ଜନଶକ୍ତି ପାର୍ଟି, ସମାଜବାଦୀ ପାର୍ଟି ଏବଂ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)କୁ ପୂର୍ବ ବର୍ଷ ତୁଳନାରେ ଅଧିକ ଚାନ୍ଦା ମିଳିଛି। ସର୍ବାଧିକ ଚାନ୍ଦା ପାଇଥିବା ୫ ଅଞ୍ଚଳିକ ଦଳ ମଧ୍ୟରେ ଅଛନ୍ତି ଶିବସେନା, ଏଆଇଏଡିଏମ୍‌କେ, ଏଏପି, ବିଜେଡି ଏବଂ ଓ୍ବାଇଏସ୍‌ଆର୍‌ କଂଗ୍ରେସ। ତେବେ ପୂର୍ବ ବର୍ଷ ତୁଳନାରେ ବିଜେଡି, ଏସ୍‌ଏଚ୍‌ଏସ୍‌ ଏବଂ ଓ୍ବାଇଏସ୍‌ଆର୍‌ କଂଗ୍ରେସର ଆୟ କମିଥିବା ଘୋଷଣା କରିଛନ୍ତି। ନଗଦ ଆକାରରେ ଇଣ୍ଡିଆନ ମୁସ୍‌ଲିମ୍‌ ଲିଗ୍‌ ସର୍ବାଧିକ ୪.୬୩ କୋଟି ଟଙ୍କା ପାଇଥିବାବେଳେ ତାମିଲନାଡୁର ପଟ୍ଟଲି ମକ୍କଲ କାଟ୍‌ଚି ୫୨.୨୦ ଲକ୍ଷ, ଏଲ୍‌ଜେପି ୬ ଲକ୍ଷ, ନାଗାଲାଣ୍ଡ ଓ ମଣିପୁରର ନାଗା ପିପୁଲ୍ସ ଫ୍ରଣ୍ଟ ୩.୯୨ ଲକ୍ଷ ଏବଂ ଡିଏମ୍‌କେ ୨୯,୦୦୦ ଟଙ୍କା ପାଇଛି। ବିଭିନ୍ନ ଦଳର ମୋଟ ଆୟକୁ ଦେଖିଲେ ଶିବସେନା ୪୩୬ ଡୋନେଶନରୁ ୬୨.୮୫୯ କୋଟି ଟଙ୍କା ପାଇ ପ୍ରଥମ ସ୍ଥାନରେ ଥିବାବେଳେ ଏଆଇଏଡିଏମ୍‌କେ ୫୨.୧୭ କୋଟି, ଏଏପି ୩୭.୩୭ କୋଟି ପାଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ବିଜେଡିକୁ ୨୮.୨୦ କୋଟି ଟଙ୍କା ମିଳିଥିବାବେଳେ ଓ୍ବାଇଏସ୍‌ଆର୍‌-ସିକୁ ୮.୯୨୪ କୋଟି ଟଙ୍କା ମିଳିଥିବା ଦଳ ପକ୍ଷରୁ ଘୋଷଣା କରାଯାଇଛି।

Share