Categories: ଜାତୀୟ

ସଂସଦର ସୁରକ୍ଷା ତ୍ରୁଟି ଘଟଣା:ମାଷ୍ଟରମାଇଣ୍ଡଙ୍କୁ ଚିହ୍ନଟ କଲା ପୋଲିସ

ନୂଆଦିଲ୍ଲୀ,୧୪।୧୨: ସଂସଦର ସୁରକ୍ଷା ତ୍ରୁଟି ଘଟଣାରେ ସାମିଲ୍‌ ଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଷଷ୍ଠ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। କିନ୍ତୁ ଅଭିଯୁକ୍ତଜଣକ ଏପର୍ଯ୍ୟନ୍ତ ଫେରାର୍‌ ଅଛନ୍ତି। ପୋଲିସକୁ ତାଙ୍କର ପରିଚୟ ଜଣାପଡିଛି। ସେ ହେଲେ ଲଳିତ ଝା। ତାଙ୍କୁ ଏହି ଘଟଣାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ସେ ଜଣେ ସାମଜିକ କାର୍ଯ୍ୟକର୍ତ୍ତା ଅଟନ୍ତି। ପଶ୍ଚିମବଙ୍ଗ ସ୍ଥିତ ଏକ ଏନଜିଓ ସହ ସେ ଜଡିତ ଅଛନ୍ତି।

ସେ ବୁଧବାର ଦ୍ୱିପ୍ରହର ୧ରୁ ୨ଟା ମଧ୍ୟରେ ହ୍ବାଟସଆପରେ ନିଜ ସହଯୋଗୀଙ୍କୁ ଏହି ଘଟଣାର ଭିଡିଓ ପଠାଇଥିଲେ। ଘଟଣାର ତୁରନ୍ତ ବାଦ ଅଭିଯୁକ୍ତ ଲଳିତ ତାଙ୍କ ସହଯୋଗୀ ନୀଳାକ୍ଷ ଆଇଚଙ୍କୁ ହ୍ବାଟସଆପ ଦ୍ୱାରା ସମ୍ପର୍କ କରିଥିଲେ। ନୀଳାକ୍ଷ ପଶ୍ଚିମବଙ୍ଗ ସ୍ଥିତ ଏକ ଏନଜିଓର ପ୍ରତିଷ୍ଠାତା ଓ ଜଣେ ଛାତ୍ର ମଧ୍ୟ ଅଟନ୍ତି।
ଏକ ଜାତୀୟ ଗଣମାଧ୍ୟମକୁ ନୀଳାକ୍ଷ କହିଛନ୍ତି, ଲଲିତ ତାଙ୍କୁ ଫୋନ କରି ନାହାନ୍ତି। କେବଳ ହ୍ବାଟସଆପ ଦ୍ୱାରା ସଂସଦ ବାହାରେ ଚାଲିଥିବା ବିରୋଧ ପ୍ରଦର୍ଶନର ଭିଡିଓ ପଠାଇଛନ୍ତି। ଗ୍ରାମୀଣ ପଶ୍ଚିମବଙ୍ଗର ବିଶେଷ ରୂପେ ପୁରୋଲିଆ ଓ ଝାଡଗ୍ରାମ ଜିଲାରେ ଲଳିତ ସକ୍ରିୟ ନେଟଓ୍ବର୍କ ଖୋଲିଥିବା ନୀଳାକ୍ଷ କହିଛନ୍ତି। ଦୁହେଁ ପରସ୍ପରଙ୍କୁ କୋଲକତାର ଏକ କାର୍ଯ୍ୟକ୍ରମରେ ସାକ୍ଷାତ କରିଥିଲେ। ପଛୁଆ ବର୍ଗଙ୍କ ପାଇଁ ସାମାଜିକ କାର୍ଯ୍ୟ କରିବା ତାଙ୍କର ପସନ୍ଦ ବୋଲି ଲଳିତ, ନୀଳାକ୍ଷୀଙ୍କୁ କହିଥିଲେ।

ନୀଳାକ୍ଷ ଆହୁରି କହିଛନ୍ତି, ଲଳିତ ତାଙ୍କ ସଂସ୍ଥାର ଜଣେ କାର୍ଯ୍ୟକର୍ତ୍ତା ଅଟନ୍ତି। ସେ ନିଜ ବିଷୟରେ ବିଶେଷ କିଛି କୁହନ୍ତି ନାହିଁ। ସଂସଦ ଆକ୍ରମଣ ସମ୍ପର୍କରେ ସେ ସିଧାସଳଖ କୌଣସି କଥା କହି ନାହାନ୍ତି। ଡିସେମ୍ବରରେ ସେମାନଙ୍କର ଏକ ବୈଠକ ହେବାର ନିଷ୍ପତ୍ତି ନିଆଯାଇଥିଲା। ଯାହାକୁ ଡିସେମ୍ବର ୧୨ପୂର୍ବରୁ ସାରିବାକୁ ଲଳିତ ଚାହୁଁଥିଲେ। ନୀଳାକ୍ଷଙ୍କ ସଂଗଠନ ପାଖରେ ଲଳିତଙ୍କ କୌଣସି ଠିକଣା ବିଷୟରେ ବିବରଣୀ ନ ଥିଲା। ସେଥିପାଇଁ ସେ ସଂଗଠନର ସଦସ୍ୟତା କାର୍ଡ ନେଇଥିଲେ। ସେ ସବୁବେଳେ ନିଜ ପରିଚୟ ଲୁଚାଇ ରଖୁଥିଲେ। ଲଳିତଙ୍କ ପାଖରେ ଦୁଇଟି ମୋବାଇଲ ନମ୍ବର ଥିଲା। ଯାହାକୁ ସେ ସବୁବେଳେ ସ୍ବିଚ କରୁଥିଲେ। ଅର୍ଥାତ୍‌ ସେ ଗୋଟିଏ ନମ୍ବର ବ୍ୟବହାର କଲେ ଅନ୍ୟଟି ସ୍ବିଚ ଅଫ୍‌ ହୋଇଯାଉଥିଲା। ଲଳିତ ନିଜ ଏନଜିଓକୁ ଭବିଷ୍ୟତରେ କୌଣସି ରାଜନୈତିକ ଦଳ ସହ ରେଜିଷ୍ଟାର କରିବାକୁ ଯୋଜନା କରୁଥିବା ନୀଳାକ୍ଷ କହିଛନ୍ତି।

 

Share