Categories: ଜାତୀୟ

ଷଷ୍ଠ ପର୍ଯ୍ୟାୟ ବୈଠକ ବାତିଲ

ନୂଆଦିଲ୍ଲୀ,୯ା୧୨:କେନ୍ଦ୍ରର କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ କୃଷକ ନେତାଙ୍କୁ ମଙ୍ଗଳବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଆଲୋଚନା ପାଇଁ ଡାକିଥିଲେ। ଷଷ୍ଠ ପର୍ଯ୍ୟାୟ ବୈଠକ ପୂର୍ବରୁ ଶାହାଙ୍କ ନିମନ୍ତ୍ରଣକୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉ ଥିବାବେଳେ ଏଥିରୁ କୌଣସି ନିଷ୍କର୍ଷ ବାହାରି ପାରିନାହିଁ। ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ବିବାଦୀୟ ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ପାଇଁ ଦାବି କରାଯାଇଥିଲା। ଦାବି ସହ କୌଣସି ସାଲିସ କରାଯିବ ନାହିଁ। ସରକାର ଉକ୍ତ ଆଇନକୁ ହଟାଇବେ କି ନାହିଁ, ଶାହାଙ୍କଠାରୁ ହଁ ନାରେ ଚାଷୀ ନେତା ଉତ୍ତର ମାଗିଥିଲେ।
କୃଷି ଆଇନ ହଟାଇବା ଦାବିରେ ଚାଷୀ ଆନ୍ଦୋଳନ ମଙ୍ଗଳବାର ତ୍ରୟୋଦଶ ଦିନରେ ପହଞ୍ଚତ୍ଥିବାବେଳେ ସରକାର ଅଚଳାବସ୍ଥା ଦୂର ପାଇଁ ମଧ୍ୟମପନ୍ଥା ବାହାର କରିବାକୁ ଉଦ୍ୟମ କରିଥିଲେ। ସ୍ବରାଷ୍ଟ୍ରମନ୍ତ୍ରୀ ଶାହା ୧୩ କୃଷକ ପ୍ରତିନିଧିଙ୍କୁ ଫୋନ୍‌ କରି ବୈଠକକୁ ଡାକିଥିଲେ। ସେମାନଙ୍କ ମଧ୍ୟରୁ ୮ ଜଣ ପଞ୍ଜାବର ଓ ଅନ୍ୟ ୫ ଜଣ ଦେଶର ବିଭିନ୍ନ ଭାଗର। ଉକ୍ତ ବୈଠକରେ ଅଲ୍‌ ଇଣ୍ଡିଆ କିଷାନ ସଭାର ହନ୍ନନ ମୋଲ୍ଲାହ ଓ ଭାରତୀୟ କିଷାନ ୟୁନିୟନର ରାକେଶ ଟିକାଏତ୍‌ ସାମିଲ ଥିଲେ। ପ୍ରଥମେ ଶାହାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ରାତି ୭ଟାରେ ବୈଠକ ପାଇଁ ଆୟୋଜନ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପୁସା ଏରିଆରେ ୮ଟାରେ ବୈଠକ ବସିଥିଲା। ଏହି ଆଇନର କେତେକ ଧାରାରେ ସଂଶୋଧନ ପାଇଁ ସରକାର ରାଜି ଥିବା ଶାହା କହିଥିଲେ, ଯାହାକୁ ପ୍ରତିନିଧି ଦଳ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଚାଷୀ ନେତା ହନ୍ନନ କହିଛନ୍ତି ଯେ, ସରକାର ଏହି ଆଇନ ପ୍ରତ୍ୟାହାର ପାଇଁ ପ୍ରସ୍ତୁତ ନୁହନ୍ତି। ସଂଶୋଧନ ନେଇ ଲିଖିତ ଭାବେ ପ୍ରସ୍ତାବ ଦେବେ। ସିଙ୍ଘୁ ସୀମାରେ ଆନ୍ଦୋଳନ କରୁଥିବା କୃଷକମାନଙ୍କ ସହ ବୁଧବାର ମଧ୍ୟାହ୍ନ ୧୨ଟାରେ ଆଭ୍ୟନ୍ତରୀଣ ବୈଠକରେ ଆଲୋଚନା ପରେ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରାଯିବ। ତେଣୁ ବୁଧବାର କେନ୍ଦ୍ର ସହିତ ଷଷ୍ଠ ପର୍ଯ୍ୟାୟ ଆଲୋଚନା ହେବ ନାହିଁ ବୋଲି ସେ କହିଛନ୍ତି।

Share