୬୦ ପ୍ରତିଶତ ଛୋଟ ପିଲା କରୋନା ଆକ୍ରାନ୍ତ, ଆଇସିଏମ୍‌ଆର୍‌ ସେରୋ ସର୍ଭେ ରିପୋର୍ଟ…

ନୂଆଦିଲ୍ଲୀ,୧୨।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣରେ ବ୍ରେକ୍‌ ଲାଗିଛି। ବିଶେଷଜ୍ଞ ଅକ୍ଟୋବରରେ କରୋନାର ତୃତୀୟ ଲହର ଆସିବାର ଆଶଙ୍କାର ପୂର୍ବାନୁମାନ କରିଥିଲେ। ତେବେ ଏବେ ଏହାର ଆଶଙ୍କା ଧୀରେଧୀରେ କମିବାରେ ଲାଗିଛି। ଏପରିସ୍ଥଳେ ଭାରତୀୟ ମେଡ଼ିକାଲ ରିସର୍ଚ୍ଚ ପରିଷଦ(ଆଇସିଏମ୍‌ଆର୍‌) ପକ୍ଷରୁ ପ୍ରକାଶିିିତ ସେରୋ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ଯେ, ଦେଶର ୬୦ ପ୍ରତିଶତ ଛୋଟ ପିଲା କରୋନା ମହାମାରୀରେ ଆକ୍ରାନ୍ତ ହୋଇଥିଲେ। ତେବେ ସେମାନଙ୍କର ମୃତ୍ୟୁ ହାର କମି ଥିଲା।

କେରଳରେ ୧୮ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ମଧ୍ୟରେ ସେରୋ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ଯେ, ରାଜ୍ୟର ୮୦ ପ୍ରତିଶତ ଛୋଟ ପିଲାଙ୍କ ଶରୀରରେ କରୋନା ଆଣ୍ଟିବଡ଼ି ରହିଛି।

ବିଶେଷଜ୍ଞଙ୍କ ଅନୁସାରେ ଛୋଟପିଲାଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତି ଅଧିକ ଥିବାରୁ କରୋନା ଭୂତାଣୁ ଦ୍ୱାରା ସେମାନଙ୍କର ଅଧିକ କ୍ଷତି କରି ପାରି ନାହିଁ। ଫଳରେ ଛୋଟ ପିଲା କରୋନାରେ ଆକ୍ରାନ୍ତ ହେଲେ ମଧ୍ୟ ମୃତ୍ୟୁ ହାର ଲକ୍ଷେରେ ୨ ଜଣ ରହିଥିଲା। ଆଗାମୀ ଦିନରେ ଛୋଟ ପିଲାଙ୍କ ପାଇଁ ଟିକା ଆସିବା ପରେ ପିଲାଙ୍କ ସଂକ୍ରମଣ ସଂଖ୍ୟା କମିଯିବ ବୋଲି ବିଶେଷଜ୍ଞ କହିଛନ୍ତି।

ଚଳିତ ବର୍ଷ ଏପ୍ରିଲ୍‌-ମେରେ ସର୍ବାଧିକ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହିଥିଲା। ଫଳରେ ଅକ୍ସିଜେନ୍‌ର ଅଭାବ ଯୋଗୁ ସଙ୍କଟ ସୃଷ୍ଟି ହୋଇଥିଲା। ସେହିପରି ଚଳିତ ପାର୍ବଣ ଅବସରରେ ସଚେତନ ରହିବାକୁ ରିପୋର୍ଟରେ ପରାମର୍ଶ ଦିଆଯାଇଛି। ଭିଡ଼ରୁ ଦୂରେଇ ରହିବା ସହିତ କରୋନା ମାର୍ଗଦର୍ଶିକା ପାଳନ ଅପରିହାର୍ଯ୍ୟ ବୋଲି ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି।

Share