ଶ୍ମଶାନରୁ ମିଳିଲା କଙ୍କାଳ: ସ୍ବାମୀ ନିଖୋଜ ଥିବା ଅଭିଯୋଗ ଆଣିଥିଲେ ସ୍ତ୍ରୀ

ହିଞ୍ଜିଳିକାଟୁ,୨୪।୯(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ମହୁଲପଲ୍ଲୀ ଗାଁ ଶ୍ମଶାନରୁ ପୋଲିସ ଜଣେ ବ୍ୟକ୍ତିଙ୍କ ନରକଙ୍କାଳ ଜବତ କରିଛି। ଏପରିକି ପୋଲିସ ଘଟଣା ସ୍ଥଳରୁ ଗୋଟିଏ ସ୍କୁଟି, ମୋବାଇଲ ଫୋନ ସହ ଗଛରେ ବନ୍ଧା ହୋଇଥିବା ଏକ ଗାମୁଛା ଜବତ କରି ଘଟଣାର ଅଧିକ ତଦନ୍ତ ଚଳାଇଛି। ଅନ୍ୟପକ୍ଷେ ବ୍ୟକ୍ତିଙ୍କ କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଛି ସେନେଇ ପୋଲିସ ତଦନ୍ତ କରୁଛି।

ପୋଲିସ ସାଇଣ୍ଟିଫିକ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଆଖପାଖ ଅଞ୍ଚଳରୁ ଅନ୍ୟ କିଛି ସାମଗ୍ରୀ ମଧ୍ୟ ଜବତ କରିଥିବା ଜଣାପଡିଛି। ଏପରିକି ପୋଲିସ କଙ୍କାଳକୁ ପରୀକ୍ଷା ପାଇଁ ପଠାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପ୍ରକାଶ କରିଛି।

ମିଳିଥିବା ସୂଚନା ମୁତାବକ, କଙ୍କାଳ ନିକଟରୁ ଏକ ସ୍କୁଟି(ଓଡି୦୭ଏଏଲ୍‌-୯୯୯୫), ମୋବାଇଲ ଫୋନ୍‌ ଏବଂ ପୋଷାକ ଆଦି ଗୋଳନ୍ଥରା ଥାନା ପଦ୍ମପୁର ଗ୍ରାମର ପ୍ରତାପ ଦାସ(୩୫)ଙ୍କ ବୋଲି ଜଣାପଡିଛି। ଏପରିକି ଗୋଳନ୍ଥରା ଥାନାରେ ରୁନୁ ଦାସ ନାମକ ଜଣେ ମହିଳା ତାଙ୍କ ସ୍ବାମୀ ପ୍ରତାପ ଦାସ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି।

ଶନିବାର ରାତିରେ ପରିବାର ଲୋକେ ଖୋଜାଖୋଜି କରୁଥିବା ବେଳେ ହିଞ୍ଜିଳି ଥାନା ମହୁଲପଲ୍ଲୀ ଗାଁ ଶ୍ମଶାନ ନିକଟରେ ପ୍ରତାପଙ୍କ ସ୍କୁଟି ଦେଖିବାକୁ ପାଇଥିଲେ। ପରେ ସେମାନେ ଘଟଣା ନେଇ ହିଞ୍ଜିଳି ପୋଲିସକୁ ଖବର ଦେଇଥିଲେ। ହିଞ୍ଜିଳି ପୋଲିସ ପହଞ୍ଚି କଙ୍କାଳ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା। ପ୍ରତାପଙ୍କ ଭାଇ କାର୍ତ୍ତିକ ଦାସଙ୍କ ଅଭିଯୋଗ ପରେ ରବିବାର ହିଞ୍ଜିଳି ଥାନାରେ ଏକ ମାମଲା (ନଂ.୨୪/୨୩) ରୁଜୁ ହୋଇଛି।

Share