ଆଲିଙ୍ଗନ ମୁଦ୍ରାରେ କଙ୍କାଳ, ବିତିଲାଣି ୧୫୦୦ ବର୍ଷ…

ବେଜିଂ,୨୫।୮: ଉତ୍ତର ଚାଇନାରେ ଏକ କବରରେ ଆଲିଙ୍ଗନ ମୁଦ୍ରାରେ ଦୁଇ କଙ୍କାଳ ରହିଛି। କଙ୍କାଳଗୁଡ଼ିକ ପ୍ରାୟ ୧୫୦୦ ବର୍ଷ ପୁରୁଣା ବୋଲି ପ୍ରତ୍ନତତ୍ତ୍ୱବିତ୍‌ମାନେ କହିଛନ୍ତି। ଏହି କଙ୍କାଳ ପ୍ରେମୀ ଯୋଡ଼ାଙ୍କର। ସେଥିମଧ୍ୟରୁ ମହିଳା କଙ୍କାଳର ବାମ ହାତ ଆଙ୍ଗୁଠିରେ ମୁଦି ରହିଛି। ସ୍ବାମୀଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ମହିଳା ଜଣକ ଜାଣିଶୁଣି ଜୀବନ୍ତ ଗୋଟିଏ କବରରେ ରହି ବଳିଦାନ ଦେଇଥିବା ଅନୁମାନ କରାଯାଉଛି। ଏନେଇ ଟେକ୍ସାସ୍‌ର ଏ ଆଣ୍ଡ୍‌ ଏମ୍‌ କଲେଜ ଅଫ୍‌ ଡେଣ୍ଟିଷ୍ଟ୍ରିର ବାୟୋମେଡ଼ିକାଲ ସାଇନ୍ସ୍‌ ବିଭାଗର ଆସୋସିଏଟ୍‌ ପ୍ରଫେସର ତଥା ମୁଖ୍ୟ ଗବେଷକ କ୍ୱିନ୍‌ ଓ୍ବାଙ୍ଗ୍‌ କହିଛନ୍ତି ଯେ, ଏଭଳି କଙ୍କାଳ ଚାଇନାରେ ପ୍ରଥମ ଥର ପାଇଁ ମିଳିଛି। ୨୦୨୦ ଜୁନ୍‌ରେ ଶାଙ୍କସି ପ୍ରଦେଶ ଜିଆନବେଇରୁ ପତ୍ନତତ୍ତ୍ୱ ଖନନ ବେଳେ ଏହି କଙ୍କାଳ ମିଳିଥିଲା। ପୁରୁଷ କଙ୍କାଳରୁ ଅନୁମାନ କରାଯାଉଛି ଯେ ମୃତ୍ୟୁ ବେଳକୁ ସମ୍ପୃକ୍ତ ବ୍ୟକ୍ତିଙ୍କ ବୟସ ୨୯ରୁ ୩୫ ବର୍ଷ ହୋଇଥିବ। ସେହିପରି ମହିଳାଙ୍କ ବୟସ ୩୫ରୁ ୪୦ ବର୍ଷ ହୋଇଥିବ ବୋଲି ଅନୁମାନ କରାଯାଉଛି। ପୁରୁଷ କଙ୍କାଳ ଉଚ୍ଚତା ୫ ଫୁଟ ୪ ଇଞ୍ଚ ହୋଇଥିବାବେଳେ ମହିଳା କଙ୍କାଳର ଉଚ୍ଚତା ୫ଫୁଟ ୨ ଇଞ୍ଚ ରହିଛି।

Share