କୁଶଳୀ ଶିଳ୍ପୀ ନିହଣ ସଙ୍ଗେ ଅସ୍ତ୍ର ବି ଧରୁଥିଲେ

ପୂର୍ବ ଆଲୋଚନାରେ (ଧରିତ୍ରୀ, ୨୬ା୪ା୨୧) ‘ମଗୋ ଜାତୀୟ ବ୍ରାହ୍ମଣ’ଙ୍କ ପ୍ରସଙ୍ଗ ଆମେ ଆଲୋଚନା କରିଥିଲେ। ପ୍ରାଚୀନ ଭାରତର ଇତିହାସ ପୁସ୍ତକରେ ବା ଭଗବତ୍‌ ଶରଣ ଉପାଧ୍ୟାୟ ଏ ସମ୍ପର୍କିତ ମତ ଦେବାପରେ ଡ. ରାମ୍‌ଜୀ ଉପାଧ୍ୟାୟ ଏହି ମତକୁ ଆଗେଇ ନେଇଥିଲେ। ମଗୋମାନେ ତୃତୀୟ ଶତାବ୍ଦୀରେ ଭାରତକୁ ଆସି ସୂର୍ଯ୍ୟଙ୍କ ଉପାସନା କରିଥିଲେ ବୋଲି ଲେଖିବା ପରେ କେତେକ ଐତିହାସିକ କୁଶାଣ ଯୁଗରେ ସୂର୍ଯ୍ୟ ଉପାସନା ଇରାନରୁ ଭାରତକୁ ଆସିଥିଲା ବୋଲି ମତ ଦେଇଥିଲେ।
ବାସ୍ତବରେ କୁଶାଣ ଯୁଗ ପୂର୍ବରୁ ଭାରତରେ ସୂର୍ଯ୍ୟ ଉପାସନା ପ୍ରଚଳିତ ଥିଲା। ବେଦ ହିଁ ଏହାର ପ୍ରମାଣ। ତୃତୀୟ ଶତକ ପୂର୍ବରୁ ରାମାୟଣ, ମହାଭାରତ, କେତେକ ପୁରାଣ ଓ ତନ୍ତ୍ରଗ୍ରନ୍ଥ ଲେଖା ସରିଥିଲା। ମହାଭାରତରେ ସେତେବେଳକୁ ସୂର୍ଯ୍ୟ ହୋଇ ସାରିଥିଲେ ‘ବ୍ରହ୍ମଶାଶ୍ୱତ’। ପୁରାଣ ଶାସ୍ତ୍ରରେ ସୂର୍ଯ୍ୟଙ୍କର କ୍ରାନ୍ତିବୃତ୍ତିକୁ ସୂର୍ଯ୍ୟରଥ ବୋଲି ପ୍ରମାଣ କରାଯାଇ ସାରିଲାଣି। ଜ୍ୟୋତିଷ ତତ୍ତ୍ୱର ରହସ୍ୟ ପୁରାଣ ଶାସ୍ତ୍ରରେ ସ୍ଥାନ ପାଇ ସାରିଥିଲା। ସୂର୍ଯ୍ୟଙ୍କ ରଥ ବେଦମୟ, ମୁହୂର୍ତ୍ତକେ ୩୪ ଲକ୍ଷ ୮୦୦ ଯୋଜନ ଏହି ରଥ ଗତିକରେ। ଗୋଟିଏ ଚକ ହେଉଛି ସମ୍ବତ୍ସର। ୧୨ ମାସର ପ୍ରତୀକ ୧୨ଟି ଅର। ୬ ଋତୁ ପରି ୬ଟି ପଇ। ଅରୁଣ ହେଉଛନ୍ତି ସାରଥି। ଦତ୍ତାତ୍ରେୟ ତନ୍ତ୍ରରେ ସୂର୍ଯ୍ୟଙ୍କର ରଥର ରହସ୍ୟ ସବିଶେଷ ବର୍ଣ୍ଣନା ହୋଇ ସାରିଥିଲା।
ସ୍ଥାପତ୍ୟ କଳାର ଏତେସବୁ ରହସ୍ୟ ଓଡ଼ିଆ ଶିଳ୍ପୀ ଜାଣିଥିଲେ। ବଂଶ ପରମ୍ପରା କ୍ରମରେ ପ୍ରାଚୀନ ଓଡ଼ିଶାର ଶିକ୍ଷା, ସଭ୍ୟତା, ସଂସ୍କୃତି, ଇତିହାସ, ଉପାଖ୍ୟାନ, କିମ୍ବଦନ୍ତୀ, ଜନଶ୍ରୁତି, ସଙ୍ଗୀତ, ନୃତ୍ୟ, ରାଜମହିମା ତଥା ଜନଜୀବନର ସମସ୍ତ ଦିଗକୁ ପ୍ରସ୍ତରଗାତ୍ରରେ ଅତି ସୂକ୍ଷ୍ମ ଭାବରେ ଚିତ୍ରଣ କରିବାର କୌଶଳ ଶିକ୍ଷା କରିଥିଲେ।
ଏମାନେ ଯେ କେବଳ ଶିଳ୍ପକଳାରେ ବାନ୍ଧି ହୋଇ ରହିଥିଲେ ତାହା ନୁହେଁ, ପରମାନନ୍ଦ ଆଚାର୍ଯ୍ୟ ମତ ଦେଇଛନ୍ତି (ଲାଙ୍ଗୁଳା) ନରସିଂହ ଦେବଙ୍କ ରାଜତ୍ୱ କାଳରେ ଦେଶର କାରିଗର ଓ ଶିଳ୍ପୀମାନେ ସୈନ୍ୟ ବିଭାଗରେ କାର୍ଯ୍ୟ କରି ଦେଶକୁ ବୈଦେଶିକ ଆକ୍ରମଣରୁ ରକ୍ଷା କରୁଥିଲେ। ଆଚାର୍ଯ୍ୟଙ୍କର ଏହି ମତ ପ୍ରାମାଣିକ ମନେହୁଏ। ‘ବାୟାଚକଡ଼ା’ ପୋଥିରେ ଏହାର ସୂଚନା ରହିଅଛି।
କୋଣାର୍କଠାରେ ମନ୍ଦିର ନିର୍ମାଣ ପାଇଁ ନରସିଂହ ଦେବଙ୍କ ଆଦେଶକ୍ରମେ ଦାମ ବଡ଼ଜେନା କୁଶଳୀ କାରିଗରିଙ୍କୁ ଓଡ଼ିଶାରୁ ବାଛିଥିଲେ। ସେ ୧୪ଟି ସ୍ଥାନରୁ ବଳିଷ୍ଠ ତଥା ଭେଣ୍ଡିଆ ମହାରଣାଙ୍କୁ ଚୟନ କରିଥିଲେ।
ଖିଲେଶ୍ୱରୀ ଦଣ୍ଡପାଟରୁ – ୩୦ ଜଣ
ବ୍ରହ୍ମେଶ୍ୱର ଡିହରୁ – ୧୨୦ ଜଣ
ପାଇକପଡ଼ାରୁ – ୨୫୦ ଜଣ
ବରୁଣାଇବିଶେରୁ – ୪୦୦ ଜଣ
ପରଙ୍ଗରୁ – ୧୨୦ ଜଣ
କୋଠଦେଶରୁ (ନିମାପଡ଼ା ଅଞ୍ଚଳ) – ୨୩୦ ଜଣ
ରୋଡ଼ଶରୁ – ୩୦୪ ଜଣ
ବିଡ଼ାନାସୀରୁ – ୧୮୦ ଜଣ
ବସିମଣ୍ଡଳ (ମହାନଦୀ ନିକଟ)ରୁ – ୧୪୦ ଜଣ
ନସିକ ପାହାଡ଼ ପାଦଦେଶରୁ – ୨୩୦ ଜଣ
ସଘାଂଦ୍ରିଗଡ଼ ମୁଣ୍ଡିଆ ଅଞ୍ଚଳରୁ – ୧୩୦ ଜଣ
ନୀଳାଦ୍ରିଗଡ଼ (ବାଣପୁର ଅଞ୍ଚଳ)ରୁ – ୧୨୦ ଜଣ
ବିଷ୍ଣୁପୁର (ଜଗତ୍‌ସିଂହପୁର)ରୁ – ୧୩୦ ଜଣ
ପାଟପୁରରୁ – ୪୦ ଜଣ
ଏହିଭଳି ମୋଟ ୨୩୨୪ ଜଣଙ୍କ ମଧ୍ୟରୁ ୫୩୦ ଜଣ ବଳିଷ୍ଠ ଭେଣ୍ଡିଆଙ୍କୁ ପୁଣି ଚିହ୍ନଟ କରାଯାଇଥିଲା। ସେମାନେ ମହାଶ୍ରମ (ଗଜପତି ନରସିଂହଦେବ)ଙ୍କ ସହିତ ବିଜୟକୋଣ୍ଡା ଗଲେ ସେନାବାହିନୀରେ ନିଯୁକ୍ତି ପାଇଁ। ୫୩୦ ଜଣ ସୈନ୍ୟବାହିନୀରେ ନିଯୁକ୍ତି ଲାଗି ଯିବା ପରେ ରହିଲେ ୧୭୯୪ ଜଣ। ବାରଶ ବଢ଼େଇ ପ୍ରସଙ୍ଗ କେଉଁଠୁ ଆସିଲା! ଆମେ ଆଗକୁ ଏ ବିଷୟରେ ସବିଶେଷ ଆଲୋଚନା କରିବା। ୫୩୦ ଜଣ ଭେଣ୍ଡିଆ ମହାରଣା ‘ନରାଜ’ଠାରୁ ମହାନଦୀରେ ଯୁଦ୍ଧପୋତରେ ଯାତ୍ରା କରିଥିଲେ। ନବା ଦାୟିତ୍ୱରେ ଥିଲେ ମଣି ବିଶୋଇ।

ଡ. ସୁରେନ୍ଦ୍ର କୁମାର ମିଶ୍ର

Share