ସ୍କିଲ୍ଡ ଇନ୍‌ ଓଡ଼ିଶା ପ୍ରଦର୍ଶନୀ ଉଦ୍‌ଘାଟିତ

ଭୁବନେଶ୍ୱର, ୮ା୮(ଅସମାପିକା ସାହୁ): ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଆଇଟିଆଇ ଛାତ୍ରୀଛାତ୍ରଙ୍କ ଦ୍ୱାରା ଖାରବେଳ ଭବନ ପରିସରରେ ସ୍କିଲ୍ଡ ଇନ୍‌ ଓଡ଼ିଶା ପ୍ରଦର୍ଶନୀ ‘ବର୍ଜ୍ୟବସ୍ତୁରୁ ସମ୍ପଦ’ ଆରମ୍ଭ ହୋଇଛି। ସୋମବାର ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଏହାକୁ ଉଦ୍‌ଘାଟନ କରିଥିଲେ। ଏଠାରେ ଆଇଟିଆଇ ଛାତ୍ରୀଛାତ୍ରଙ୍କ ଦ୍ୱାରା ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ପ୍ରଦର୍ଶନ ସହ ବିକ୍ରୟ ବ୍ୟବସ୍ଥା ରହିଛି। ଏହି ଅବସରରେ ଅସିତ ତ୍ରିପାଠୀ କହିଲେ, ଆଇଟିଆଇ ତାଲିମପ୍ରାପ୍ତ ଛାତ୍ରୀଛାତ୍ରଙ୍କ ପାଇଁ ସ୍ବୀକୃତି ଏବଂ ଆୟ ସୃଷ୍ଟିର ସୁଯୋଗ ପ୍ରଦାନ କରିବା ପାଇଁ ଏପରି କାର୍ଯ୍ୟକ୍ରମକୁ ସାରା ରାଜ୍ୟରେ ବ୍ୟାପକ କରିବାକୁ ଯୋଜନା କରାଯାଉଛି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଲୋକଙ୍କ ମଧ୍ୟରେ ସ୍କିଲ୍‌-ଇନ୍‌-ଓଡ଼ିଶା ବ୍ରାଣ୍ଡ୍‌କୁ ଲୋକପ୍ରିୟ କରିବା ଓ ପ୍ରଯୁକ୍ତି ବିଦ୍ୟା ଯୋଗାଇବା। ଏହି ସ୍ବୀକୃତିପ୍ରାପ୍ତ ବ୍ରାଣ୍ଡ୍‌ର ସ୍ଥିତିକୁ ମଜଭୁତ କରିବା ପାଇଁ ଆଉଟ୍‌ଲେଟ୍‌ଗୁଡ଼ିକୁ ବୃଦ୍ଧି କରାଯାଉ ବୋଲି ସେ କହିଥିଲେ। ସ୍କିଲ୍ଡ-ଇନ୍‌-ଓଡ଼ିଶା ହେଉଛି ଏକ ପରିବର୍ତ୍ତନଶୀଳ ଯାତ୍ରା, ଯାହା ରାଜ୍ୟରେ ଯୁବ ସାମର୍ଥ୍ୟକୁ ବ୍ୟବହାର କରୁଛି ବୋଲି ପ୍ରମୁଖ ଶାସନ ସଚିବ ପାଢ଼ୀ କହିଥିଲେ।
ଏହି ପ୍ରଦର୍ଶନୀରେ ବର୍ଜ୍ୟବସ୍ତୁ ଯଥା ଗାଡି, ମୋଟର ସାଇକେଲ ଓ ସାଇକେଲ ଯନ୍ତ୍ରାଂଶ ବଲ୍‌, ବିୟରିଙ୍ଗ, ଚେନ୍‌ କ୍ରାଙ୍କ, ନଟ୍‌ବୋଲ୍ଟ, କମ୍ପ୍ୟୁଟର କି ବୋର୍ଡ ଆଦିରୁ ତିଆରି ଗାନ୍ଧିଜୀ, ସୁଭାଷ ଚନ୍ଦ୍ର ବୋଷଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି, ଘୋଡ଼ା, ପେଙ୍ଗୁଇନ୍‌ ଓ ମାଛ ଭଳି ବିଭିନ୍ନ ପ୍ରକାରର ସାମଗ୍ରୀ ପ୍ରଦର୍ଶିତ କରାଯାଇଛି। ଆଇଟିଆ ଛାତ୍ରୀଛାତ୍ରମାନେ ସୁନ୍ଦର, ନିଖୁଣ ଓ ଆକର୍ଷଣୀୟ କାଠ ଓ ହସ୍ତତନ୍ତ ଉତ୍ପାଦ, ଘର ସାଜସଜ୍ଜା, ଅଫିସ୍‌ ଷ୍ଟେସନାରୀ, ଚିତ୍ରକଳା ଏବଂ ବେକେରି ଭଳି ବିଭିନ୍ନ ସାମଗ୍ରୀ ତିଆରି କରି ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଏହା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ।

Share