Advertisement

ପିଲାଙ୍କଠାରେ ବ୍ୟାପୁଛି ଚର୍ମରୋଗ

ଝରିଗାଁ,୪।୭(କିଶୋର ଚନ୍ଦ୍ର ମଣ୍ଡଳ): ସଚେତନତା ସହ ଆନ୍ତରିତା ଅଭାବ ଯୋଗୁ ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ସେବା ମିଳି ପାରୁନି। ଯାହାଫଳରେ କୋମଳମତି ଶିଶୁମାନେ ରୋଗାକ୍ରାନ୍ତ ହୋଇଛନ୍ତି। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବଡ଼ଟେମରା ପଞ୍ଚାୟତ ଚେପଟିଆମ୍ବା ଗ୍ରାମର ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଶିଶୁ ଚର୍ମ ରୋଗରେ ଆକ୍ରାନ୍ତ ହୋଇଛନ୍ତି।
ଗାଁର ୩ ବର୍ଷର ଜଣେ ଶିଶୁଙ୍କ ଓଠ ପାଖରେ ଲାଲ ହୋଇଯାଇଥିଲା। ପରେ ସେଠାରେ ଘା ହୋଇଯାଇଥିଲା। ଉକ୍ତ ଘା ଧୀରେ ଧୀରେ ମୁହଁ ସାରା ବ୍ୟାପିଯାଇଥିଲା। ସେହିପରି କେତେଜଣ ଶିଶୁମାନଙ୍କ ମୁଣ୍ଡରେ ଘା ହୋଇଥିବା ଜଣାପଡିଛି। ୧୫ ଦିନ ମଧ୍ୟରେ ଗ୍ରାମର ମହେଶ ଜାନୀ, ଦିଲୀପ ଜାନୀ, ଅନୁ ଜାନୀ, ପିଣ୍ଟୁ ଜାନୀ, ଆଦି ଜାନୀ, ସୁଶାନ୍ତି ଜାନୀ, ବିନାକର ଜାନୀ, ସୁରେଖା ଜାନୀ, ମହେଶ ଜାନୀ, ଗୋମତି ଜାନୀ, ରାଜି ଜାନୀ, ମିଲା ଜାନୀ, ଜଳେନ୍ଦ୍ରୀ ଜାନୀଙ୍କ ସହ ଗ୍ରାମର ୨୦ରୁ ଅଧିକ ଶିଶୁ ଆକ୍ରାନ୍ତ ଥିବା ଜଣାପଡ଼ିଛି। ସେହିପରି ପାଖ କରମଚାନ୍ଦଗୁଡା ଗ୍ରାମରେ ମଧ୍ୟ ଜଣେ ଶିଶୁ ସମାନଭାବେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେବେ ଏହା ଛୋଟିଆ ରୋଗ ଭାବି ଘର ଲୋକ କୌଣସି ଔଷଧ ଦେଉ ନ ଥିବାବେଳେ ଏହା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ଗାଡି ରହିଥିବାବେଳେ ବର୍ଷେ ହେବ ଏହି ଗ୍ରାମକୁ ଗାଡି ଯାଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସ୍ବାସ୍ଥ୍ୟ ବିଭାଗ ତୁରନ୍ତ ଏହି ଗ୍ରାମକୁ ଯାଇ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଦାବି ହୋଇଛି। ଏନେଇ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ପ୍ରକାଶ ଚନ୍ଦ୍ର ନାୟକଙ୍କୁ ଯୋଗାଯୋଗ କରିବାରୁ ମଙ୍ଗଳବାର ସକାଳକୁ ଡାକ୍ତରୀ ଦଳ ଉକ୍ତ ଗ୍ରାମକୁ ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରିବେ ବୋଲି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share