ଘରୋଇ କ୍ଷୀର କମ୍ପାନୀର ବିଷାକ୍ତ ପାଣି ଯୋଗୁ ଫସଲ କ୍ଷତି, ବ୍ୟାପୁଛି ଚର୍ମରୋଗ

ଗୋପ,୩।୭(ଭାରତୀ ଭୂଷଣ ଉପାଧ୍ୟାୟ): ଗୋପ- କୋଣାର୍କ ରାସ୍ତାର ଶାରଡ଼ା ଛକ ନିକଟରେ ଥିବା ଏକ ଘରୋଇ କ୍ଷୀର କମ୍ପାନୀର ଜଳ ଓ ବାୟୁ ପ୍ରଦୂଷଣକୁ ନେଇ ଅସନ୍ତୋଷ ଦେଖାଦେଇଛି। ଏପରି ବାରମ୍ବାର ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନ ହେବାରରେଗ୍ରାମବାସୀ ଆସନ୍ତା ୫ ତାରିଖରେ କମ୍ପାନୀ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।
ପ୍ରକାଶ ଯେ, ୨୦୧୧ରେ ଶାରଡ଼ା ଛକ ନିକଟରେ ଗୋଟିଏ ଘରୋଇ କମ୍ପାନୀ କ୍ଷୀର ଉତ୍ପାଦନ କମ୍ପାନୀ ଖୋଲିଥିଲା। କମ୍ପାନୀ ଖୋଲିବା ସମୟରେ ବିଭିନ୍ନ ନିୟମକୁ ଖୁଲମ୍‌ଖୁଲା ଉଲ୍ଲଂଘନ କରାଯିବାରୁ ସାଧାରଣରେ ମଧ୍ୟ ଅସନ୍ତୋଷ ଦେଖାଦେଇଥିଲା। କ୍ଷୀର କମ୍ପାନୀ ଚାଲିବା ପରେ କମ୍ପାନୀ ପକ୍ଷରୁ ଏକ ସରକାରୀ କାଡା ନାଳରେ କମ୍ପାନୀରୁ ନିର୍ଗତ ହେଉଥିବା ପ୍ରଦୂଷିତ ଜଳ ଛଡ଼ାଯିବାରୁ ଚାରିଆଡ଼େ ଦୁର୍ଗନ୍ଧମୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ଦୈନନ୍ଦିନ ପୁରୀ, କୋଣାର୍କକୁ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକ ଏହି ଅଭିଯୋଗ ଆଣିଥିଲେ। କମ୍ପାନୀ ନିକଟରେ ଥିବା ଶାରଡ଼ା ଗ୍ରାମବାସୀ ଏହାକୁ ବିରୋଧ କରିବାରୁ କମ୍ପାନୀ କର୍ତ୍ତୃପକ୍ଷ ନିର୍ଗତ କେମିକାଲଯୁକ୍ତ ଜଳକୁ ଅନ୍ୟତ୍ର ଛାଡ଼ିବେ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହୋଇପାରି ନାହିଁ। ନିର୍ଗତ କେମିକାଲଯୁକ୍ତ ଜଳରେ ଶହଶହ ଏକର ଜମିରେ ଧାନଚାଷ ହୋଇପାରୁ ନ ଥିବା ସମୟରେ ନିକଟ ଗଁାରେ ଚର୍ମରୋଗ ବ୍ୟାପିବା, କମ୍ପାନୀ ପକ୍ଷରୁ ଛଡ଼ା ଯାଉଥିବା ଧୂଅଁାରେ ନଡ଼ିଆ ଗଛ ସହିତ ବିଭିନ୍ନ ଫଳ ଫୁଲ ଗଛ ନଷ୍ଟ ହେଉଛି। କେମିକାଲ ପାଣି ପିଇ ଗୋରୁ, ଛେଳି, ମେଣ୍ଢାଙ୍କ ମୃତ୍ୟୁ ଘଟିବା ସହ ପେଟ ରୋଗରେ ସ୍ଥାନୀୟ ଅଞ୍ଚଳର ଲୋକେ ଆକ୍ରାନ୍ତ ହେଉଥିବା ଗ୍ରାମବାସୀ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି। ଏପରିକି କମ୍ପାନୀ ବେଆଇନ ଭାବେ ଦିନକୁ ୩ ଲକ୍ଷ ଲିଟରରୁ ଅଧିକ ପିଇବା ପାଣି ନେଉଥିବାରୁ ପାଣି ସମସ୍ୟା ଉତ୍କଟ ହେଉଛି ବୋଲି ଅଭିଯୋଗ ରହିଛି। କମ୍ପାନୀ ସମସ୍ତ ନିୟମକୁ ଉଲ୍ଲଂଘନ କରି ଏପରି କରୁଥିବାବେଳେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନି। ସେଥିପାଇଁ ଗ୍ରାମ ସଭାପତି ତ୍ରିଲୋଚନ ଜେନା, ସମ୍ପାଦକ ଲିଙ୍ଗରାଜ ଖୁଣ୍ଟିଆ, ଧନଞ୍ଜୟ ବେହେରାଙ୍କ ନେତୃତ୍ୱରେ ଶହ ଶହ ଗ୍ରାମବାସୀ କମ୍ପାନୀ ସମ୍ମୁଖରେ ଧାରଣା ଦେବେ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ, ମୁଖ୍ୟଶାସନ ସଚିବ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ପୁରୀ ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଏନେଇ ସମ୍ପୃକ୍ତ ଘରୋଇ କ୍ଷୀର କମ୍ପାନୀର ଜଣେ ଅଧିକାରୀଙ୍କୁ ପଚାରିବାରେ, ଅଭିଯୋଗ ସମ୍ପର୍କରେ ସେ ଜାଣି ନ ଥିବାବେଳେ ଅଭିଯୋଗ ଆସିଲେ ଦେଖିବେ ବୋଲି କହିଛନ୍ତି।