ବଡବିଲ,୭।୧୦:(ସ୍ବ.ପ୍ର.): କେନ୍ଦୁଝର ଜିଲା ରୁଗୁଡି ଥାନା ଅନ୍ତର୍ଗତ ଗନ୍ଧଲପଦା ଗ୍ରାମ ଜଙ୍ଗଲରୁ ଏକ ନରକଙ୍କାଳକୁ ପୋଲିସ ମଙ୍ଗଳବାର ଜବତକରି ବ୍ୟବଚ୍ଛେଦ ନିମନ୍ତେ କଟକସ୍ଥିତ ଏଫ୍ଏମଟି (ଫରେନସିକ ମେଡିସିନ ଟକ୍ସିକୋଲୋଜି) ବିଭାଗକୁ ପଠାଇଛି। ଏ ନେଇ ପୋଲିସ ଏକ ମାମଲା (ନଂ.୮/୨୦୨୧) ରୁଜୁ କରି ତଦନ୍ତ ଜାରି ରଖିଛି। ଗତ ସୋମବାର ଅପରାହ୍ନରେ କିଛି ଲୋକ ଗନ୍ଧଲପଦା ଜଙ୍ଗଲରେ ଏକ ନରକଙ୍କାଳ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚିଥିଲେ ହେଁ ମୃତକଙ୍କ ପରିଚୟ ମିଳିପାରି ନ ଥିଲା। ଗତ ଏକ ମାସ ତଳେ ଗୁଆଲି ଛକ ଅଞ୍ଚଳର ଜଣେ ବ୍ୟକ୍ତି ନିଖୋଜଥିବାରୁ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାରକୁ ମୃତଦେହ ଚିହ୍ନଟ ନିମନ୍ତେ ଡାକିଥିଲେ। ତେବେ ଉକ୍ତ ନରକଙ୍କାଳର ଦେହରେ ଲାଗିଥିବା ପ୍ୟାଣ୍ଟ ଓ ବେଲ୍ଟ ସହିତ ନିଖୋଜଥିବା ବ୍ୟକ୍ତିଙ୍କର ସାମଞ୍ଜସ୍ୟ ନ ଥିବା ଯୋଗୁ ତାହା ଅନ୍ୟ କାହାର ମୃତଦେହ ବୋଲି ପରିବାର ଲୋକେ କହିଥିଲେ। ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଆବଶ୍ୟକୀୟ ନମୂନା ସଂଗ୍ରହ କରିଥିଲା।