Categories: ବାଣିଜ୍ୟ

ଡିସେମ୍ବରରେ ‘ସ୍କୋଡା’ର ବିକ୍ରି ୪୮% ବୃଦ୍ଧି

ନୂଆଦିଲ୍ଲୀ,୩।୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ‘ସ୍କୋଡା ଅଟୋ ଇଣ୍ଡିଆ’ ପକ୍ଷରୁ ୨୦୨୨ ଡିସେମ୍ବରର ଗାଡ଼ି ବିକ୍ରି ସମ୍ପର୍କିତ ସୂଚନା ବିଷୟରେ ଘୋଷଣା କରାଯାଇଛି। ଏପରିକି ଗତ ବର୍ଷ ଡିସେମ୍ବରରେ ସ୍କୋଡା ଅଟୋ ମାସିକ ଭିତ୍ତିରେ ୪୭୮୮ ୟୁନିଟ୍‌ ଗାଡ଼ି ବିକ୍ରି ରେକର୍ଡ ହୋଇଛି। ହେଲେ ୨୦୨୧ ବର୍ଷର ସମାନ ଅବଧି ମଧ୍ୟରେ କମ୍ପାନୀ ମାତ୍ର ୩୨୩୪ ୟୁନିଟ୍‌ ଗାଡ଼ି ବିକ୍ରି କରିଥିଲା। ଫଳରେ ଏହି ପରିମାଣ ୨୦୨୧ ବର୍ଷ ଅପେକ୍ଷା ୨୦୨୨ ଡିସେମ୍ବରରେ ପ୍ରାୟ ୪୮% ବୃଦ୍ଧି କରିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ସେହିଭଳି ବାର୍ଷିକ ଭିତ୍ତିରେ ୨୦୨୧ ବର୍ଷ ତୁଳନାରେ ୨୦୨୨ ବର୍ଷର ବାର୍ଷିକ ବିକ୍ରି ଯଥେଷ୍ଟ ବୃଦ୍ଧି ଘଟିଥିବା ଜଣାପଡିଛି। ଏପରିକି ୨୦୨୨ ବର୍ଷରେ କମ୍ପାନୀ ୫୩,୭୨୧ ୟୁନିଟ୍‌ ଯାନ ବାର୍ଷିକ ହିସାବରେ ବିକ୍ରି କରିଥିବାବେଳେ ୨୦୨୧ବର୍ଷରେ ଉକ୍ତ ସଂଖ୍ୟା ୨୩,୮୫୮ ୟୁନିଟ୍‌ରେ ରହିଥିଲା। ବିଶେଷକରି ୨୦୨୧ ବର୍ଷର ବାର୍ଷିକ ବିକ୍ରି ତୁଳନାରେ ୨୦୨୨ବର୍ଷର ବାର୍ଷିକ ବିକ୍ରିର ହାର ହାରାହାରି ୧୨୫% ଅଭିବୃଦ୍ଧି କରିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ସ୍କୋଡା ଅଟୋ ଇଣ୍ଡିଆର ବ୍ରାଣ୍ଡ୍‌ ନିର୍ଦ୍ଦେଶକ ପିଟର ସୋଲ୍କ କହିଛନ୍ତି,ଏକ ଦଳ ଭାବେ ଆମର ଧ୍ୟାନ ୨୦୨୨କୁ ସଫଳତାର ସହ ଶେଷ କରିବା ସହ ଆମର ଅଭିଳାଷ ହାସଲ କରି ଆମେ ସମସ୍ତେ ଗର୍ବିତ ମନେ କରୁଛୁ। ଏପରିକି ୨୦୨୨ ଆମ ପାଇଁ ସର୍ବଦା ଏକ ଅବିସ୍ମରଣୀୟ ବର୍ଷ ଭାବେ ମନେ ରହିବ, ପୂର୍ବ ବର୍ଷ ତୁଳନାରେ ଆମେ ଆମର ବିକ୍ରିକୁ ଦ୍ୱିଗୁଣିତ କରିପାରିଥିଲୁ, ବିଶେଷ କରି ମାସିକ ଏବଂ ତ୍ରୈମାସିକ ବିକ୍ରୟ ରେକର୍ଡକୁ ମଧ୍ୟ ଛୁଇଁଥିଲୁ।

Share