ଆଇନମନ୍ତ୍ରୀଙ୍କ ସଭା ମଞ୍ଚକୁ ଚପଲମାଡ଼

ମାହାଙ୍ଗା,୧୩ା୧୨(ସ୍ବ.ପ୍ର.): ମାହାଙ୍ଗା ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଭାମଞ୍ଚ ଉପରକୁ ରବିବାର ରାତିରେ ଚପଲ ମାଡ଼ ହୋଇଛି। ଚପଲମାଡ଼ କରିଥିବା ଯୁବକ ବିଜେଡି କର୍ମୀଙ୍କ ଆକ୍ରମଣରେ ଲହୁଲୁହାଣ ହୋଇଛନ୍ତି। ମାହାଙ୍ଗା ଥାନା ପୋଲିସ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି।
ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ମାହାଙ୍ଗାର ଗୋକନ ଭଞ୍ଜ ମଣ୍ଡପଠାରେ ଶରତ ଉତ୍ସବ ୨୦୨୧ ସନ୍ଧ୍ୟା ଅନୁଷ୍ଠିତ ହେଉଥିଲା। ଏଥିରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେବାର ଥିଲା। ସେ କୌଣସି କାରଣବଶତଃ ଆସି ନ ଥିଲେ। ମନ୍ତ୍ରୀ ଜେନା ଉତ୍ସବରେ ଉଦ୍‌ଘାଟକ ରୂପେ ଯୋଗଦେଇଥିଲେ। ଜିଲାପରିଷଦ ସଭ୍ୟ ହୃଷୀକେଶ ସ୍ବାଇଁ ମାହାଙ୍ଗା ପଞ୍ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ରାଜକିଶୋର ଜେନା, ବିଜେଡି ନେତା ଅଶୋକ କୁମାର ଓଝା ପ୍ରମୁଖ ଉପସ୍ଥିତ ଥିଲେ। ମଞ୍ଚରେ ମନ୍ତ୍ରୀଙ୍କ ଭାଷଣ ଜାରି ରହିଥିଲାବେଳେ ବ୍ଲକର ବାଏନପୁର ଗଁାର ନାଗଭୂଷଣ ସ୍ବାଇଁ ଓରଫ କୁନୁ ଆକସ୍ମିକ ଭାବେ ତାଙ୍କୁ ଲକ୍ଷ୍ୟ କରି ଏକ ଚପଲ ମାଡ କରିଥିଲେ। ଏହି ଚପଲଟି ମନ୍ତ୍ରୀଙ୍କ ଦେହରେ ନ ବାଜି ସଭାମଞ୍ଚରେ ପଡିଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଉପସ୍ଥିତ ବିଜେଡି କର୍ମୀମାନେ କୁନୁଙ୍କୁ କାବୁ କରି ନିସ୍ତୁକ ମାଡ ମାରିଥିଲେ। ପରିସ୍ଥିତି ଉତେଜନାପୂର୍ଣ୍ଣ ରହିଛି।

Share