Categories: ଜାତୀୟ

କାନ୍ଦୁଛି ୟୁପି ପୋଲିସ

ଲକ୍ଷ୍ନୌ,୧୦।୭: “ଭାଜପା କର୍ମୀ ଟେକା, ପଥର ମାଡ଼ କରୁୁଛନ୍ତି। ଏପରି କି ମୋତେ ଚାପୁଡ଼ା ମାରିଲେ। ସାଥିରେ ଆଣିଥିଲେ ବୋମା। ସେମାନଙ୍କ ମଧ୍ୟରେ ଭାଜପା ବିଧାୟକ ଓ ଜିଲା ମୁଖ୍ୟ ଅଛନ୍ତି” । ଫୋନ ଯୋଗେ ଏଭଳି କହି ବରିଷ୍ଠ ଅଧିକାରୀଙ୍କୁ ସାହାଯ୍ୟ ମାଗୁଛନ୍ତି ଇଟାଓ୍ବା ଜିଲାର ଏସ୍‌ପି ପ୍ରଶାନ୍ତ କୁମାର। ଏହି ଫୋନ କଲର ଭିଡିଓ ଭାଇରାଲ ହେଉଛି। ଏହା ଦର୍ଶାଉଛି ପଞ୍ଚାୟତ ନିର୍ବାଚନ ଲାଗି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଉତ୍ତର ପ୍ରଦେଶର ଆଇନ ବ୍ୟବସ୍ଥା।

ଶନିବାର ପଞ୍ଚାୟତ ନିର୍ବାଚନ ବେଳେ ଇଟାଓ୍ବା ସମେତ ୧୭ ଜିଲାରେ ହିଂସାକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଏଟାଓ୍ବାର ବରିଷ୍ଠ ଏସ୍‌ପି ବ୍ରଜେଶ କୁମାର ସିଂ ଗଣମାଧ୍ୟମକୁ କହିଛନ୍ତି, ମତଦାନ କେନ୍ଦ୍ର ପାଖକୁ ନ ଆସିବାକୁ କହିବାରୁ ସେମାନେ ଟେକା ମାଡ଼ କରିବା ସହ ଗୁଳି ମାଡ଼ କରିଥିଲେ। ଆମ ପାଖରେ ସମସ୍ତ ସିସିଟିଭି ଫୁଟେଜ ଅଛି। ନିର୍ବାଚନ ଶେଷ ହେବା ପରେ ତଦନ୍ତ ଆରମ୍ଭ କରିବୁ। ଏ ନେଇ ମାମଲା ରୁଜୁ ହେବ। କେବଳ ପୋଲିସ ଅଧିକାରୀ କିମ୍ବା ପ୍ରତିପକ୍ଷ ପ୍ରାର୍ଥୀଙ୍କୁ ନୁହେଁ ଜର୍ନାଲିଷ୍ଟଙ୍କୁ ମଧ୍ୟ ମାଡ଼ ହେଉଥିବା ଭିଡିଓ ସାମ୍ନାକୁ ଆସିଛି।

Share