ମୁମ୍ବାଇ,୩।୭: ଚଳିତ ମାସରେ ଖେଳାଯିବାକୁ ଥିବା ଟି୨୦ ଓ ଦିନିକିଆ ସିରିଜ୍ ଲାଗି ଭାରତ ତା’ର ବି’ ଟିମ୍କୁ ପଠାଇ ଶ୍ରୀଲଙ୍କା କ୍ରିକେଟର ଅପମାନ କରିଛି। ଏଭଳି ମନ୍ତବ୍ୟ ଦେଇଥିଲେ ୧୯୯୬ ବିଶ୍ୱକପ୍ ବିଜେତା ଶ୍ରୀଲଙ୍କା ଦଳର ଅଧିନାୟକ ଅର୍ଜୁନ ରାଣାତୁଙ୍ଗା। ତାଙ୍କର ଉପରୋକ୍ତ ମନ୍ତବ୍ୟରେ ଏକମତ ନ ଥିବା ଶନିବାର ସ୍ପଷ୍ଟ କରିଛି ଶ୍ରୀଲଙ୍କା କ୍ରିକେଟ (ଏସ୍ଏଲସି)।
ଶିଖର ଧାଓ୍ବନଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଏକ ଶକ୍ତିଶାଳୀ ଦଳ। ଦଳରେ ସ୍ଥାନ ପାଇଥିବା ୨୦ ଖେଳାଳିଙ୍କ ମଧ୍ୟରୁ ୧୪ ଜଣ ଭାରତ ପାଇଁ ବିଭିନ୍ନ ଫର୍ମାଟରେ ଖେଳି ସାରିଛନ୍ତି। ଏଣୁ ଏହାକୁ ଦ୍ୱିତୀୟ ସ୍ତରର ଦଳ କହିବା ଉଚିତ୍ ନୁହେଁ। ଉଲ୍ଲେଖ କରିବା ଜରୁରୀ ଯେ, ଭାରତୀୟ ଟେଷ୍ଟ ଦଳ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଲାଗି ଇଂଲଣ୍ଡ ଗସ୍ତରେ ଥିବାବେଳେ ଏହି ସିରିଜ୍ ଆୟୋଜିତ ହେବାକୁ ଯାଉଛି। ମୁଖ୍ୟତଃ ଆଇସିସିର ସମ୍ପୂର୍ଣ୍ଣ ସଦସ୍ୟ ଦେଶମାନଙ୍କ ପାଇଁ ଏହା ନୂଆ ଆଦର୍ଶ। ପ୍ରତ୍ୟେକ ଫର୍ମାଟ ଲାଗି ସ୍ପେଶାଲିଷ୍ଟ ଖେଳାଳି ରଖାଯାଉଛି। ଏହାର ମୁଖ୍ୟ ଉଦ୍ଧେଶ୍ୟ ହେଉଛି ପ୍ରତ୍ୟେକ ଫର୍ମାଟରେ ପ୍ରତିଯୋଗିତାମୂଳକ ପ୍ରଦର୍ଶନ କରିବା। ଏହାବାଦ୍ ଅନ୍ୟ ଦେଶ ସହ ଅନ୍ତର୍ଜାତୀୟ ଚୁକ୍ତି ରକ୍ଷା କରିବା ନିମନ୍ତେ ଭିନ୍ନ ଦଳ ବ୍ୟବସ୍ଥା କରାଯାଉଛି ବୋଲି ଏସ୍ଏଲ୍ସି ପକ୍ଷରୁ ବିଜ୍ଞପ୍ତିରେ କୁହାଯାଇଛି।
”ଇଂଲଣ୍ଡକୁ ଭାରତ ତା’ର ଶକ୍ତିଶାଳୀ ଦଳ ପଠାଇଥିବାବେଳେ ଏଠାକୁ ବି’ ଦଳ ପଠାଇଛି। ସେମାନେ ଆମ କ୍ରିକେଟକୁ ଅପମାନିତ କରିବା ପାଇଁ ଆସିଛନ୍ତି। ପ୍ରସାରଣ ମାର୍କେଟିଂ ଆବଶ୍ୟକତା ମେଣ୍ଟାଇବା ପାଇଁ ସେମାନଙ୍କ ସହ ଖେଳିବାକୁ ରାଜି ହୋଇଥିବାରୁ ମୁଁ ଆମ ବୋର୍ଡକୁ ଦୋଷ ଦେଉଛି“ ବୋଲି ନିକଟରେ କହିଥିଲେ ପୂର୍ବତନ ଅଧିନାୟକ ରାଣାତୁଙ୍ଗା।