Categories: ଜାତୀୟ

ନିଦ୍ରା ହେଲା ମହାନିଦ୍ରା: ଶୋଇଥିବା ୧୫ ପ୍ରବାସୀ ଶ୍ରମିକଙ୍କ ଉପରେ ମାଡ଼ିଗଲା ଡମ୍ପର୍‌, ଶୋକ ପ୍ରକାଶ କଲେ ମୋଦି

ସୁରଟ,୧୯।୧: ଗୁଜରାଟର ସୁରଟରେ ମଙ୍ଗଳବାର ଭୋର ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଶୋଇଥିବା ୧୫ ଜଣ ପ୍ରବାସୀ ଶ୍ରମିକଙ୍କ ଉପରେ ଏକ ଡମ୍ପର୍‌ ମାଡ଼ି ଯାଇଛି। କୋସମ୍ବା ଅଞ୍ଚଳର କିମ୍‌ ମାଣ୍ଡବି ରୋଡ୍‌ର ଫୁଟପାଥ୍‌ରେ ହାଲିଆ ହୋଇ ଶୋଇଥିବା ଶ୍ରମିକଙ୍କ ଉପରେ ନିୟନ୍ତ୍ରଣ ହରାଇ ଡମ୍ପର ମାଡ଼ି ଯାଇଛି। ଘଟଣାସ୍ଥଳରେ ଜଣେ ବାଳିକାଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଅନ୍ୟ ୩ ଜଣଙ୍କ ମୃତ୍ୟୁ ହସ୍ପିଟାଲରେ ଘଟିଛି। ବିପରିତ ଦିଗରୁ ଏକ ଆଖୁ ବୋଝେଇ ଟ୍ରାକ୍ଟର ଆସୁଥିଲା। ଡମ୍ପର ଚାଳକ ଟ୍ରାକ୍ଟରକୁ ରାସ୍ତା ଦେବାକୁ ଯାଇ ଏଭଳି ଦୁର୍ଘଟଣା ଘଟାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଡମ୍ପର ଚାଳକ ଏବଂ କ୍ଲିନରଙ୍କ ସମେତ ୬ ଜଣ ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ତଦନ୍ତ ଜାରି ରହିଥିବା ସୁରଟ ଡିଏସ୍‌ପି ସି.ଏମ୍‌. ଜାଡେଜା କହିଛନ୍ତି। ଶ୍ରମିକମାନେ ରାଜସ୍ଥାନର ବଂସଓ୍ବାଡ଼ା ଜିଲାର ବାସିନ୍ଦା। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ଲାଗି ୨ ଲକ୍ଷ ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ଅନୁକମ୍ପା ମୂଳକ ସହାୟତା ପ୍ରଧାନମନ୍ତ୍ରୀ ଜାତୀୟ ସହାୟତା ପାଣ୍ଠିରୁ ପ୍ରଦାନ କରାଯିବ ଲାଗି ମୋଦି ଘୋଷଣା କରିଛନ୍ତି। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ମୃତକଙ୍କ ପରିବାରଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି। ସେହିପରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ମୃତକଙ୍କ ପରିବାରଙ୍କୁ ୨ ଲକ୍ଷ ଏବଂ ଆହତଙ୍କ ପରିବାର ସଦସ୍ୟଙ୍କ ପାଇଁ ୫୦ ହଜାର ଟଙ୍କାର ଅନୁକମ୍ପା ମୂଳକ ସହାୟତା ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ପ୍ରଦାନ କରାଯିବ ଲାଗି ଘୋଷଣା କରିଛନ୍ତି।

Share