Categories: ଫୁରସତ

ବିଲେଇ ପାଇଁ ସ୍ଲିପର୍ସ

ବିଲେଇକୁ ପେଟ୍‌ଭାବେ ରଖୁଥିବା ଲୋକଙ୍କ ଘରେ ବିଲେଇର ଲୋମ ଏଣେ ତେଣେ ପଡିଥାଏ। ଯେତେ ସଫା କଲେ ବି କେଉଁଠି ନା କେଉଁଠି ଏହା ରହିଯାଏ। ଅନେକ ସମୟରେ ବିଲେଇ ଲୋମ ସଫା କରିବା ଚିନ୍ତା ବଢାଇଦିଏ। ତେବେ ଜାପାନର ଜଣେ ମହିଳା ଯେକି ଏକ ବିଲେଇକୁ ପେଟ୍‌ ଭାବେ ରଖିଛନ୍ତି ସେ କିନ୍ତୁ ତାଙ୍କ ବିଲେଇର ଝଡୁଥିବା ଲୋମ ପାଇଁ ଚିନ୍ତିତ ନୁହନ୍ତି। କାରଣ ସେ ଏସବୁକୁ ସଂଗ୍ରହ କରି ସେଥିରେ ନିଜ ପୋଷା ବିଲେଇ ମିନିରା ପାଇଁ ତିଆରି କରିଛନ୍ତି କୁନି କୁନି ସ୍ଲିପର୍ସ ବା ଚପଲ। ଯାହାକି ଦେଖିବାକୁ ବହୁତ ସୁନ୍ଦର ଲାଗେ। ଆଉ ବିଲେଇ ମିନିରା ପାଦକୁ ବି ଏହା ଭଲ ମାନେ। ଏହାକୁ ତିଆରି କରିବା ପାଇଁ ମିନିରାଙ୍କ ମାଲିକାଣୀ ମିନିରାର ଲୋମ ସଂଗ୍ରହ କରି କପଡା ବ୍ୟାଗରେ ରଖୁଥିଲେ। ଯେତେବେଳେ ଏହା ୧ ଆଉନ୍ସ ବା ୨୮ ଗ୍ରାମର ହୋଇଗଲା, ସେତେବେଳେ ସେ ସେହି ଲୋମକୁ ଗରମ ପାଣି ଓ ଶାମ୍ପୁରେ ଭଲଭାବେ ଧୋଇ ସୁଖାଇଥିଲେ। ପରେ ଏଥିରେ ସେ ମିନିରା ପାଇଁ ଚପଲ ତିଆରି କରିଥିଲେ। ଏହି ଚପଲର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଛି। ଲୋକେ ଏହାକୁ ବହୁତ ପସନ୍ଦ କରୁଛନ୍ତି।

Share