ଘରେ ମଞ୍ଚା ବାନ୍ଧି ଶୋଉଛନ୍ତି

ଚମ୍ପୁଆ/ଘାଗରବେଡା, ୧।୧୦(ଡି.ଏନ.ଏ)-ମୟୂରଭଞ୍ଜ ଜିଲା ରରୁଆଁ ବ୍ଲକ ବୁଢ଼ାମରା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା। ଗୋଟିଏ ଘରେ ରହୁଛନ୍ତି ୧୪ ଆଦିବାସୀ ପରିବାର ସଦସ୍ୟ। ସ୍ଥାନ ଅଭାବରୁ ଘରଭିତରେ ସେମାନେ ମଞ୍ଚା ବାନ୍ଧି ଶୋଉଥିବା ଦେଖିବାକୁ ମିଳିଛି। ଆବାସ ଯୋଜନା ପାଇବାରୁ ବଞ୍ଚତ୍ତ ଏହି ପରିବାର ଦିନ ମଜୁରିଆ ଭାବେ କାମକରି ପେଟ ପୋଷୁଥିବା ବେଳେ ଘର ଅଭାବ ଏମାନଙ୍କ ଦୁଃଖକୁ ଦୁଇ ଗୁଣ କରିଦେଇଛି। ଏ ନେଇ ରରୁଆଁ ବିଡିଓ ଡା. ପଲ୍ଲବୀ ସ୍ବାଇଁଙ୍କୁ ପଚାରିବାରୁ ୨୦୧୧ ଲିଷ୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ଆବାସ ତାଲିକାଭୁକ୍ତ ହୋଇଥିଲେ ତାଙ୍କୁ ଘର ଯୋଗାଇ ଦିଆଯିବ ନଚେତ୍‌ ଜିଲା ଅଧିକାରୀଙ୍କ ନଜରକୁ ଅଣାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ସୂଚନା ଅନୁସାରେ ଶଙ୍କରପୁର ଗ୍ରାମର ନଟମୁଣ୍ଡା ଦୀର୍ଘ ଦିନ ହେବ ୬ ପୁଅ, ୨ବୋହୂ, ୪ ନାତିନାତୁଣୀ ସହ ଗୋଟିଏ ଘରେ ବହୁ କଷ୍ଟରେ ରହିଆସୁଛନ୍ତି। ପିଲାଛୁଆ ବଢ଼ିବା ସାଙ୍ଗକୁ ଘରର ଅଭାବ ଫଳରେ ଘରଭିତରେ ବାଉଁଶ ପୋତି ମଞ୍ଚା କରି ଶୋଉଥିବା ଦେଖାଯାଇଛି । ଏଭଳି ହିତାଧିକାରୀ କିପରି ଆବାସ ଯୋଜନାରୁ ବଞ୍ଚତ୍ତ ହେଉଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟିକରିଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସେମାନେ ନିବେଦନ କରିଛନ୍ତି।

Share