ଭଦ୍ରକ ଅଫିସ, ୫।୧୧: ଧାମନଗର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ପରେ ସମସ୍ତ ଇଭିଏମ୍ ଓ ଭିଭିପାଟ୍କୁ ଅଣାଯାଇ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଷ୍ଟ୍ରଙ୍ଗରୁମ୍ରେ ପୋଲିସର କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ସିସିଟିଭି ମାଧ୍ୟମରେ ଷ୍ଟ୍ରଙ୍ଗ୍ରୁମ୍ ଭିତର ଦୃଶ୍ୟକୁ ଏଲ୍ଇଡିରେ ବାହାରକୁ ପ୍ରଦର୍ଶନ କରାଯାଇଛି। ପ୍ରାର୍ଥୀଙ୍କ ସମର୍ଥକମାନେ ଗୁରୁବାର ରାତିଠାରୁ ଏଲ୍ଇଡି ସାମ୍ନାରେ ରାତି ଅନିଦ୍ରା ହୋଇ ପହରା ଦେଉଥିବା ଦେଖାଯାଇଛି। ଷ୍ଟ୍ରଙ୍ଗରୁମ୍ ଆଗରେ ସଶସ୍ତ୍ର ପୋଲିସ ବାହିନୀ ଦିବାରାତ୍ର ମୁତୟନ ରହିଛନ୍ତି। ଅଗ୍ନି ନିର୍ବାପନ ପାଇଁ ଦମକଳ ବାହିନୀ ମୁତୟନ ରହିଥିବା ବେଳେ ବାଲିବସ୍ତା ମହଜୁଦ ରଖାଯାଇଛି।