ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌, ୩ ରାଜ୍ୟରେ ସଙ୍କଟ…

ନୂଆଦିଲ୍ଲୀ, ୨୬।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ଫଳରେ ପୁଣି ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ଲକ୍ଷେ ୪୭ ହଜାରରୁ ଅଧିକ ରହିଛି। ଗୋଟିଏ ଦିନ ତଳେ ଏହା ଦେଢ଼ ଲକ୍ଷ ଟପିଥିଲା। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୪ ହଜାର ୮୩୦ ରହିଛି। ଗୋଟିଏ ଦିନ ତଳେ ଏହା ୧୬ ହଜାର ୮୬୬ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୬ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୪୧ ଥିଲା। ଏହି ସମୟରେ ସକ୍ରିୟ ମାମଲା ଲକ୍ଷେ ୪୭ ହଜାର ୫୧୨ ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ ୧୮ ହଜାର ୧୫୯ ଜଣ ସୁସ୍ଥ ହୋଇଛନ୍ତି।

ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୬ ହଜାର ୧୧୦ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୯ ଲକ୍ଷ ୨୦ ହଜାର ୪୫୧ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୩୨ ଲକ୍ଷ ୪୬ ହଜାର ୮୨୯ ଜଣ ସୁସ୍ଥ ହୋଇ ସାରିଛନ୍ତି।

କେରଳ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ଆଦି ୩ ରାଜ୍ୟରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୭୮୫ଜଣ, ପଶ୍ଚିମବଙ୍ଗରେ ୧,୦୯୪, ତାମିଲନାଡୁରେ ୧,୯୦୩ ଜଣ, ପଞ୍ଜାବରେ ୩୨୩ ଜଣ କେରଳରେ ୧,୭୦୦ ଜଣ, କର୍ନାଟକରେ ୯୩୯ ଜଣ, ଓଡ଼ିଶାରେ ୬୬୨ ଜଣ, ଗୁଜରାଟରେ ୬୩୩, ଆସାମରେ ୮୦୦ ଜଣ, ତେଲେଙ୍ଗାନାରେ ୫୮୧, ହିମାଚଳପ୍ରଦେଶରେ ୭୧୯ ଜଣ, ଛତିଶଗଡ଼ରେ ୫୪୩ ଜଣ, ଦିଲ୍ଲୀରେ ୪୬୩ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ସେହିପରି ହରିୟାଣାରେ ୫୦୮ ଜଣ, ଆନ୍ଧ୍ରପ୍ରଦେଶରେ ୧୪୬ ଜଣ, ଉତ୍ତରପ୍ରଦେଶରେ ୩୪୭ ଜଣ, ତ୍ରିପୁରାରେ ୪୩୧ ଜଣ, ଜମ୍ମୁ-କଶ୍ମୀରରେ ୩୮୩ ଜଣ, ବିହାରରେ ୩୫୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ରାଜସ୍ଥାନରେ ୧୮୭ ଜଣ, ମଧ୍ୟପ୍ରଦେଶରେ ୨୨୭ ଜଣ, ଉତ୍ତରାଖଣ୍ଡରେ ୧୮୨ ଜଣ, ଝାଡ଼ଖଣ୍ଡରେ ୧୫୯ ଜଣ, ମିଜୋରାମରେ ୧୯୭ ଜଣ, ଆସାମରେ ୭୬୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୨୦୨ କୋଟି ୫୦ଲକ୍ଷରୁ ଅଧିକରେ ପହଞ୍ଚିଛି । ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା ଏବଂ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି।

Share