ଗଜପତି,୧୭।୧(ଡି.ଏନ୍.ଏ.): କାର୍ ପାର୍କିଂକୁ ନେଇ ସାମାନ୍ୟ ବଚସା ନେଲା ଜୀବନ। ଗଜପତି ଜିଲା ପାରଳାଖେମୁଣ୍ଡି ଗୋଲା ସାହିରେ ମଙ୍ଗଳବାର ଏଭଳି ଏକ ଘଟଣା ଘଟିଛି। ବଚସା ପରେ ଗୋଷ୍ଠୀ ଆକ୍ରମଣ ଯୋଗୁ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଏସ୍. ଶ୍ରୀନିବାସ ରାଓ। ସେହିଭଳି ଘଟଣାରେ ଜଣେ ଆହତ ହୋଇଛନ୍ତି।
ସୂଚନାନୁଯାୟୀ, ସନ୍ଧ୍ୟାରେ କାର୍ ପାର୍କିଂକୁ ନେଇ ବିବାଦ ଦେଖାଦେଇଥିଲା। ବଚସା ପରେ କଥା ହାତାହାତୀ ପର୍ଯ୍ୟନ୍ତ ଯାଇଥିଲା। ଶେଷରେ ଅଟୋରେ ଆସିଥିବା ଏକ ଗୋଷ୍ଠୀ ହଠାତ କାର୍କୁ ଭଙ୍ଗାରୁଜା କରିବା ସହ ଆକ୍ରମଣ କରିଥିଲେ। ଆକ୍ରମଣକାରୀଙ୍କଠାରୁ ନିଜ ପୁଅଙ୍କୁ ବଞ୍ଚାଇବାକୁ ଯାଇ ଶ୍ରୀନିବାସ ଆକ୍ରମଣର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି।