ଆବୁଧାବି,୮।୧୦(ପି.ଟି.): ମନ୍ଥର ବୋଲିଂ ପାଇଁ ରାଜସ୍ଥାନ ରୟାଲ୍ସ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଜରିମାନାର ସମ୍ମୁଖୀନ ହୋଇଛନ୍ତି। ମଙ୍ଗଳବାର ଅନୁଷ୍ଠିତ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ମ୍ୟାଚ୍ରେ ରାଜସ୍ଥାନ ବେଶ୍ ମନ୍ଥର ବୋଲିଂ କରିଥିଲା। ଏଥିରେ ଗତଥରର ଚାମ୍ପିୟନଠାରୁ ରାଜସ୍ଥାନ ୫୭ ରନରେ ପରାସ୍ତ ହୋଇଥିଲା।
ଚଳିତ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ପ୍ରଥମଥର ପାଇଁ ଏହି ତ୍ରୁଟି କରିଥିବାରୁ ଆଇପିଏଲ୍ ଆଚରଣ ବିଧି ଅନୁସାରେ ୧୨ ଲକ୍ଷ ଟଙ୍କା ଜରିମାନାର ସମ୍ମୁଖୀନ ହୋଇଛି। ରାଜସ୍ଥାନ ମିନିମମ୍ ଓଭର ରେଟ୍ ନିୟମର ଉଲ୍ଲଂଘନ କରିଛି ବୋଲି ଆଇପିଏଲ୍ ତରଫରୁ କୁହାଯାଇଛି। ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୪ ଉଇକେଟ ହରାଇ ୧୯୩ ରନ ସଂଗ୍ରହ କରିଥିଲା। ଜବାବରେ ରାଜସ୍ଥାନ ମାତ୍ର ୧୩୬ ରନ କରି ଅଲଆଉଟ ହୋଇ ପରାସ୍ତ ହୋଇଥିଲା। ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ମଧ୍ୟ ମନ୍ଥର ବୋଲିଂ କାରଣରୁ ୧୨ ଲକ୍ଷ ଟଙ୍କା ଜରିମାନର ସମ୍ମୁଖୀନ ହୋଇଥିଲେ।