ଡ. ଅଜୟ କୁମାର ପାତ୍ର
ଜ୍ଞାନୀମାନେ ଜଳକୁ ‘ସାର୍ବଜନୀନ’ବୋଲି କହିଥାଆନ୍ତି। କାରଣ ପୃଥିବୀର ଆୟତନରୁ ଜଳଭାଗ ପ୍ରାୟ ସତୁରି ପ୍ରତିଶତ ଅଧିକାର କରିଛି। ସେମିତି ଆମ ଶରୀର କୋଷରେ ସତୁରି ପ୍ରତିଶତରୁ ଅଧିକ ଭାଗ ଜଳ। ଜଳ ହିଁ ଜୀବଜଗତର ଜୀବନକୁ ଦ୍ରବୀଭୂତ କରି ରଖିଛି। ବିନ୍ଦୁ ବିନ୍ଦୁରେ ଜୀବନ ସୀମିତ।
ପୃଥିବୀର ସମୁଦାୟ ଜଳ ଭାଗରୁ ୯୦% କେବଳ ସାଗର ଓ ମହାସାଗରରେ ରହିଛି। ଅବଶିଷ୍ଟ ୧୦% ମଧ୍ୟରୁ ୭% ବରଫାକାରରେ, ୨% ଭୂଗର୍ଭସ୍ଥ ଜଳ ଏବଂ ମାତ୍ର ୧% ମଧୁର ଜଳ ଭାବେ ନଈ, ନାଳ, ପୋଖରୀ ଇତ୍ୟାଦିରେ ଉପଲବ୍ଧ। ସୁତରାଂ ଦେଖିବାକୁ ଗଲେ, ଉପରବର୍ଣ୍ଣିତ ସମୁଦାୟ ଜଳରୁ କେବଳ ୧% ମଧୁର ଜଳ ସର୍ବାଧିକ ପ୍ରତ୍ୟକ୍ଷ ଉପଯୋଗ ଆମେ ଦୈନନ୍ଦିନ ଜୀବନରେ କରିଆସୁଛୁ। ପ୍ରଥମତଃ ଆମେ ପ୍ରତ୍ୟହ ଉପଯୋଗ କରୁଥିବା ଜଳ ସମ୍ବଳ ଅତ୍ୟନ୍ତ ସୀମିତ। ଏତେ କମ୍ ପରିମାଣର ଉପଲବ୍ଧ ଜଳକୁ ଆମେ ଯଦି ଖୁବ୍ ଯନତ୍ ଓ ସାବଧାନତାର ସହିତ ଉପଯୋଗ ନ କରିବା, ତା’ହେଲେ ନିଶ୍ଚିତ ଭାବରେ ଭବିଷ୍ୟତରେ ଏକ ଅତ୍ୟନ୍ତ ଜଳକ୍ଳିଷ୍ଟ ପରିବେଶ ସୃଷ୍ଟି କରିବସିବା।
ପୁନଶ୍ଚ ଜଣେ ସୁସ୍ଥ ବ୍ୟକ୍ତି ଦିନକୁ ହାରାହାରି ୩ ଲିଟର ପାଣି ପିଇବାରେ, ୧୭ଲିଟର ପାଣି ଗାଧୋଇବାରେ, ୩ ଲିଟର ପାଣି ରନ୍ଧନ ପାଇଁ, ୧୦ ଲିଟର ପାଣି ବାସନକୁସନ ଧୋଇବା ପାଇଁ, ୧୦ ଲିଟର ଲୁଗା ସଫା ପାଇଁ, ୫ ଲିଟର ଶୌଚ ପାଇଁ ଓ ଅନ୍ୟାନ୍ୟ କାମରେ ପ୍ରାୟ ୧୪ ଲିଟର ଏଭଳି ମୋଟ ଦୈନିକ ପ୍ରାୟ ୬୫ ଲିଟର ଓ ବର୍ଷକୁ ପ୍ରାୟ ୨୩,୭୨୫ ଲିଟର ପାଣି ବ୍ୟବହାର କରନ୍ତି।
କିନ୍ତୁ ଉଦ୍ବେଗର କଥା, ମନୁଷ୍ୟ ଜଳର ସୁପରିଚାଳନା ନେଇ ଉଦାସୀନ। କଳ-କାରଖାନାଜନିତ ପ୍ରଦୂଷଣ, ଦ୍ରୁତ ସହରୀକରଣ, ଜଙ୍ଗଲ ଧ୍ୱଂସୀକରଣ, ବହୁଳ ପୋକମରା ଓ କୃତ୍ରିମ ସାରର ପ୍ରୟୋଗ ତଥା ଆଣବିକ ଅବଶେଷ ଜନିତ କାରଣରୁ ଆମ ଜଳ ସମ୍ପଦ ଅଧିକ ଦୂଷିତ ହେଉଛି, ଯାହାର କୁପ୍ରଭାବ ଆମ ପାନୀୟ ଜଳ ଉପରେ ପଡୁଛି। ଆଜି ଓଡ଼ିଶାର ଜୀବନରେଖା ମହାନଦୀକୁ ଏବେ ଦୋହରା ବିପଦ। ଏହାର ମଧୁର ପାଣି ଏତେ ସାଂଘାତିକ ଭାବରେ ପ୍ରଦୂଷିତ ହୋଇଛି ଯେ, ପିଇବା ଦୂରର କଥା, ଛୁଇଁଲେ ମଧ୍ୟ ରୋଗ ହୋଇଯିବ। ମହାନଦୀ କଡ଼ର ପ୍ରାୟ ୪୪ଟି ଛୋଟବଡ଼ ବସତି, ୧୮ କାରଖାନା ଓ ୧୫ କୋଇଲାଖଣିରୁ ପ୍ରତ୍ୟହ ହାରାହାରି ପ୍ରାୟ ୫୭ କୋଟି ୭୦ଲକ୍ଷ ଲିଟର ବିଷାକ୍ତ ତରଳ ଆବର୍ଜନା ମିଶିବାରୁ ମହାନଦୀକୁ ବଡ଼ ନର୍ଦ୍ଦମାରେ ପରିଣତ କରିଦେଲାଣି। ଏହାର ଏକ ଲିଟର ପାଣିରେ ହାରାହାରି ୪୯ଲକ୍ଷ ସଂଖ୍ୟକ ରୋଗ ସୃଷ୍ଟିକାରୀ କୋଲିଫର୍ମ(ଏମ୍ପିଏନ୍) ଜୀବାଣୁଙ୍କ ଉପସ୍ଥିତି ଏହାର ଉତ୍କଟ ପ୍ରଦୂଷଣକୁ ସୂଚାଉଛି। ଗବେଷଣାରୁ ଜଣାଯାଇଛି ଯେ, ଉକ୍ତ ବିଷାକ୍ତ ପାଣିରେ ମଳ ସହିତ ମାରାତ୍ମକ ସୀସା, କ୍ରୋମିୟମ, କାଡ଼ମିୟମ, ଜିଙ୍କ୍, ପାରଦ, କାର୍ବୋନେଟ, ଲୁହା, ମାଙ୍ଗାନିଜ, ତମ୍ବା ଓ ଫ୍ଲୋରାଇଡ ଦ୍ରବୀଭୂତ ହୋଇରହିଛି। ମହାନଦୀ ସହିତ ଓଡ଼ିଶାର ପ୍ରାୟ ୧୯ ନଦୀର ଜଳ ଓଡ଼ିଶାବାସୀଙ୍କ ପାଇଁ ଏକ ଧୀର ଜହର ଭଳି କାମ କରୁଛି। ନିକଟରେ ପୁରୀ ନିକଟବର୍ତ୍ତୀ ମଙ୍ଗଳା ନଦୀ ମୁହାଣରେ ଅସଂଖ୍ୟ ମାଛ ମରି ଭାସିବା ସୂଚାଉଛି ଯେ, ଜାପାନ ଭଳି ଆମ ଓଡ଼ିଶାରେ ମଧ୍ୟ ମିନାମାତା ଓ ନିଗାତା ଭଳି ରୋଗ ମାଛରେ ସୃଷ୍ଟି ହୋଇଛି। ତା’ର ମୁଖ୍ୟ କାରଣ ହେଲା ଅମ୍ଳବୃଷ୍ଟି ତଥା ମରକ୍ୟୁରି ଭଳି ଭାରି ଧାତୁର କୁପ୍ରଭାବ।
ସାଧାରଣତଃ ଜଳର ଶକ୍ତି ଓ ସାମର୍ଥ୍ୟ ହେଉଛି ଏଥିରେ ଦ୍ରବୀଭୂତ ଅମ୍ଳଜାନ। ଉକ୍ତ ଅମ୍ଳଜାନ ଜଳ ୨୦% ବାୟୁମଣ୍ଡଳରୁ ଓ ୮୦% ତା’ର ନିଜସ୍ବ କ୍ଷୁଦ୍ର କ୍ଷୁଦ୍ର ସବୁଜ ଜୀବ ଠାରୁ ପାଇଥାଏ। ଏହି କ୍ଷୁଦ୍ର ସବୁଜ ଶୈବାଳ ଜାତୀୟ ଜଳଜ ଉଦ୍ଭିଦ ଆଲୋକ ଭାଶ୍ଳେଷଣ ପ୍ରକ୍ରିୟାରେ ପାଣିର ଜୀବନ ପ୍ରଦାୟିନୀ ପଦାର୍ଥ ଅମ୍ଳଜାନ ଯୋଗାଇଥାନ୍ତି। କେବଳ ସେତିକି ନୁହେଁ ଏହି କ୍ଷୁଦ୍ର ଉଦ୍ଭିଦ ଜଳଜ କ୍ଷୁଦ୍ର ପ୍ରାଣୀ, ଚିଙ୍ଗୁଡ଼ି ଓ ମାଛ ସହିତ ମିଶି ନଦୀ, ନାଳ, ପୋଖରୀ, ହ୍ରଦ, ସାଗର ଓ ମହାସାଗରର ବୋଲାଯାଉଥିବା ଏକ ସୁସ୍ଥ ଓ ସବଳ ପରିବାର, ଖାଦ୍ୟଶୃଙ୍ଖଳ ବା ଖାଦ୍ୟଜାଲ ମାଧ୍ୟମରେ ଗଠନ କରିଥାଆନ୍ତି। ମାତ୍ର ଜଳର ଘୋର ଦୂଷିତୀକରଣ ଯୋଗୁ ପ୍ରଥମେ କ୍ଷୁଦ୍ର ଉଦ୍ଭିଦର ବଂଶ ଲୋପପାଉଛି ଓ ପରେ ଏହା ସହ ଘନିଷ୍ଠ ସମ୍ପର୍କ ରଖିଥିବା କ୍ଷୁଦ୍ର ଜଳଜ କୀଟ, ଚିଙ୍ଗୁଡ଼ି ଓ ଶେଷରେ ମାଛର ବଂଶ ଲୋପ ପାଉଛି। ଅଧିକନ୍ତୁ ଦୂଷିତ ପରିବେଶରେ ଏମାନଙ୍କ ପ୍ରଜନନ ପ୍ରକ୍ରିୟାରେ ଘୋର ବ୍ୟାଘାତ ସୃଷ୍ଟି ହେଉଛି। ଉକ୍ତ ବର୍ଣ୍ଣିତ ଦୂଷିତ ତରଳ ପଦାର୍ଥ ସମସ୍ତ ଜଳଭାଗ ଉପରେ ଏପରି ଏକ ଘନ ଆସ୍ତରଣ ସୃଷ୍ଟି କରୁଛନ୍ତି ଯେ, ବାହ୍ୟ ବାୟୁମଣ୍ଡଳର ଅମ୍ଳଜାନ ଜଳରେ ପ୍ରବେଶ କରିପାରୁନାହିଁ କି ଆଲୋକ ଭାଶ୍ଳେଷଣ ପ୍ରକ୍ରିୟା ପାଇଁ ଅତ୍ୟନ୍ତ ଜରୁରୀ ସୂର୍ଯ୍ୟାଲୋକ କ୍ଷୁଦ୍ର ଜଳଜ ଉଦ୍ଭିଦ ଓ ଶୈବାଳ ପାଇପାରୁ ନାହାନ୍ତି। ତେଣୁ ସେମାନେ ଅମ୍ଳଜାନ ପ୍ରସ୍ତୁତ କରି ପାରୁନାହାନ୍ତି। ଫଳରେ ସମସ୍ତ ଜଳଭାଗରେ ବାସ କରୁଥିବା ଅସୁମାରି ଜଳଜ ପ୍ରାଣୀ ଅମ୍ଳଜାନ ବିନା ଡହଳ ବିକଳ ହୋଇ ଅସମୟରେ ଧ୍ୱଂସ ପାଉଛନ୍ତି। ଏପରିକି ଅନେକ ନଦୀ, ପୋଖରୀ, ହ୍ରଦ ମତ୍ସ୍ୟଶୂନ୍ୟ ହୋଇଗଲାଣି। ଏ ପ୍ରକାରରେ ଯଦି ଜଳ ପ୍ରଦୂଷଣ ଗତି କରେ ଓ ଏହାର ଉପଯୁକ୍ତ ଉପଚାର ନ କରାଯାଏ ଆଗାମୀ ୨୦୪୧ ବେଳକୁ ଅଧିକାଂଶ ପୋଖରୀ, ହ୍ରଦ, ନଦୀ ମତ୍ସ୍ୟଶୂନ୍ୟ ହୋଇଯିବ ଏବଂ ସାଗର, ମହାସାଗର ଉପରେ ପ୍ରଦୂଷଣ ଚାପ ମଧ୍ୟ ରହିବ। ପଲିଥିନ ମଧ୍ୟ ଜଳ ପ୍ରଦୂଷଣର ମୁଖ୍ୟ କାରଣ।
ଏଥିପାଇଁ ଦରକାର ଜନ ସଚେତନତା, ସହଯୋଗିତା, ଆତ୍ମସମୀକ୍ଷା । ‘ନମାମୀ ଗଙ୍ଗେ’ ଏବଂ ‘ମଣିଷ ଓ ଜୀବମଣ୍ଡଳ’ ଭଳି ପ୍ରକଳ୍ପର ଆବଶ୍ୟକତା ରହିଛି। ଶିଳ୍ପ କାରଖାନା, ଘରୋଇ ତଥା ପୌରସଂସ୍ଥାରୁ ବାହାରୁଥିବା ଦୂଷିତ ପଦାର୍ଥକୁ ସିଧାସଳଖ ନଦୀ, ହ୍ରଦ ତଥା ସମୁଦ୍ରକୁ ନ ଛାଡ଼ି ସେଗୁଡ଼ିକୁ ବିଭିନ୍ନ ସ୍ତରରେ ପୁନରୁଦ୍ଧାର ମାଧ୍ୟମରେ ପରିଷ୍କରଣ କରିବା ପରେ ସାଧାରଣ ଉପଯୋଗୀ ପାଣିକୁ ଛାଡ଼ିବା ନିହାତି ଆବଶ୍ୟକ। ଅନ୍ୟ ଏକ ସାବଲୀଳ ପରିଷ୍କରଣ ପ୍ରଣାଳୀ ହେଲା ‘ଜୀବ ଅକ୍ସୀକରଣ ପୋଖରୀ’ ମଣିଷକୃତ ସମସ୍ତ ଦୂଷିତ ବସ୍ତୁକୁ ପ୍ରଥମେ ପାଞ୍ଚ ହେକ୍ଟର ବିଶିଷ୍ଟ ଜୀବ ଅକ୍ସୀକରଣ ପୋଖରୀକୁ ଛଡ଼ାଯିବ। ସେହି ପୋଖରୀରେ ଅନାବନା ଜଳଜ ଘାସ ତଥା ଅଖାଦ୍ୟ ମାଛ ଚାଷ କରାଯିବ। ଏମାନେ ସେଥିରୁ ସମସ୍ତ ଦୂଷିତ ରାସାୟନିକ ତଥା ଭୌତିକ ପଦାର୍ଥକୁ ନିଜ ଶରୀରର ଅଭିବୃଦ୍ଧିରେ ଲଗାଇ ଜଳକୁ ପ୍ରଦୂଷଣ ମୁକ୍ତ କରିଥାନ୍ତି। ପୁନଶ୍ଚ ଉକ୍ତ ପ୍ରଦୂଷଣ ମୁକ୍ତ ପାଣିକୁ ନଦୀ, ସମୁଦ୍ର ତଥା ହ୍ରଦକୁ ଛାଡ଼ିବା ନିହାତି ଦରକାର। ଆମ ଓଡ଼ିଶାରେ ଏଭଳି ସୁଲଭ ପ୍ରକଳ୍ପର ଆବଶ୍ୟକତା ରହିଛି। ଏଥିସହିତ ନଦୀ, ହ୍ରଦ, ପୋଖରୀ ଓ ସମୁଦ୍ର ତଟ ଆଦିକୁ ସବୁଜବଳୟ ଅର୍ଥାତ୍ ବନୀକରଣ ମାଧ୍ୟମରେ ସୁରକ୍ଷିତ ରଖିବା ଉଚିତ। ଏହାଦ୍ୱାରା ଜଳଭାଗ ମୃତ୍ତିକାକ୍ଷୟ ଓ ଜଳରେ ପଟୁ ଜମା ହେବା, ପଟୁ ଦ୍ୱାରା ରୁଦ୍ଧ ହେବାରୁ ରକ୍ଷା ପାଇବ। ସମସ୍ତ ତଟକୁ ପଲିଥିନ ମୁକ୍ତ କରିବା ଉପରେ ଗୁରୁତ୍ୱ ଦିଆଯିବା ଅତ୍ୟନ୍ତ ଜରୁରୀ। କୀଟମରା ଔଷଧର ଅବାଞ୍ଚିତ ପ୍ରୟୋଗକୁ କୃଷି କ୍ଷେତ୍ରରେ ବାରଣ କରାଯିବା ଉଚିତ। ରାସାୟନିକ ସାର ବଦଳରେ ଜୈବିକ ସାର ଉପରେ ଗୁରୁତ୍ୱ ଆରୋପ କରିବା ଉଚିତ। ପ୍ରଜନନ ଋତୁରେ ଅର୍ଥାତ୍ ବର୍ଷର ତିନି ମାସ ମାଛଧରା ଉପରେ ବାରଣ ନିହାତି ଆବଶ୍ୟକ। ମନେ ରଖନ୍ତୁ ଯେଉଁ ଜଳଭାଗରେ ଯେତେ ଅଧିକ ମାଛ ସଂଖ୍ୟା ରହିବ, ସେ ଜଳଭାଗ ସେତେ ସୁରକ୍ଷିତ। କେତେକ ପ୍ରକାର ଶୂକ ଭକ୍ଷଣକାରୀ ମାଛ ତଥା:(କ) ଗାମ୍ବୁସିଆ ଗାମ୍ବୁସିଆ (ଖ) ଗାମ୍ବୁସିଆ ଚାପ୍ରା (ଗ) ଗୌରାମୀ ଗୋରାମି, ତଥା ପାଣିଘାସ ଭକ୍ଷଣକାରୀ କାର୍ପ, ଏମାନେ ପାଣିରୁ ସମସ୍ତ ପ୍ରକାର ଜଳଜ ଗୁଳ୍ମ ତଥା ମଶା ଶୂକ ଓ ଅଣ୍ଡା ଖାଇ ପାଣିକୁ ପ୍ରଦୂଷଣମୁକ୍ତ କରନ୍ତି।
ସରକାରଙ୍କଠାରୁ ଆମ ସାଧାରଣ ନାଗରିକଙ୍କର ଦାୟିତ୍ୱବୋଧ ଜ୍ଞାନ ଅଧିକ ରହିବା ଉଚିତ। ସରକାର କୋଟି କୋଟି ଅର୍ଥ ଖର୍ଚ୍ଚକରି ପ୍ରକଳ୍ପର ରୂପ ଦେବେ ସିନା, ମାତ୍ର ଆମେ ତାହାର ସୁରକ୍ଷା, ରକ୍ଷଣାବେକ୍ଷଣ ଦାୟିତ୍ୱ ତୁଲାଇବା ଆବଶ୍ୟକ। ସ୍ବାର୍ଥପରତାର ବହୁ ଊର୍ଦ୍ଧ୍ୱରେ ରହି ସରକାରଙ୍କୁ ସହଯୋଗ କଲେ ଅଚିରେ ଏହି ମାଟିମାଆ ପୀଠରେ ଶାନ୍ତି ଓ ପ୍ରଶାନ୍ତିର ଗଙ୍ଗା, ଯମୁନା ଓ ସରସ୍ବତୀ ପ୍ରବାହିତ ହେବ। ପୃଥିବୀ ଏକମାତ୍ର ଜୀବଧାରୀ ଗ୍ରହ ହୋଇଥିବାରୁ ଆମେ ଏହାର ସର୍ବୋତ୍କୃଷ୍ଟ ଉପଯୋଗ କରିବା ଉଚିତ। ଛୋଟ ଶିଶୁକୁ ମାଆ ଯତ୍ନ ନେଲା ଭଳି ଆମେ କ’ଣ ଚାହିଁଲେ ଏହି ଧୀର ଜହରକୁ ମଧୁର ଜହରରେ ପରିଣତ କରିପାରିବାନି? ନିଶ୍ଚୟ ପାରିବା। ଅସମ୍ଭବ ବୋଲି ଶବ୍ଦ ବୋକାମାନଙ୍କ ଅଭିଧାନରେ ଅଛି। ତା’ ହେଲେ ଆସନ୍ତୁ ସଂକଳ୍ପ ନେବା, ସଚେତନ ହେବା, ସଦ୍ଭାବନା ମନରେ ସଦା ସୃଷ୍ଟି କରିବା ଓ ପରିବେଶ ଭାରସାମ୍ୟ ରକ୍ଷାକରି ଏକ ସତ୍ୟମ୍ ଶିବମ୍ ସୁନ୍ଦରମ୍ ପୃଥିବୀ ସୃଷ୍ଟି କରିବା।
ପରିବେଶବିତ୍,ମୋ: ୦୯୪୩୮୬୨୧୩୯୧