କୁହାଯାଏ, ଆଜିର ଶିଶୁ କାଲିର ଭବିଷ୍ୟତ! ସତକଥା ବି କାହିଁକି ନା ଅଧିକାଂଶ ଶିଶୁ ଅଳି କରନ୍ତି ପକେଟ୍ ମନି ପାଇଁ। ଯାହାକୁ ନେଇ ସେ ଖେଳନା କି ସୁସ୍ବାଦୁ ଖାଦ୍ୟ କିଣି ଖାଇବ। କିନ୍ତୁ ଏମିତିବି କିଛି ପିଲା ଅଛନ୍ତି ଯେଉଁମାନେ ସେମାନଙ୍କ ପକେଟ ମନିକୁ କେବଳ ନିଜ ପାଇଁ ଖର୍ଚ୍ଚ ନ କରି ଅନ୍ୟକୁ ସାହାଯ୍ୟ କରିବାରେ ଖର୍ଚ୍ଚ କରିଛନ୍ତି। ପିଲାଙ୍କୁ ଏକାଠି କରି ସେମାନଙ୍କ ପାଇଁ ଚକୋଲେଟ୍ ବିସ୍କୁଟ ଦେଇ ଗଛ ଲଗାଇଛନ୍ତି। ଏମାନଙ୍କ ପଛରେ ସେମାନଙ୍କ ପରିବାର ଓ ଗୁରୁଜନଙ୍କ ସୁପରାମର୍ଶ ନିଶ୍ଚିତ ଭାବରେ ରହିଛି ସତ ତଥାପି ଏଇ ପିଲାମାନେ ଆଗ୍ରହର ସହିତ ଏହିସବୁ କାମକୁ ସୁଚାରୁରୂପେ କରି ଚାଲିଛନ୍ତି। ଯାହାଙ୍କୁ ଦେଖି ଯେ କେହି କହିପାରିବେ ଶିଶୁ ହେଲେ କ’ଣ ହେଲା, ଏମାନଙ୍କର ମନ ବଡ଼। ଆଉ ଏମାନେ ଅନ୍ୟ ଶିଶୁଙ୍କ ପାଇଁ ବି ଉଦାହରଣ…
ପରୋପକାରରେ ମନ: ପିଲାଟି ଦିନରୁ ସେ କାହାରି ଦୁଃଖ ଦେଖିଲେ ସହିପାରୁ ନ ଥିଲେ। ଏବେ ସେ ୯ମ ଶ୍ରେଣୀର ଛାତ୍ରୀ। ସେ ହେଲେ ଆଦ୍ୟାଶା ହୋତା, ପିତା ରାଧାକାନ୍ତ ହୋତା, ମା’ ସନ୍ତୋଷିନୀ ହୋତା। ଘର ଖୋର୍ଦ୍ଧା ଜିଲା ବାଣପୁର ପୁଞ୍ଜିଆମା ଶାସନରେ। ସେ କୁହନ୍ତି, ମୋ ବାପା ଜଣେ ଫରେଷ୍ଟର। ଛୁଟି ସମୟରେ ତାଙ୍କ ସହ ଜଙ୍ଗଲ ବୁଲିବାକୁ ଯାଇଛି। ସ୍କୁଲରେ ପଢ଼ୁଥିବା ବେଳେ ଯଦି କେହି ସାଙ୍ଗ ମତେ କିଛି ସାହାଯ୍ୟ ପାଇଁ କୁହେ, ମୋ ଦ୍ୱାରା ଯାହା ହୋଇପାରିବ ସେତିକି ସାହାଯ୍ୟ କରେ। କିନ୍ତୁ ଦୁଃଖୀ ଲୋକଙ୍କୁ ଦେଖିଲେ କାନ୍ଦ ଲାଗେ। ଅସହାୟଙ୍କୁ ସାହାଯ୍ୟ କରିବା ପାଇଁ ବାପାମା’ଙ୍କୁ ବ୍ୟସ୍ତ କରିଥାଏ। ମୋ ପାଖରେ ସଞ୍ଚତ୍ତ ପକେଟ ମନିକୁ କେତେକ ବୃଦ୍ଧାଶ୍ରମରେ ଦାନ କରି ଖୁସି ହୋଇଛି। ମୋ ଜନ୍ମଦିନରେ ଚିକିତ୍ସାଳୟକୁ ଯାଇ ଗରିବ ଲୋକଙ୍କୁ ଫଳ ଓ କିଛି କିଛି ଟଙ୍କା ପ୍ରଦାନ କରିଥାଏ । ଏଥିରେ ପରିବାର ଲୋକେ ମୋତେ ସହଯୋଗ କରି ଖୁସି ହୁଅନ୍ତି। କେରଳ ବନ୍ୟା ବେଳେ ନିଜର ପକେଟ ମନି ସହିତ ବିଭିନ୍ନ ଲୋକଙ୍କଠାରୁ ସଂଗ୍ରହ କରିଥିବା ଟଙ୍କାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଦେଇଥିଲି। ଏଥିଯୋଗୁ ମୁଖ୍ୟମନ୍ତ୍ରୀଙ୍କଠାରୁ ମିଳିଛି ଏକ ପ୍ରମାଣପତ୍ର। ସେହିପରି ପାରିକୁଦରେ ରହୁଥିବା ସମୟରେ ସେଠାର ଦୁଇ ଗରିବ ପିଲାଙ୍କୁ ଚିକିତ୍ସା ପାଇଁ ନିଜ ସଞ୍ଚତ୍ତ ଅର୍ଥ ପ୍ରଦାନ କରିଛି। ରୋଟାରୀ କ୍ଲବ ଭୁବନେଶ୍ୱର, ଗ୍ରୀନ୍ ପାରିକୁଦ ମାରାଥନ୍ ଆଦିରୁ ସମ୍ମାନିତ ହୋଇଛି। ସେବାରୁ ମିଳୁଥିବା ଆତ୍ମତୃପ୍ତିକୁ ଅନୁଭବ କରି ମତେ ଖୁବ୍ ଖୁସି ଲାଗେ।
ସେବାରେ ସାନ୍ଭି ପ୍ରିୟା: ଯେଉଁ ବୟସରେ ପିଲାମାନେ ଖେଳକୁଦ ଓ ମୋବାଇଲ, ଟିଭି ଦେଖିବାରେ ବ୍ୟସ୍ତ ରୁହନ୍ତି। ସେ ବୟସରେ ସେ କରନ୍ତି ସମାଜସେବା। ୭ ବର୍ଷର ଝିଅ, ସମାଜସେବା କ’ଣ ଠିକ୍ସେ ବୁଝି ନ ପାରିଲେ ମଧ୍ୟ ସମାଜ ମଙ୍ଗଳ ପାଇଁ ସର୍ବଦା ବ୍ୟସ୍ତ ରହିଥାଏ। ଏଥିରେ ସେ ଖୁସି ମଧ୍ୟ ହୁଏ। ଦେଶମାତୃକା ପାଇଁ କିଛି ଭଲ କାମ କରିବାର ନିଶା ତାକୁ ସବୁବେଳେ ବ୍ୟସ୍ତ କରୁଥାଏ। ସେ ହେଲେ ଭୁବନେଶ୍ୱର ଝାରପଡ଼ା ଅଞ୍ଚଳର ସାନ୍ଭି ପ୍ରିୟା ସାମଲ। ପିତା ଶୁଭକାନ୍ତ ସାମଲ ଏବଂ ମାତା ସସ୍ମିତା ସାମଲ। ସାନଭି କୁହନ୍ତି, ଆଜକୁ ପ୍ରାୟ ୩ ବର୍ଷରୁ ଊର୍ଦ୍ଧ୍ୱ ହେବ ପରିବେଶ ସୁରକ୍ଷା ଏବଂ ସମାଜ ମଙ୍ଗଳ କାର୍ଯ୍ୟରେ ବାପାମା’ଙ୍କ ସହ ମିଶି କରୁଛି। ବେଳେବେଳେ ବାପାଙ୍କ ସହିତ କୁଆଖାଇ ନଦୀପଠାରୁୁ ବର୍ଜ୍ୟବସ୍ତୁ ସଫା କରିଥାଏ। ନଦୀପୋଲ ଉପରେ ଠିଆ ହୋଇ ଲୋକଙ୍କୁ ଅଳିଆ ନ ପକାଇବା ପାଇଁ କହିଥାଏ। କେତେସ୍ଥାନରେ କିଛି କିଛି ବୃକ୍ଷ ରୋପଣ କରିଛି। ବାୟୁ ପ୍ରଦୂଷଣରୁ ମୁକ୍ତି ପାଇଁ ସ୍କୁଲ ପିଲାଙ୍କ ସହ ମିଶି ଜନସଚେତନ କରିଥାଏ। ଏସବୁ କାମ ପାଇଁ ମୋ ମା’ବାପା,ଗୁରୁଜନ ଓ ଓ ସ୍କୁଲ ଶିକ୍ଷକଙ୍କଠାରୁ ପ୍ରେରଣା ମିଳୁଛି। ଏଥିପାଇଁ ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନରୁ ପୁରସ୍କୃତ ହୋଇଛି। ପରିବାରର କେହି ମୋତେ ଦେଇଥିବା ଟଙ୍କାକୁ ସଞ୍ଚୟ କରି ରଖିଥାଏ। ସେଥିରୁ କିଛି ଟଙ୍କା ପରିବେଶ ସୁରକ୍ଷା ଏବଂ ଅସହାୟ ପ୍ରାଣୀଙ୍କ ସେବାରେ ଲଗାଇଥାଏ। ଲୋକଙ୍କ ପାଇଁ ଭଲ କାମ କଲେ ଠାକୁର ମଙ୍ଗଳ କରନ୍ତି ବୋଲି ସମସ୍ତେ ମତେ କହିଛନ୍ତି।
ଖାଲି ସମୟରେ କରେ ଚାରା ରୋପଣ: ତାଙ୍କ ନାମ ଆୟୁଷ୍ମାନ୍ ମାଝୀ। ବୟସ ପ୍ରାୟ ୧୦ ବର୍ଷ। ପିତା ବୁଲାମଣି ମାଝୀ, ମାତା ଅମିତା ତରେଇ। ଗ୍ରାମ ପୁରୀ ଜିଲାର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଝାରକଟା ଗାଁରେ। ସେ କୁହନ୍ତି, ବଡ଼ଝାଡ଼ ଶିଶୁ ବିଦ୍ୟାମନ୍ଦିରର ଚତୁର୍ଥ ଶ୍ରେଣୀରେ ପଢ଼ୁଛି। ମୋର ସାଙ୍ଗ ଓ ଗୁରୁଜୀଙ୍କ ସହିତ ମିଶି ବିଭିନ୍ନ ଗଛ ଲଗାଇଥିଲୁ। ସେବେଠାରୁ ଗଛ ଲଗାଇବାରେ ମତେ ଖୁସି ଲାଗୁଛି। ୨୦୧୮ରୁ ୨୦୨୨ ମସିହା ମଧ୍ୟରେ ପ୍ରାୟ ୧୨୦୦ ଗଛ ଲଗାଇଛି। ବିଶେଷକରି ଚିଲିକା ଉପକୂଳବର୍ତ୍ତୀ କେତେକ ଜାଗାରେ ପ୍ରାୟ ଶତାଧିକ ତାଳ ଗୋଟମା ପକାଇଥିଲି, ସେଥିରୁ କେତେକ ଗଛ ହୋଇସାରିଲାଣି। ପ୍ରତିବର୍ଷ ମୋ ଜନ୍ମଦିନରେ ନାନା ପ୍ରକାର ବୃକ୍ଷଚାରା ରୋପଣ କରିଥାଏ। ଏମିତିରେ ଆମ ଗାଁ ନିକଟ ବିଭିନ୍ନ ସ୍କୁଲ ପରିସର, ମନ୍ଦିର ଓ ପାର୍କରେ କିଛି ଗଛ ଲଗାଇଛି। ଏଥିରେ ମୋତେ କେତେଜଣ ସାଙ୍ଗ ସାହାଯ୍ୟ କରିଥାନ୍ତି। ପ୍ରତିବର୍ଷ ଦଶହରା ଛୁଟିରେ ତାଳ ଗୁଟୁମା(ତାଳମଞ୍ଜି)ସଂଗ୍ରହ କରିଥାଏ। ଚଳିତବର୍ଷ କୃଷ୍ଣପ୍ରସାଦ ଅଞ୍ଚଳର ଶିପିଆ ଗାଁର ଖଣି ବନ୍ଧ ସୁରକ୍ଷା ନିମନ୍ତେ ସେଠାରେ ତାଳମଞ୍ଜି ଲଗାଇଛି।
ଆମ ଅଞ୍ଚଳର ଜୟଦୁର୍ଗା ସଂସ୍କୃତ ବିଦ୍ୟାପୀଠ, ଗୋପୀନାଥ ଦେବ ବିଦ୍ୟାପୀଠ, ମର୍ଦ୍ଦରାଜପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ, ନୂଆପଡ଼ା ମେଡିକାଲ ପରିସର, ପଥରକଟା ପାର୍କ, ଗୋମୁଣ୍ଡିଆ ବିଜୁ ପଟ୍ଟନାୟକ ପାର୍କ, ଝାରକଟା ୟୁପି ସ୍କୁଲ, ବଡ଼ଝାଡ଼ ପ୍ରାଇମେରି ସ୍କୁଲ୍ ପରିସରରେ କେତେକ ଗଛ ଲଗାଇଛି।
ମହାପୁରୁଷଙ୍କ ଜୀବନୀ ଦେଇଛି ପ୍ରେରଣା: ନାଁ ତାଙ୍କର ଧ୍ୟାନ୍ଚାନ୍ଦ ମହାପାତ୍ର, ପିତା- ଲଳିତ ନାରାୟଣ ମହାପାତ୍ର, ମାତା-ସସ୍ମିତା ମହାପାତ୍ର। ଘର ଖୋର୍ଦ୍ଧା ଜିଲା ଟାଙ୍ଗୀ ରତନପୁର ପାଟଣାରେ। ବର୍ତ୍ତମାନ ସେ ବଳରାମ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର। ସେ କୁହନ୍ତି, ମୋ ବାପା ଜଣେ ଶିକ୍ଷାବିତ୍। ସେ ଆମକୁ ସବୁବେଳେ ଭଲ ମଣିଷ ହେବା ପାଇଁ ବିଭିନ୍ନ ମହାପୁରୁଷଙ୍କ ଜୀବନୀ କଥା କୁହନ୍ତି। ଏମିତିରେ ପ୍ରତିଦିନ କିଛି ଶ୍ଳୋକ, ଦେଶବନ୍ଦନା ଅଭ୍ୟାସ କରିଥାଉ। କିନ୍ତୁ ମା’ବାପାଙ୍କଠାରୁ ଯେବେ କିଛିି ଟଙ୍କା ଆଣିଥାଏ ତାହାକୁ ଖର୍ଚ୍ଚ ନ କରି ସଞ୍ଚୟ କରି ରଖିଥାଏ । ଏଥିପାଇଁ ୨ଟି କୁମ୍ପି ବା ସରାଗାତ ରଖିଛି। ଆମ ଘରକୁ ଯେବେ ମାମୁଘର ଲୋକ ଆସନ୍ତି ମତେ ସେମାନେ କିଛି ଟଙ୍କା ଦେଇଥାନ୍ତି। ସେସବୁ ଟଙ୍କାକୁ କୁମ୍ପିରେ ସାଇତି ରଖିଥାଏ। ଗୋଟିଏ କୁମ୍ପିରେ ପ୍ରତିଦିନ କିଛି କିଛି ଟଙ୍କା ସଞ୍ଚୟ କରି ରଖେ, ଯାହା ରାଷ୍ଟ୍ର ନିର୍ମାଣ ପାଇଁ ପ୍ରଦାନ କରିଥାଏ। ଏଥିପାଇଁ ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମା ଦିନ ରାଷ୍ଟ୍ର ଉଦ୍ଦେଶ୍ୟରେ ସଞ୍ଚିତ ଅର୍ଥକୁ ସମର୍ପଣ କରିଥାଏ, ଯାହାକି ସମାଜର କେତେକ ଦୁଃଖୀରଙ୍କୀଙ୍କ ସେବାରେ ଲାଗିଥାଏ। ଛୁଟି ସମୟରେ ବର୍ଷାଦିନେ କେତେକ ସ୍ଥାନରେ ବିଭିନ୍ନ ଗଛ ଓ ଫୁଲଗଛ ଲଗାଇଥାଏ। ଖରାଦିନେ ବୁଲା ଗୋରୁଙ୍କୁ ଦେଖିଲେ ପାଖରେ ଯଦି କିଛି ଟଙ୍କା ଥାଏ ସେମାନଙ୍କୁ ବିସ୍କୁଟ କିଣି ଦିଏ। ଏବେ ପ୍ରତିଦିନ ସକାଳୁ ସକାଳୁ ସଂଘ ଶାଖାକୁ ଯାଏ । ଦେଶବନ୍ଦନା ଗାଏ, ଯୋଗ ପ୍ରାଣାୟମ କରେ। ମୋ ସହ ଆଉ କେତେଜଣ ସାଙ୍ଗ ମଧ୍ୟ ଏମିତି ଭଲ କାମ କରିଥାନ୍ତି। ଏଥିରେ ମତେ ଆନନ୍ଦ ମିଳେ। ଏପରି ତ୍ୟାଗ ଓ ଦାନ ସମ୍ପର୍କରେ ମୋ ବାପାଙ୍କଠାରୁ ଶିକ୍ଷାଲାଭ କରିଛି। ପରୋପକାରରେ ଖୁସି ହୁଏ।
ଚିତ୍ରରେ ପରିବେଶ ସୁରକ୍ଷା:ନାମ ତାଙ୍କର ଶ୍ରଦ୍ଧା ଦାସ, ୮ମ ଶ୍ରେଣୀର ଛାତ୍ରୀ। ପିତା ଶକ୍ତିପ୍ରସାଦ ଦାସ, ଜଣେ ଆଇନଜୀବୀ। ମାତା ଲଜ୍ଜିତା ପଟ୍ଟନାୟକ । ଘର ଖୋର୍ଦ୍ଧା ଜିଲାର କୁହୁଡ଼ିରେ। ସେ କୁହନ୍ତି, ଗାଁରେ ସରସ୍ବତୀ ଶିଶୁମନ୍ଦିରରେ ପଢୁଥିବାବେଳେ ସେତେବେଳେ ପ୍ରଥମେ ସିଲଟ ଉପରେ ଚକ୍ଖଡ଼ି ଦ୍ୱାରା ବିଭିନ୍ନ ଚିତ୍ର କରିବା ପାଇଁ ଗୁରୁଜୀ ଗୁରୁମାମାନେ ମତେ ଉତ୍ସାହିତ କରୁଥିଲେ। ତା’ପରେ ଯେଉଁ ଚିତ୍ର କରୁଥିଲି ସେତେଟା ଭଲ ହେଉ ନ ଥିଲା। ତଥାପି ସେମାନେ ମତେ ପ୍ରଶଂସା କରୁଥିଲେ। ଏମିତିରେ ଧୀରେ ଧୀରେ କାଗଜରେ କେତେକ ଚିତ୍ର ଅଙ୍କନ କଲି, ଯାହା ଥିଲା ପରିବେଶ ସୁରକ୍ଷା ସମ୍ପର୍କରେ। ପୁଣି ରାସ୍ତାରେ ଘରକୁ ଫେରୁଥିବା ବେଳେ ବାଟରେ ଯାହା ଦେଖେ ସେସବୁକୁ ଘରକୁ ଯାଇ ଅଙ୍କନ କରିବାକୁ ପ୍ରୟାସ କରିଥାଏ। ଏପରି କି ଘର କାନ୍ଥରେ ମଧ୍ୟ ପେନ୍ସିଲ ଓ ଚକ୍ରେ ବିଭିନ୍ନ ଗଛଲତାର ସୁରକ୍ଷା, ପଶୁପକ୍ଷୀ ଏବଂ ଝୋଟିର ଚିତ୍ର ଅଙ୍କନ କରୁଥିଲି। ତା’ପରେ ମାମୁଘର ହରିପୁରରେ ମଧ୍ୟ ଏମିତି ଚିତ୍ର କରିବା ଅଭ୍ୟାସ ଚାଲିଲା। ମୋ ଅଜା ଲଳିତ ମୋହନ ପଟ୍ଟନାୟକ ମତେ ପ୍ରଶଂସା କରୁଥିଲେ। ମୋ ସାନଅଜା ଲଲାଟ ମୋହନ ପଟ୍ଟନାୟକ, ଯିଏକି ଓଡ଼ିଶାର ଜଣେ ବିଶିଷ୍ଟ ଚିତ୍ରଶିଳ୍ପୀ। ସେ ମୋର ଚିତ୍ର ଦେଖି ଖୁବ୍ ପ୍ରଶଂସା କରିଥିଲେ। ମୋତେ ପରାମର୍ଶ ଦେଇ ରଙ୍ଗତୂଳୀ ଦେଇଛନ୍ତି। ସେ ଆଙ୍କିଥିବା ଚିତ୍ରକୁ ଦେଖି ସେମିତି କରିବାକୁ ଚେଷ୍ଟା କଲି। ଘରେ ଅଦରକାରୀ ପ୍ଲାଷ୍ଟିକ୍ ବୋତଲ, ଦିଆସିଲ ଖୋଳ, ଧୂପକାଠି ଖୋଳ ଆଦିକୁ ନେଇ ବିଭିନ୍ନ ହସ୍ତଶିଳ୍ପ ବି ତିଆରି କରିଲି। ଆଉ ଏଥିଯୋଗୁ ସ୍କୁଲରେ ପୁରସ୍କୃତ ହୋଇଛି। ଗୁରୁଦିବସ, ରଜ, ରାଖୀପୂର୍ଣ୍ଣିମାରେ ବିଭିନ୍ନ ଚିତ୍ର ତିଆରି କରିଥାଏ। ଚାଉଳ, ହରଡ଼ ଡାଲିରେ ମଧ୍ୟ ବିଭିନ୍ନ ଚିତ୍ର କରିଥାଏ। ଏତଦ୍ବ୍ୟତୀତ ବୁଲା ଗାଈଗୋରୁଙ୍କୁ ଦେଖିଲେ ସେମାନଙ୍କ ପାଖକୁ ଆସି ବିସ୍କୁଟ, ଫଳ ଖାଇବାକୁ ଦେଇଥାଏ। ଆଉ ଘରେ ସଞ୍ଚୟ କରି ରଖିଥିବା ପକେଟ ମନିରୁ କେହି ଅଭାବୀ ପିଲାଙ୍କୁ ଦେଇ ଖୁସି ହୋଇଥାଏ। ସେମାନଙ୍କୁ ପରିବେଶ ସୁରକ୍ଷାର ଚିତ୍ର ପ୍ରଦାନ କରେ। ଏଥିରେ ବି ମତେ ଖୁସି ଲାଗେ।
ସୁସ୍ଥ ପରିବେଶ ଚିନ୍ତା: ଦୀପାବଳି ହେଉ କି ହୋଲି। ରାସାୟନିକ ଦ୍ରବ୍ୟରେ ତିଆରି ରଙ୍ଗ କିମ୍ବା ଶବ୍ଦ ପ୍ରଦୂଷଣକାରୀ ବିଭିନ୍ନ ଆତସବାଜିକୁ ବ୍ୟବହାର କରନ୍ତି ନାହିଁ। ପରିବେଶ ସୁରକ୍ଷା ନିମନ୍ତେ ପ୍ରାକୃତିକ ରଙ୍ଗକୁ ବ୍ୟବହାର କରି ହୋଲି ପାଳନ କରନ୍ତି। ଠିକ୍ ସେମିତି ବେଲୁନ ଫୁଟାଇ ଏବଂ ଦୀପ ଜାଳିି ଦୀପାବଳି ପାଳନ କରନ୍ତି। କେବଳ ସେତିକି ନୁହେଁ, ପରିବେଶ ସୁରକ୍ଷା ନିମନ୍ତେ ବୃକ୍ଷ ରୋପଣ କାର୍ଯ୍ୟରେ ସେ ସାମିଲ ହୋଇଥାନ୍ତି । ସେ ହେଲେ ଶାନ୍ତୁନ କୁମାର ସାହୁ, ବୟସ ପ୍ରାୟ ୭ ବର୍ଷ। ଭୀମଟାଙ୍ଗୀ ସରସ୍ବତୀ ଶିଶୁମନ୍ଦିର ଛାତ୍ର। ଭୁବନେଶ୍ୱରର ପୋଖରୀପୁଟ ଅଞ୍ଚଳରେ ରୁହନ୍ତି। ସେ କୁହନ୍ତି, ପରିବେଶ ସୁରକ୍ଷା ନିମନ୍ତେ ବିଭିନ୍ନ ଚିତ୍ର ଅଙ୍କନ କରି ଜନସଚେତନତା ସୃଷ୍ଟି କରିଥାଏ। ମୋ ବାପା ସୁଶାନ୍ତ ସାହୁ ଜଣେ ସାମାଜିକ କର୍ମୀ ଆଉ ପରିବେଶବିତ୍ ମଧ୍ୟ। ମା’ ଜଣେ ଚିତ୍ରଶିଳ୍ପୀ। ତେବେ ଆମ ଘରେ ମା’ବାପା ଯେଉଁ ସାମାଜିକ କାର୍ଯ୍ୟ କରନ୍ତି ସେଥିରେ ସାମିଲ ହୋଇଥାଏ। ଏମିତିରେ ମୋର ପରିବେଶ ସୁରକ୍ଷାର ଚିତ୍ର ଅଙ୍କନ ଅଭ୍ୟାସ ହୋଇଗଲାଣି। ଏହା ମତେ ଖୁବ୍ ଭଲ ଲାଗୁଛି। ବାପାଙ୍କ ସହିତ ଯାଇ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇଥାଏ। ଏଥିରେ ମତେ ଖୁବ୍ ଉତ୍ସାହ ଲାଗେ। ଜଳର ସୁରକ୍ଷା ନେଇ ଜଳ ଓ କ୍ଷୀର ଉପରେ ଏକ ସ୍ବତନ୍ତ୍ର ଚିତ୍ର ଅଙ୍କନ କରିଛି, ଯାହା ଦିନେ ଜଳର ସଙ୍କଟ ଯୋଗୁ କ୍ଷୀରଠାରୁ ବି ଜଳ ମହଙ୍ଗା ହୋଇପଡ଼ିବ। ଏଥିପାଇଁ ସମସ୍ତେ ଜଳର ସଂରକ୍ଷଣ କଥା ଚିନ୍ତା କରିବା ଉଚିତ । ଜଳର ଉପଯୁକ୍ତ ବ୍ୟବହାର ପ୍ରତି ଯତ୍ନବାନ ହେବାକୁ ପଡ଼ିବ। ଏହି ଚିତ୍ର ପାଇଁ କେତେଜଣ ପରିବେଶପ୍ରେମୀଙ୍କ ପାଖରେ ସୁପରିଚିତ ହୋଇପାରିଛି। ପରିବେଶ ସୁରକ୍ଷା ନିମନ୍ତେ ବୃକ୍ଷରୋପଣ ଚିତ୍ରରେ ସର୍ବଦା ମନ ବଳାଇଥାଏ ।
ପରୋପକାର ରାସ୍ତା ଦେଖାଇଛି ପିଗି ବ୍ୟାଙ୍କ: ନିଷ୍ଠା ଦାଶ ସେଣ୍ଟ ଜାଭିଅର କିଡ୍ସରେ ଷ୍ଟାଣ୍ଡର୍ଡ ସେଭେନର ଛାତ୍ରୀ। ନିଷ୍ଠାଙ୍କ ତାଙ୍କ ପିଗି ବ୍ୟାଙ୍କର ପ୍ରାୟ ପଇସା ଗଛ ଲଗାଇବା ଓ ଗରିବ ପିଲାଙ୍କୁ ରବର, ପେନ୍ସିଲ କିଣିବା ଓ ବୃଦ୍ଧାବୃଦ୍ଧମାନଙ୍କୁ ବିଭିନ୍ନ ଖାଇବା ଜିନିଷ ଦେବାରେ ହିଁ ଖର୍ଚ୍ଚ କରିଥାନ୍ତି। ସେ କୁହନ୍ତି, ‘ମୋର ପିଗି ବ୍ୟାଙ୍କରେ ପ୍ରାୟ ସବୁଦିନ କିଛି କିଛି ଜମା ରହେ। ଘର ପାଖରେ ଥିବା ଦୋକାନକୁ ସବୁଦିନ ସଉଦା ଆଣିବାକୁ ଯାଏ। ଗାଁ ଦୋକାନ ଥିବାରୁ ଏକାବେଳେକେ ସବୁ ନ କିଣି ଅଳ୍ପ ଅଳ୍ପ ଆଣିବାକୁ ହୁଏ। ବାବା ମାମାଙ୍କ ପାଖରେ ଯେତେବେଳେ ଖୁଚୁରା ନଥାଏ, ମୋତେ ବଡ଼ ନୋଟ ମିଳେ ଭଙ୍ଗେଇକି ଜିନିଷ କିଣିବାକୁ। ସଉଦା କିଣିଲା ପରେ ଯାହା ପଇସା ବଳେ ମୁଁ ରଖିପକାଏ ମୋ ପିଗି ବ୍ୟାଙ୍କରେ। ସେହି ପଇସା ପାଇଁ ମୋତେ ଘରେ କେହି ପଚାରନ୍ତି ନାହିଁ। ଏହାଛଡା ଘରକୁ ବୁଲି ଆସିଥିବା ମାଉସୀ, ଆଈ, ପିଉସୀ, ମାମୁଁମାନେ ମୋତେ ହାତ ଖର୍ଚ୍ଚ ପାଇଁ ପଇସା ଦିଅନ୍ତି। ଛୋଟ ପିଲାଙ୍କର ଦଶ ଟଙ୍କା ବହୁତ ବୋଲି ମାମା ବୁଝେଇଥାଏ କିନ୍ତୁ ସେମାନେ ନମାନି ମୋତେ ଅଧିକ ପଇସା ଦିଅନ୍ତି । ମାମା ପାଖରେ ପଇସା ନଥିଲେ ସେ ମୋତେ ମାଗିକି ନିଏ। ପରେ ଅଧିକ କରି ଫେରାଏ। ତେଣୁ କିଛି କିଣା ବିକା ହେବାର ଥିଲେ ଜେଜେମା, ମାମା , ବାବା ଆଗ ମୋତେ ପଚାରନ୍ତି ପଇସା ଅଛି ଯଦି କିଣି ଦେବୁ କି ! ମୋ ପଇସା ମୁଁ ଖର୍ଚ୍ଚ କଲେ କେହି କିଛି କହୁ ନ ଥିବାରୁ ମୁଁ ନର୍ସରୀରୁ ବିଭିନ୍ନ ଗଛ ଚାରା ଏବଂ ଫୁଲ କୁଣ୍ଡ କିଣେ ଓ ମୋର ସାଙ୍ଗମାନଙ୍କୁ ଡାକି ସମସ୍ତେ ମିଶି ଗଛ ଲଗାଉ। ୟୁଟ୍ୟୁବ ଦେଖି ହ୍ୟାଣ୍ଡ ମେଡ କ୍ରାଫ୍ଟ ପାଇଁ ଜିନିଷ କିଣେ। ଜନ୍ମଦିନ, ନୂଆବର୍ଷ, ରାକ୍ଷୀ ପାଇଁ ନିଜେ ଉପହାର ତିଆରି କରି ସମସ୍ତଙ୍କୁ ଦିଏ। ଜେଜେ ମାଆଙ୍କ ପାଟିକୁ ଭଲ ଲାଗିଲା ଭଳି ଖାଇବା ଜିନିଷ ୟୁ ଟ୍ୟୁବ ଦେଖି କରେ। ମୋ ସହ ସାଙ୍ଗ ହେଉଥିବା ଛୋଟ ଛୋଟ ପିଲା ଯାହାଙ୍କର କଲମ, କଲର, ପେନ୍ସିଲ, ଆଦି ନ ଥାଏ ମୁଁ ସେମାନଙ୍କୁ କିଣିକି ଦିଏ। ଅନେକ ସମୟରେ ଚକୋଲେଟ, ବିସ୍କୁଟ ଆଦି କିଣି ମିଶିକି ଖାଉ। ଦୋକାନରୁ ନିଜ ପଇସାରୁ କିଣି ନୂଆ ପ୍ରକାରର ଖାଇବା ଜିନିଷ ତିଆରି କରି ଜେଜେମାଙ୍କୁ ଦିଏ । ସେ ବହୁତ ଖୁସି ହୁଅନ୍ତି । ସମସ୍ତଙ୍କୁ ମୋ ରୋଷେଇ ଏବଂ କାମ ବିଷୟରେ ପ୍ରଶଂସା କରନ୍ତି । ଆମ ସ୍କୁଲରେ” ଗଛଟିଏ , ପିଲାଟିଏ“ କୁହା ହୁଏ। ତେଣୁ ସୁବିଧା ପାଇଲେ ମୁଁ ଗଛ ଲଗାଏ। ଗଛ ଲଗେଇବାକୁ ନେଇ ମୁଁ ମୋ ୟୁ ଟ୍ୟୁବ ଚ୍ୟାନେଲରେ ସମସ୍ତଙ୍କୁ କୁହେ। ମୁଁ ମୋ ସାଙ୍ଗମାନେ ମିଶି ଘର, ସ୍କୁଲ ଓ ଆମ ପାଖ ରାସ୍ତାରେବହୁତ ଗଛ ଲଗେଇଛୁ।
-ବନବିହାରୀ ବେହେରା, କୈଳାସ ପଟ୍ଟନାୟକ