ଶିଳରେ ବାଟୁଥିଲେ ମା’; କଷ୍ଟ ଦେଖି କୁମ୍ପି ଭାଙ୍ଗି ଧନତେରସରେ ଗ୍ରାଇଣ୍ଡର ଉପହାର ଦେଲେ କୁନି ଝିଅ

ପ୍ରେମଚନ୍ଦଙ୍କ କାହାଣୀ ‘ଇଦ୍‌ଗାହ’ ନିଜର ସାରକଥାକୁ ନେଇ ଆଜିବି ଜନମାନସରେ ଲୋକପ୍ରିୟ ହୋଇ ରହିଛି। ଯେବେ ବି କେହି ଏହି କାହାଣୀ ପଢ଼େ, ହୃଦୟକୁ ଛୁଇଁଯାଏ। ଏହି କାହାଣୀରେ ଜଣେ ପୁଅ ନିଜ ମା’ଙ୍କୁ ଉପହାର ଦେବାକୁ ଏକ ଚିମୁଟା ଦେଇଥିଲେ। ଆପଣ ଭାବୁଥିବେ କ’ଣ ପାଇଁ। କାରଣ ରୁଟି କରିବା ସମୟରେ ତାଙ୍କ ମା’ଙ୍କ ହାତ ପୋଡ଼ି ଯାଉଥିଲା। ସେ ତାଙ୍କୁ କଷ୍ଟରେ ଦେଖିପାରୁ ନ ଥିଲେ।

ଠିକ ଏଭଳି ଏକ ବାସ୍ତବ ଘଟଣା ବିହାରର ଦରଭଙ୍ଗାରେ ଦେଖିବାକୁ ମିଳିଛି। ଧନତେରସ ଅବସରରେ ଲାଡ଼ଲୀ କୁମାରୀ ନାମକ ଏକ ଛୋଟ ଝିଅ ମା’ଙ୍କୁ ଏଭଳି ଏକ ଉପହାର ଦେଇଛନ୍ତି, ଯାହା ସମସ୍ତଙ୍କ ହୃଦୟକୁ ଛୁଉଁଛି। ତାଙ୍କ ମା’ ଶିଳରେ ମସଲା ସହ ଅନ୍ୟାନ୍ୟ ଖାଦ୍ୟପେୟର ସାମଗ୍ରୀ ବାଟୁଥିବା ସେ ଦେଖୁଥିଲେ। ଏଥିଲାଗି ବହୁତ ସମୟ ଲାଗୁଥିଲା। କେବଳ ସେତିକି ନୁହେଁ ବହୁତ ପରିଶ୍ରମ କରିବାକୁ ମଧ୍ୟ ପଡ଼ୁଥିଲା। ଏଥିଯୋଗୁ ସେ ନିଜର ‘କୁମ୍ପି’ରେ ରଖିଥିବା ଟଙ୍କାକୁ ଧନତେରସରେ ଭାଙ୍ଗି ଏକ ଗ୍ରାଇଣ୍ଡର କିଣିବାକୁ ମନ ବଳାଇଥିଲେ। ତେବେ ସେ ରଖିଥିବା ଟଙ୍କା ନିଅଣ୍ଟ ପଡ଼ିଥିଲା। ହେଲେ ପିଲା ଭାବେ ତାଙ୍କ ଚିନ୍ତାଧାରାକୁ ଦେଖି ଦୋକାନୀଙ୍କ ହୃଦୟ ତରଳି ଯାଇଥିଲା। ସେ ଝିଅଟିକୁ ଗ୍ରାଇଣ୍ଡରର ଦାମ୍‌ କମ୍‌ କରି ଦେଇଥିଲେ।

ପିଲାଟି ଅନୁଯାୟୀ, ତାଙ୍କୁ ବାପା ଖର୍ଚ୍ଚ କରିବାକୁ କିଛି ଟଙ୍କା ଦେଉଥିଲେ। ସେ ତାକୁ ନିଜର କୁମ୍ପିରେ ପକାଇ ରଖୁଥିଲେ। ଧନତେରସରେ ସେ ମା’ଙ୍କୁ ଉପହାର ଦେବାକୁ ଭାବିଥିଲେ। ସେ ଭାଇଙ୍କ ସହ ଦୋକାନ ଯାଇଥିଲେ। ଦୋକାନୀ ତାଙ୍କର ଭଲପାଇବା ଦେଖି ୧୮୦୦ ଟଙ୍କାରେ ଗ୍ରାଇଣ୍ଡର ଦେଇଥିଲେ।

Share