Advertisement

ଇକୋ ରିଟ୍ରିଟ୍‌ରେ ଖୋଲିଲା କ୍ଷୁଦ୍ରଦାନା ଶସ୍ୟର ଷ୍ଟଲ୍‌, ପର୍ଯ୍ୟଟକଙ୍କୁ ମିଳିବ ମାଣ୍ଡିଆ-କାଙ୍ଗୁ

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ସରକାରଙ୍କ ଶ୍ରୀଅନ୍ନ ଅଭିଯାନରେ ପର୍ଯ୍ୟଟକଙ୍କୁ ଏବେ ହାତ ପାହାନ୍ତାରେ ମିଳିବ କ୍ଷୁଦ୍ରଦାନା ଶସ୍ୟରେ ପ୍ରସ୍ତୁତି ସମସ୍ତ ପ୍ରକାର ଖାଦ୍ୟ। ଏହାକୁ ସରକାରଙ୍କ ଶ୍ରୀଅନ୍ନ ଅଭିଯାନରେ ମିଶନ ଶକ୍ତିର ମହିଳାମାନେ ପ୍ରସ୍ତୁତି କରି ବିକ୍ରି କରିବେ। ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ୍‌ ପରିସର ମଧ୍ୟରେ ଶୁକ୍ରବାର ଏହାର ଶୁଭ ଉଦ୍‌ଘାଟନ କରାଯାଇଛି। ଏହାକୁ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ବିଜୟଲକ୍ଷ୍ମୀ ବେହେରା ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଠ, ବ୍ଲକ କୃଷି ଅଧିକାରୀ ସୀତାଂଶୁ ମଲିକ ଓ ଅନ୍ୟ ଅଧିକାରୀମାନେ ଯୋଗଦେଇଥିଲେ। ଓଡ଼ିଶା ରାଜ୍ୟ ପର୍ଯ୍ୟଟନ ବିଭାଗ ଓ କୃଷି ବିଭାଗ, ଶ୍ରୀଅନ୍ନ ଅଭିଯାନ ପକ୍ଷରୁ ମିଳିତ ଭାବେ ଏହାକୁ ପରିଚାଳନା କରାଯାଇଛି। ଏହି ଅଭିଯାନର ସରକାରଙ୍କ ସହ ସହାଭାଗିତାରେ କାର୍ଯ୍ୟ କରୁଥିବା ଜାଗୃତି ଅନୁଷ୍ଠାନ ଜାଗୃତି ଏଥିରେ ସହଯୋଗ କରିଛି। ଦାରିଙ୍ଗବାଡ଼ିକୁ ବୁଲି ଆସୁଥିବା ଓ ଇକୋ ରିଟ୍ରିଟ୍‌ରେ ରାତ୍ରିଯାପନ କରୁଥିବା ପର୍ଯ୍ୟଟକଙ୍କୁ ମାଣ୍ଡିଆରେ ପ୍ରସ୍ତୁତି ବିଭିନ୍ନ ପ୍ରକାର ପିଠା, ମିଠା, ସହ ଅନ୍ୟ ଖାଦ୍ୟ ସୁବିଧାରେ ମିଳିପାରିବ। ଏଥିସହ କାଙ୍ଗୁ, କୁଏରୀରେ ପ୍ରସ୍ତୁତି ଖାଦ୍ୟ ଓ ଶସ୍ୟ ମିଳିପାରିବ। ଏହା ଦ୍ୱାରା କ୍ଷୁଦ୍ରଦାନା ଶସ୍ୟର ବହୁଳ ପ୍ରଚାର ହେବା ସହ ପର୍ଯ୍ୟଟକ ଜୈବିକ ପଦ୍ଧତିରେ କରାଯାଉଥିବା ଏହି କ୍ଷୁଦ୍ରଦାନା ଶସ୍ୟର ସାମଗ୍ରୀ ପାଇପାରିବେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share