ସ୍ମାର୍ଟ କିଓସ୍କ: ବିଏସ୍‌ସିଏଲ୍‌ର ଯୋଜନା ଫେଲ୍‌

ଭୁବନେଶ୍ୱର,୨୮।୧୦(ବ୍ୟୁରୋ):ରାଜଧାନୀବାସୀଙ୍କ ଜୀବନଶୈଳୀକୁ ସରଳ ଓ ସ୍ମାର୍ଟ କରିବା ପାଇଁ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ପକ୍ଷରୁ ବିଭିନ୍ନ ଯୋଜନା ହାତକୁ ନିଆଯାଉଛି। ସହରରେ ସ୍ମାର୍ଟ କିଓସ୍କ ସ୍ଥାପନ କରି ସ୍ମାର୍ଟ ଟେକ୍ନୋଲୋଜି ମାଧ୍ୟମରେ ସହରବାସୀଙ୍କୁ ହାତ ପାଆନ୍ତାରେ ସେବା ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଥିଲା। ସହରବାସୀ ତଥା ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏହି କିଓସ୍କଗୁଡ଼ିକ ସ୍ଥାପନ କରାଯାଇଥିବାବେଳେ ଇଣ୍ଟରନେଟ୍‌ ସମସ୍ୟା କାରଣରୁ ଅନେକ ସମୟରେ କାମ କରୁ ନ ଥିବା ଅଭିଯୋଗ ହେଉଛି। ପୁଣି ଅଧିକାଂଶ ଲୋକ ଏହାର ବ୍ୟବହାର ଜାଣି ନାହାନ୍ତି। ପରିଚାଳନାଗତ ତ୍ରୁଟି ଓ ଜନସଚେତନତା ଅଭାବରୁ ସ୍ମାର୍ଟ କିଓସ୍କଗୁଡ଼ିକ ସେବା ଯୋଗାଇବାରେ ବିଫଳ ହୋଇଛି। ଏହାକୁ ନେଇ ବୁଦ୍ଧିଜୀବିଙ୍କ ମହଲରେ ଅନନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଲୋକଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ‘ସ୍ମାର୍ଟ କିଓସ୍କ ବ୍ୟବହାର କରୁଛି କିଏ?’
ସର୍ବସାଧାରଣ ସ୍ଥାନ ମଲ୍‌, ପାର୍କ, ରେଲଓ୍ବେ ଷ୍ଟେଶନ, ବସ୍‌ ଷ୍ଟପ୍‌, ଶିକ୍ଷାନଷ୍ଠାନ ତଥା ପର୍ଯ୍ୟଟନସ୍ଥଳୀରେ ସ୍ମାର୍ଟ ଡିଜିଟାଲ କିଓସ୍କଗୁଡିକ ସ୍ଥାପନ କରାଯାଇଛି। ଜନ୍ମମୃତ୍ୟୁ ଓ ବିବାହ ପଞ୍ଜୀକରଣ, ଟ୍ରେଡ୍‌ ଲାଇସେନ୍ସ ପାଇଁ ଆବେଦନ, ବସ୍‌ ଓ ଟ୍ରେନ୍‌ ଟିକେଟ୍‌, କ୍ୟାବ୍‌ ବୁକିଂ ଆଦିର ସୁବିଧା ଏହି କିଓସ୍କରେ ଉପଲବ୍ଧ ହେଉଥିବାବେଳେ ରାଜଧାନୀବାସୀ ଏ ସମ୍ପର୍କରେ ଅବଗତ ନାହାନ୍ତି। ଫ୍ରି ଓ୍ବାଇଫାଇ, ଫ୍ରି କଲିଂ ସୁବିଧା ରହୁଥିଲେ ମଧ୍ୟ ପରିଚାଳନାଗତ ସମସ୍ୟା ଭୋଗୁଛନ୍ତି ଉପଭୋକ୍ତା। ଜରୁରୀକାଳୀନ ପରିସ୍ଥିତିରେ ନିକଟବର୍ତ୍ତୀ ଥାନା କିମ୍ବା ହସ୍ପିଟାଲକୁ ଯୋଗାଯୋଗ କରିବାର ସୁବିଧା ରହିଥିଲେ ମଧ୍ୟ ନାଗରିକ ଏହାର ବ୍ୟବହାର ସମ୍ପର୍କରେ ଜାଣିନାହାନ୍ତି। ଏଥିରେ ପାଣି ଓ ବିଦ୍ୟୁତ ବିଲ୍‌ ପୈଠ କରିବା ସୁବିଧା ରହିଥିଲେ ମଧ୍ୟ ଲୋକମାନେ ପୂର୍ବପରି ସଂପୃକ୍ତ ବିଭାଗରେ ଲାଇନ୍‌ରେ ଠିଆ ହୋଇ ହଟହଟା ହେଉଛନ୍ତି। ରାଜଧାନୀର ଅନେକ ଶିକ୍ଷିତ ଲୋକ ମଧ୍ୟ ସ୍କାର୍ଟ କିଓସ୍କ ବିଷୟରେ ଅବଗତ ନାହାନ୍ତି। ସେହିପରି ରକ୍ଷଣାବେକ୍ଷଣା ଅଭାବରୁ ଅନେକ ଅଚଳାବସ୍ଥାକୁ ଚାଲିଯାଇଛି।
ସୂଚନା ଥାଉ କି, ୨୦୨୦ ସୁଦ୍ଧା ହୋଇଥିବା ଯୋଜନା ଅନୁସାରେ ସହରରେ ମୋଟ ୭୫ଟି ସ୍ମାର୍ଟ କିଓସ୍କ ସ୍ଥାପନ କରାଯିବାର ଥିଲା। ସେଥିମଧ୍ୟରୁ ୫୦ଟି ଇନ୍‌ଡୋର ଓ ୨୫ଟି ଆଉଟଡୋର୍‌ ସ୍ମାର୍ଟ କିଓସ୍କ। ତେବେ ବର୍ତ୍ତମାନ ସୁଦ୍ଧା ୬୨ଟି ସ୍ମାର୍ଟ କିଓସ୍କ ସ୍ଥାପନ କରାଯାଇଛି। ୨୫ଟି ଆଉଟ୍‌ଡୋର କିଓସ୍କ ମଧ୍ୟରୁ ୧୮ଟି କାର୍ଯ୍ୟକ୍ଷମ ଥିବାଲେ ମଧ୍ୟ ଅଧିକାଂଶ ଅନୁପଯୋଗୀ ଓ ଅଚଳ। ଅବଶିଷ୍ଟ କିଓସ୍କଗୁଡ଼ିକ ଖୁବ୍‌ଶୀଘ୍ର ସ୍ଥାପନ କରାଯିବ ବୋଲି ବିଏସ୍‌ସିଏଲର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Share