ସ୍ମାର୍ଟ ମିଟର ସୁରକ୍ଷିତ, ଭରସାଯୋଗ୍ୟ: ଟିପିଡବ୍ଲ୍ୟୁଓଡିଏଲ୍‌

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ):ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍‌ ବିତରଣ କମ୍ପାନୀ ଟିପିଡବ୍ଲ୍ୟୁଓଡିଏଲ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ଯୋଗାଇ ଦେବା ସହ ଗ୍ରାହକ ସେବା ପାଇଁ ସଦାସର୍ବାଦା ପ୍ରତିଶ୍ରୁତିବଦ୍ଧ ରହିଛି । ସ୍ମାର୍ଟ ମିଟର ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ଓ ଭରସାଯୋଗ୍ୟ। ଶୁକ୍ରବାର ବରଗଡ଼ର ଏକ ହୋଟେଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରବୀଣ ବର୍ମା ଏହା କହିଛନ୍ତି। ସେ ଆହୁରି କହିଥିଲେ, ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ କମ୍ପାନୀ ପକ୍ଷରୁ ସମସ୍ତ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ସ୍ମାର୍ଟ ମିଟର ବସାଯାଉଛି । ଏହି ସ୍ମାର୍ଟ ମିଟର ସମ୍ପୂର୍ଣ୍ଣ ରୂପେ ଠିକ୍‌ ବିଦ୍ୟୁତ୍‌ ବ୍ୟବହାରକୁ ପରଖିଥାଏ ଏବଂ ଠିକ ଭାବେ ଗ୍ରାହକଙ୍କ ବ୍ୟବହାର ଅନୁଯାୟୀ ମିଟର ରିଡ଼ିଂ ଦର୍ଶାଇଥାଏ। ସ୍ମାର୍ଟ ମିଟର କେବଳ କମ୍ପାନୀର କମ୍ପ୍ୟୁଟର ସହିତ ଅଟୋମେଟିକ ଯୋଗସୂତ୍ର ରକ୍ଷା କରିଥାଏ। ଏହାଦ୍ୱାରା ଗ୍ରାହକମାନଙ୍କ ମିଟର ରିଡ଼ିଂ ପ୍ରତ୍ୟେକ ୩୦ଦିନ ବ୍ୟବଧାନରେ କମ୍ପାନୀର କମ୍ପ୍ୟୁଟର ଦ୍ୱାରା ସଂଗ୍ରହ କରାଯାଇଥାଏ ଏବଂ ତଦନୁସାରେ ଗ୍ରାହକମାନଙ୍କୁ ମାସିକ ବିଲ ଯୋଗାଇ ଦିଆଯାଏ । ସମସ୍ତ ସ୍ମାର୍ଟ ମିଟର କମ୍ପାନୀ ଦ୍ୱାରା ଲାବୋରେଟୋରୀରେ ପରୀକ୍ଷା କରିବା ପରେ ଗ୍ରାହକଙ୍କ ଗୃହ ପରିସରରେ ଲଗାଯାଇଥାଏ ଏବଂ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ନିର୍ଭରଯୋଗ୍ୟ। ଯଦି କୌଣସି ଗ୍ରାହକଙ୍କ ମନରେ ସ୍ମାର୍ଟ ମିଟରର ଉପକାରିତା ବାବଦରେ ସନ୍ଦେହ ଉପୁଜୁଥାଏ, ତେବେ ଗ୍ରାହକମାନେ କମ୍ପାନୀର ୨୪ଘଣ୍ଟିଆ ଦେୟମୁକ୍ତ ଗ୍ରାହକ ସେବା କେନ୍ଦ୍ର ସହିତ ସମ୍ପର୍କ କରି ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ମିଟର ପରୀକ୍ଷା କରିବା ପାଇଁ ଅନୁରୋଧ କରିପାରିବେ ଏବଂ ଗ୍ରାହକଙ୍କ ଅନୁରୋଧ ଅନୁଯାୟୀ ଟିପିଡବ୍ଲ୍ୟୁଓଡିଏଲ ତରଫରୁ ଗ୍ରାହକଙ୍କ ଗୃହ ପରିସରରେ ସ୍ମାର୍ଟ ମିଟରକୁ ପରୀକ୍ଷା କରାଯିବ ବୋଲି ବର୍ମା ଖବରଦାତା ସମ୍ମିଳନୀରେ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କମ୍ପାନୀର ଅପରେସନ ମୁଖ୍ୟ ଆଶିଷ କୁମାର ପାଟ୍ଟଯୋଶୀ, କମ୍ପାନୀର ବାଣିଜିକ ମୁଖ୍ୟ ପି. ପି. ତେନ୍ଦୁଲକର ଏବଂ ବରଗଡ଼ ବିଦ୍ୟୁତ୍‌ ମଣ୍ଡଳର ମୁଖ୍ୟ ସୁରେନ୍ଦ୍ର ହୋତା ପ୍ରମୁଖ ଉପସ୍ଥିତ ଥିଲେ ।