Categories: ଜାତୀୟ

ଦାମ୍ପତ୍ୟ ସମ୍ପର୍କକୁ ପ୍ରଭାବିତ କରୁଛି ସ୍ମାର୍ଟ ଫୋନ୍‌

ନୂଆଦିଲ୍ଲୀ, ୧୩।୧୨:ଦୂରରେ ରହୁଥିବା ପ୍ରିୟଜନମାନଙ୍କୁ ଫୋନ୍‌ ନିକଟତର କରିପାରିଛି। ଏହା ସାହାଯ୍ୟରେ ଲୋକେ ନିଜ ସମ୍ପର୍କୀୟଙ୍କ ସହିତ କଥା ହେବା ସାଙ୍ଗକୁ ଭିଡିଓ କଲ୍‌ ଯୋଗେ ପରସ୍ପରକୁ ଦେଖିପାରୁଛନ୍ତି। କିନ୍ତୁ ଆଣ୍ଡ୍ରଏଡ୍‌ ଫୋନ୍‌ ବର୍ତ୍ତମାନର ଦାମ୍ପତ୍ୟ ଜୀବନକୁ ପ୍ରଭାବିତ କରିଛି। ସ୍ମାର୍ଟ ଫୋନ୍‌ ନିର୍ମାଣକାରୀ କମ୍ପାନୀ ଭିଭୋ ଏବଂ ସାଇବର ମିଡିଆ ରିସର୍ଚ୍ଚ (ସିଏମ୍‌ଆର୍‌) ପକ୍ଷରୁ ହୋଇଥିବା ଅଧ୍ୟୟନ ଅନୁସାରେ ସ୍ମାର୍ଟ ଫୋନ୍‌ ସେମାନଙ୍କ ଦାମ୍ପତ୍ୟ ଜୀବନକୁ ପ୍ରଭାବିତ କରିଥିବା ୮୮% ବିବାହିତ ଭାରତୀୟ କହିଛନ୍ତି।
ପାଖାପାଖି ୬୭% ବିବାହିତ ସେମାନଙ୍କ ପାର୍ଟନରଙ୍କ ସହିତ ଥିବା ସମୟରେ ମୋବାଇଲର ବ୍ୟବହାର କରନ୍ତି। ସେହିପରି ୬୬%ଙ୍କ ଦାମ୍ପତ୍ୟ ଜୀବନ ସମ୍ପୂର୍ଣ୍ଣ ଭାବେ ସ୍ମାର୍ଟ ଫୋନ୍‌ ପାଇଁ ପ୍ରଭାବିତ ହୋଇସାରିଥିବା କହିଛନ୍ତି। ୭୦% କପଲ୍‌ ଫୋନ୍‌ ବ୍ୟବହାର କରୁଥିବାବେଳେ ସେମାନଙ୍କ ସ୍ବାମୀ କିମ୍ବା ସ୍ତ୍ରୀ ଯଦି ହସ୍ତକ୍ଷେପ କରନ୍ତି ତେବେ ସେମାନଙ୍କୁ ବିରକ୍ତି ଲାଗିଥାଏ। ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାର ଯୋଗୁ ଲୋକଙ୍କ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ଘଟୁଛି। ମୋବାଇଲ ଫୋନ୍‌ ବ୍ୟବହାର ବଢ଼ୁଥିବାବେଳେ ଲୋକେ ଏହି ଅଭ୍ୟାସ ବଦଳାଇପାରୁ ନ ଥିବା ଭିଭୋ ଇଣ୍ଡିଆର ମୁଖ୍ୟ ଷ୍ଟ୍ରାଟେଜି ଯୋଗେନ୍ଦ୍ର ଶ୍ରୀରାମୁଲା କହିଛନ୍ତି। ଭାରତରେ ୧୨୦ କୋଟି ଲୋକ ମୋବାଇଲ ଫୋନ୍‌ ବ୍ୟବହାର କରୁଥିବାବେଳେ ସେମାନଙ୍କ ମଧ୍ୟରୁ ୬୦ କୋଟିଙ୍କ ପାଖରେ ସ୍ମାର୍ଟ ଫୋନ୍‌ ରହିଛି। ସ୍ମାର୍ଟ ଫୋନ୍‌ ସମ୍ପର୍କକୁ ପ୍ରଭାବିତ କରୁଥିବା ନେଇ ପ୍ରତି ୧୦ରୁ ୮ ଦମ୍ପତି ସହମତ ହୋଇଛନ୍ତି। ନିଜ ଦାମ୍ପତ୍ୟ ଜୀବନର ସୁରକ୍ଷା ପାଇଁ ସେମାନେ ସ୍କାର୍ଟଫୋନ୍‌ର ବହୁଳ ବ୍ୟବହାର ଗୁଣକୁ ପରିବର୍ତ୍ତନ କରିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି।

Share