Categories: ଜାତୀୟ

ସ୍ମାର୍ଟଫୋନର ଅପବ୍ୟବହାର,ନିଶା ସେବନ ଯୁବବର୍ଗମାନଙ୍କ ପାଇଁ ଏକ ବଡ଼ ବିପଦ: ଫାରୁକ ଅବଦୁଲ୍ଲା…

ଶ୍ରୀନଗର,୧୩।୬ : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା କହିଛନ୍ତି, ସ୍ମାର୍ଟଫୋନର ଅପବ୍ୟବହାର ଏବଂ ନିଶା ସେବନ ଯୁବବର୍ଗମାନଙ୍କ ପାଇଁ ଏକ ବଡ଼ ବିପଦ ପାଲଟିଛି। ଜମ୍ମୁ-କଶ୍ମୀରର ଯୁବବର୍ଗମାନେ ଏକାସାଙ୍ଗରେ ଅସୁରକ୍ଷା ଏବଂ ବେକାରୀ ସମସ୍ୟା ସହ ଲଢୁଛନ୍ତି। ପ୍ରାପ୍ତ ଏକ ରିପୋର୍ଟ ଅନୁଯାୟୀ, ନ୍ୟାଶନାଲ କନଫରେନ୍ସ (ଏନସି) ସଭାପତି ତଥା ଲୋକସଭା ସଦସ୍ୟ ବଡ଼ଗାମ ଜିଲାର ମାଗମ ଠାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ କହିଛନ୍ତି ଜମ୍ମୁ-କଶ୍ମୀରରେ ଡ୍ରଗ୍ସ ବହୁ ପରିମାଣରେ ବ୍ୟବହୃତ ହେଉଛି। ଏହା ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହେବା ଉଚିତ। ଏଭଳି ଘଟଣାକୁ ରୋକିବା ଦିଗରେ ପ୍ରଥମ ପଦକ୍ଷେପ ଆମ ସମସ୍ତଙ୍କ ଚିନ୍ତାଧାରାରୁ ଆରମ୍ଭ ହେବା ଜରୁରୀ। ଜମ୍ମୁ-କଶ୍ମୀରରେ ବହୁ ପରିମାଣରେ ବେକାରୀ ସମସ୍ୟା ରହିଛି।
ଯଦି ଏହି ଧାରା ଅବ୍ୟାହତ ରହେ ତେବେ ଯୁବବର୍ଗଙ୍କ ଭବିଷ୍ୟତ ଅନ୍ଧକାର ହୋଇଯିବ। ନିଶା ସେବନ ନେଇ ସରକାରଙ୍କ ଚିନ୍ତାଧାରାକୁ ପରିବର୍ତ୍ତନ କରିବା ଏବଂ ଆଇନ ଶୃଙ୍ଖଳା ପରିବର୍ତ୍ତେ ଏହାକୁ ଏକ ସମସ୍ୟା ଭାବରେ ଦେଖିବା ଆରମ୍ଭ କରିବାର ସମୟ ଆସିଛି।

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଫାରୁକ ଅବଦୁଲ୍ଲା ଅଭିଯୋଗ କରିଛନ୍ତି ଜମ୍ମୁ-କଶ୍ମୀରର ଅଧିକାରୀମାନେ ଲୋକଙ୍କୁ ଭୟ ଏବଂ ଆତଙ୍କରେ ରଖିବା ପାଇଁ ଏକ ବ୍ୟବସ୍ଥା କରିଛନ୍ତି। ସ୍ବର ଉତ୍ତୋଳନ ଏବଂ ସତ୍ୟ କହିବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିଛି । ଲୋକଙ୍କୁ ସତ କହିବା ଠାରୁ ଦୂରେଇ ରଖିବା ପାଇଁ ଜମ୍ମୁ-କଶ୍ମୀରରେ ଭୟ ଏବଂ ଆତଙ୍କ ପରିସ୍ଥିତି ସୃଷ୍ଟି ହୋଇଛି। ଗଣମାଧ୍ୟମର ସ୍ବାଧୀନତାର କଣ୍ଠରୋଧ କରାଯାଇଛି।

Share