ସ୍କୁଲ୍‌ରେ ସ୍ମାର୍ଟଫୋନ୍‌ ବ୍ୟବହାର:ପ୍ରତିବନ୍ଧକ ଲଗାଇଲେଣି ୨୫% ଦେଶ

ପ୍ୟାରିସ୍‌, ୫।୮:ସ୍ମାର୍ଟ ଫୋନ ବ୍ୟବହାରର ଅନେକ ନକାରାତ୍ମକ ପ୍ରଭାବ ରହିଛି। ଏହାକୁ ନେଇ ଅନେକ ଗବେଷଣା ମଧ୍ୟ ସାମ୍‌ନାକୁ ଆସିଛି। ତେବେ ସ୍ମାର୍ଟ ଫୋନ୍‌ ଡିଭାଇସ୍‌ ଛାତ୍ରୀଛାତ୍ରଙ୍କ ଶିଖିବାର କ୍ଷମତା ଓ ଧ୍ୟାନ କେନ୍ଦ୍ରିତ କରିବାର ଶକ୍ତି ଉପରେ ନକାରାତ୍ମକ ପ୍ରଭାବ ପକାଉଛି ବୋଲି ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଙ୍ଗଠନ(ୟୁନେସ୍କୋ) ଦ୍ୱାରା ରବିବାର ଜାରି ହୋଇଥିବା ଗ୍ଲୋବାଲ ଏଜୁକେଶନ ମନିଟରିଂ(ଜିଇଏମ୍‌) ରିପୋର୍ଟରେ ପ୍ରକାଶ ପାଇଛି।
ଶିକ୍ଷା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାରକୁ ନେଇ ୟୁନେସ୍କୋ ପକ୍ଷରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।
କରୋନା ମହାମାରୀ ସମୟରେ ବିଭିନ୍ନ ଦେଶରେ ଅନ୍‌ଲାଇନ ଶିକ୍ଷାଦାନ ପଦ୍ଧତି ଆରମ୍ଭ ହେବାସହ ଶିକ୍ଷା କ୍ଷେତ୍ରରେ ସ୍ମାର୍ଟ ଫୋନ୍‌ର ବ୍ୟବହାର ବଢ଼ିଥିଲା। ତେବେ ପଢ଼ିବାବେଳେ ଅତ୍ୟଧିକ ମାତ୍ରାରେ ସ୍ମାର୍ଟ ଫୋନ୍‌ ବ୍ୟବହାର ଛାତ୍ରୀଛାତ୍ରଙ୍କ ଅଭ୍ୟାସରେ ପରିଣତ ହେଉଥିବା ନେଇ ଏହି ରିପୋର୍ଟ ଦର୍ଶାଇଛି। ସ୍ମାର୍ଟ ଫୋନ୍‌ ସମେତ ବିଭିନ୍ନ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଶ୍ରେଣୀଗୃହରେ କେବଳ ସେତେବେଳେ ବ୍ୟବହାର ହେବା ଉଚିତ ଯେତେବେଳେ ଏହାଠାରୁ କିଛି ଶିଖି ହେବ ବୋଲି ଜିଇଏମ୍‌ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ସ୍ମାର୍ଟ ଫୋନ୍‌ର ସର୍ବାଧିକ ନକାରାତ୍ମକ ପ୍ରଭାବ ଶିଶୁଙ୍କ ଉପରେ ପଡ଼ୁଛି। ତେଣୁ ଶିକ୍ଷା କ୍ଷେତ୍ରରେ ଏହି ପ୍ରଭାବକୁ ଏଡ଼େଇବା ପାଇଁ ବିଶ୍ୱବ୍ୟାପୀ ପ୍ରୟାସ କରାଯାଉଛି। ଛାତ୍ରୀଛାତ୍ରଙ୍କ ଉପରେ ସ୍ମାର୍ଟ ଫୋନ୍‌ର ନକାରାତ୍ମକ ପ୍ରଭାବକୁ ଦୃଷ୍ଟିରେ ରଖି ବିଶ୍ୱର ପ୍ରତି ୪ ଦେଶ ମଧ୍ୟରୁ ଗୋଟିଏ ଦେଶ ସ୍କୁଲରେ ସ୍ମାର୍ଟ ଫୋନ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ବୋଲି ୟୁନେସ୍କୋ ଦ୍ୱାରା ଜାରି ହୋଇଥିବା ଉକ୍ତ ରିପୋର୍ଟରେ କୁହାଯାଇଛି।

Share