ହାଇସ୍କୁଲ ସମ୍ମୁଖରେ ଆବର୍ଜନା ପକାଉଛି ଏସ୍‌ଏମ୍‌ସି

ସମ୍ବଲପୁର,୧୩ା୯(ବ୍ୟୁରୋ:ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ପରିମଳ ବ୍ୟବସ୍ଥାକୁ ନେଇ ବାରମ୍ବାର ଅଭିଯୋଗ ହେଉଛି। ସଫେଇ କାର୍ଯ୍ୟରେ ନିୟୋଜିତ ଠିକା ସଂସ୍ଥାର ଅବହେଳା ଯୋଗୁ ବିଭିନ୍ନ ସ୍ଥାନରେ କୁଢ କୁଢ ଆବର୍ଜନା ପଡ଼ିରହୁଛି। ୪୦ନଂ. ୱାର୍ଡ ମାନେଶ୍ୱର ହାଇସ୍କୁଲ ସମ୍ମୁଖ ବି ବାଦ୍‌ ପଡୁନାହିଁ। ଏହି ଆବର୍ଜନା କୌଣସି ବ୍ୟକ୍ତି ପକାଉନାହାନ୍ତି, ଖୋଦ ଏସ୍‌ଏମ୍‌ସି ପକ୍ଷରୁ ଏଠାରେ ଅସ୍ଥାୟୀ ଭାବେ ଆବର୍ଜନା ଗଦା କରାଯାଉଛି। ୧୫ଦିନରେ ଥରେ କିମ୍ବା ଅଭିଯୋଗ କଲେ ଗାଡ଼ି ଆସି ସଫା କରି ନେଉଛି। ନ ହେଲେ ସେଭଳି ପଡ଼ିରହୁଛି ବୋଲି ଲୋକେ ଅଭିଯୋଗ କରୁଛନ୍ତି। ଏହା ଦ୍ୱାରା ପରିବେଶ ଦୁର୍ଗନ୍ଧରେ ଫାଟିପଡ଼ୁଛି। ପିଲାମାନେ ଝରକା ବନ୍ଦକରି ପାଠ ପଢ଼ୁଛନ୍ତି।
ମାନେଶ୍ୱରଠାରୁ ଧମା ପିଡବ୍ଲ୍ୟୁଡି ରାସ୍ତାରେ ପ୍ରତିଦିନ ଶତାଧିକ ଲୋକ ଯିବାଆସିବା କରୁଛନ୍ତି। ସେମାନଙ୍କୁ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି। ଏହାକୁ ନେଇ ୱାର୍ଡ ଅଫିସରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଅନ୍ୟପଟେ ଏସ୍‌ଏମ୍‌ସି କର୍ମଚାରୀମାନେ ଏହି ଆବର୍ଜନା ସ୍ଥାନୀୟ ଲୋକେ ପକାଉଥିବା ନେଇ ଯୁକ୍ତି କରୁଛନ୍ତି। ବାରମ୍ବାର ଅଭିଯୋଗ କଲା ପରେ ୧୫ରୁ ୨୦ଦିନ ବ୍ୟବଧାନରେ ଟ୍ରକ୍‌ ସାହାଯ୍ୟରେ ଆବର୍ଜନା ଉଠାଯାଉଛି। ଏସ୍‌ଏମ୍‌ସି କର୍ମଚାରୀ, ଠିକା ସଂସ୍ଥାଙ୍କୁ ତାଗିଦ କରିବା ବଦଳରେ ଓଲଟା ପ୍ରୋତ୍ସାହନ ଦିଆଯାଉଛି। ସଫେଇ ନାମରେ ମାସିକ ଏସ୍‌ଏମ୍‌ସିରେ କୋଟି କୋଟି ଟଙ୍କା ବିଲ୍‌ କରାଯାଉଛି। ଗ୍ରାମଗୁଡ଼ିକୁ ମଧ୍ୟ ସଫେଇ କର୍ମଚାରୀମାନେ ନିୟମିତ ସଫା କରିବାପାଇଁ ଯାଉନାହାନ୍ତି। ଏ ସମ୍ପର୍କରେ ଏସ୍‌ଏମ୍‌ସି କମିଶନର ପ୍ରଦୀପ ସାହୁ କହିଛନ୍ତି ଯେ, ହାଇସ୍କୁଲ ନିକଟରେ ଆବର୍ଜନା ଗଦା କରିବା ଉଚିତ ନୁହେଁ। ନିୟମ ଦୃଷ୍ଟିରୁ ପୂର୍ବାହ୍ନ ୧୦ଟା ପୂର୍ବରୁ ସଫେଇ କାର୍ଯ୍ୟ ଶେଷ ହୋଇଯିବା କଥା। ହେଲେ ଆବର୍ଜନା କିଭଳି ଭାବେ ପଡ଼ିରହୁଛି ତା’ ଉପରେ ଗୁରୁତ୍ୱ ଦେଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

Share