‘ହାର୍ଡଶିପ୍‌ ଅଫ୍‌ ଲାଇଫ୍‌’ରେ ଯନ୍ତ୍ରଣାର ହସ

ନୂଆଦିଲ୍ଲୀ, ୨୫।୧୦: ବୋମା ବିସ୍ଫୋରଣରେ ଗୋଡ଼ ହରାଇଛନ୍ତି ବାପା। ବିଷାକ୍ତ ଗ୍ୟାସ ଯୋଗୁ ବିରଳ ଜେନେଟିକ୍‌ ରୋଗର ଶିକାର ହୋଇଥିବା ପୁଅଙ୍କ ଜନ୍ମରୁ ନାହିଁ ଗୋଡ଼ କି ହାତ। ତଥାପି ଦୁହିଁଙ୍କ ଓଠରେ ହସ। ଆଉ ଏଭଳି କଷ୍ଟକର ସମୟକୁ ପରାସ୍ତ କରି ବଞ୍ଚତ୍ବାର ଦୁର୍ବାର ପ୍ରୟାସ। ବାପା ନିଜ ପୁଅକୁ ଶୂନ୍ୟରେ ଉଠାଇ ପିତୃତ୍ୱ ବତ୍ସଳତାର ପ୍ରମାଣ ଦେଉଥିବାବେଳେ ଏହାକୁ କ୍ୟାମେରାରେ କଏଦ କରିଛନ୍ତି ତୁର୍କୀର ଲବ୍ଧ ପ୍ରତିଷ୍ଠିତ ଫଟୋଗ୍ରାଫର ମେହମତ ଆସଲନ୍‌। ସିରିଆ ଶରଣାର୍ଥୀଙ୍କ ଜୀବନ ଯନ୍ତ୍ରଣାର ସଂଘର୍ଷ ବଖାଣିବାକୁ ଏହି ଫଟୋ ଯଥେଷ୍ଟ ମନେ ହେଉଥିବାବେଳେ ସିଏନା ଇଣ୍ଟରନ୍ୟାଶନାଲ ଫଟୋ ଆଓ୍ବାର୍ଡ-୨୦୨୧ରେ ଏହା ହାତେଇଛି ‘ଫଟୋ ଅଫ୍‌ ଦି ଇୟର’ ପୁରସ୍କାର।
ଜୀବନକୁ ନେଇ ପୁଳା ପୁଳା ଅଭିଯୋଗ। ସ୍ବପ୍ନ ପୂରଣ ନ ହେଲେ ବିଷାଦରେ ଭରିଯାଏ ମନ। ହେଲେ ଆସଲନ୍‌ଙ୍କ ଦ୍ୱାରା ଉତ୍ତୋଳନ କରାଯାଇଥିବା ଫଟୋ ‘ହାର୍ଡଶିପ୍‌ ଅଫ୍‌ ଲାଇଫ୍‌’କୁ ଦେଖିଲେ ଅନେକଙ୍କ ମନରେ ଜୀବନକୁ ନେଇ ରହିଥିବା ଅଭିଯୋଗ ଦୂର ହୋଇଯିବ। ଏହି ଫଟୋ ପଛର କାହାଣୀ ଯେତିକି ଯନ୍ତ୍ରଣାଦାୟକ, ସେତିକି ପ୍ରେରଣାଦାୟୀ ମଧ୍ୟ। ଫଟୋରେ ଥିବା ବାପାପୁଅ ହେଲେ ମୁନ୍‌ଜିର୍‌ ଏବଂ ମୁସ୍ତାଫା। ସିରିଆ ବଜାରରେ ହୋଇଥିବା ଏକ ବୋମା ବିସ୍ଫୋରଣରେ ଡାହାଣ ଗୋଡ଼ ହରାଇଛନ୍ତି ମୁନ୍‌ଜିର। ଯୁଦ୍ଧଗ୍ରସ୍ତ ସିରିଆ ଉପରେ ଛଡ଼ାଯାଇଥିବା ବିଷ୍‌କ୍ତ ଗ୍ୟାସ୍‌ ପ୍ରଭାବରେ ମୁନ୍‌ଜିରଙ୍କ ସ୍ତ୍ରୀ ଜେନେପ୍‌ ରୋଗଗ୍ରସ୍ତ ହୋଇପଡ଼ିଥିଲେ। ରୋଗରୁ ମୁକୁଳିବାକୁ ସେ ଯେଉଁ ଔଷଧ ସେବନ କଲେ ତାହାର ପ୍ରଭାବ ପଡ଼ିଲା ଗର୍ଭସ୍ଥ ମୁସ୍ତାଫାଙ୍କ ଉପରେ। ଜଟିଳ ଜେନେଟିକ୍‌ ରୋଗର ଶିକାର ହୋଇଥିବା ମୁସ୍ତାଫା ଜନ୍ମ ହୋଇଥିଲେ ବିନା ଗୋଡ଼ହାତରେ। ସିରିଆ ସୀମାନ୍ତ ଦକ୍ଷିଣ ତୁର୍କୀର ଏକ ଛୋଟ ଦୋକାନରେ ମୁଣ୍ଡ ଗୁଞ୍ଜିଥିବା ବେଳେ ଆସଲନଙ୍କ ନଜରକୁ ଆସିଥିଲେ ଏହି ଶରଣାର୍ଥୀ ପରିବାର। ଅନୁସନ୍ଧାନମୂଳକ ଖବର ପରିବେଷଣ କରୁଥିବା ଫଟୋଗ୍ରାଫର ତଥା ରିପୋର୍ଟର ଲିଜିଂ ବିଲିଂ ଉକ୍ତ ଫଟୋ ଏବଂ ଏହା ପଛର କାହାଣୀକୁ ଟୁଇଟରରେ ଶେୟାର କରିଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଗୋଟିଏ ଫଟୋ ଶିରିଆ ଶରଣାର୍ଥୀଙ୍କ ଜୀବନ ଯନ୍ତ୍ରଣା ବଖାଣିବାକୁ ଯଥେଷ୍ଟ ବୋଲି ମତପ୍ରକାଶ ପାଇଛି।

Share