ପ୍ରକାଶ ତ୍ରିପାଠୀ
ଘରପାଖ ପାର୍କରେ କିଛି ବନ୍ଧୁଙ୍କ ସହ ପ୍ରାତଃ ଭ୍ରମଣ କରୁଥିବା ବେଳେ ହଠାତ୍ ଏକ ଅସ୍ବାଭାବିକ ଚିତ୍କାର ଶୁଣି ସଭିଏଁ ଚମକି ପଡ଼ିଲୁ। ଚାରିକଡ଼କୁ ଚାହିଁ ଦେଖୁ ତ କିଛି ପୁରୁଷ ଓ ମହିଳା ଠିଆହୋଇ ହସିବାର ଅଭ୍ୟାସ କରୁଛନ୍ତି। ମନ ଆଶ୍ୱସ୍ତ ହେଲା। ଆମ ସହ ଥିବା ଜଣେ ବନ୍ଧୁ କହିଲେ ଯେ, ଏଇଟା ହେଉଛି ଲାଫିଙ୍ଗ ଥେରାପି। ଏଇଟା ବି ଗୋଟେ ବ୍ୟାୟାମ। ଲାଫିଙ୍ଗ ଥେରାପି ବା ହସ ଚିକିତ୍ସା ହେଉଛି ସ୍ବାସ୍ଥ୍ୟର ଉନ୍ନତି ତଥା ଚାପରୁ ମୁକ୍ତି ପାଇଁ ହାସ୍ୟରସର ବ୍ୟବହାର। ଏହା ଆମକୁ ଯନ୍ତ୍ରଣା ଉପଶମ ସହ ଚିନ୍ତା ହ୍ରାସ କରିଥାଏ ଓ ମନୋବଳ ବୃଦ୍ଧିରେ ସହାୟକ ହୋଇଥାଏ। ଆପଣମାନେ ମନେପକାନ୍ତୁ ତ ଶେଷଥର ପାଇଁ ଆପଣ କେବେ ହସିଥିଲେ ଓ ହସି ହସି ବେଦମ ହୋଇଯାଇଥିଲେ। ଏହା ସତ୍ୟ ଯେ, ଆଜିକାଲି ଆମେ ଆଉ ମନ ଖୋଲି ହସି ପାରୁନେ । ହଁ, କଦବା କେମିତି କେଉଁ କଥାରେ ମୁହଁ ନେଫେଡି ଦେଉଛେ। ପାରିବାରିକ, ସାମାଜିକ ଜୀବନ ଆମର ଏତେ ବ୍ୟସ୍ତବହୁଳ ହୋଇଗଲାଣି ଯେ ହସିବାକୁ ଟିକେ ସମୟ ପାଉନାହୁଁ। ଆମର ଆବଶ୍ୟକତା ଏତେ ବଢ଼ିଗଲାଣି ଯେ ସେ ସବୁକୁ ପୂରଣ କରିବାକୁ ଆମକୁ ସମୟ ଅଣ୍ଟୁନାହିଁ, ହସକୁ କିଏ ପଚାରେ। ଏହାରି ଭିତରେ ଆମେ ହସଠାରୁ ଏପରି ଦୂରେଇଯାଇଛୁ ଯେ, ଆମ ନିକଟରେ ହସିବାର କ୍ଷମତା ଅଛି, ତାହା ମଧ୍ୟ ଆମକୁ ଅନୁଭବ ହେଉନାହିଁ। ଏମିତିକି ଫଟୋ ଉଠାଇବା ବେଳେ କ୍ୟାମେରାମ୍ୟାନ ଆମକୁ ସ୍ମାଇଲ ପ୍ଲିଜ ନ କହିଲେ ଆମ ମୁହଁରେ ହସ ଆସୁନାହିଁ । ସେଥିପାଇଁ ଜୀବନରେ ହସିବାର ଆବଶ୍ୟକତା ଅଛି ବୋଲି ଅନୁଭବ କରି ଡାକ୍ତରମାନେ ସେମାନଙ୍କ ପ୍ରେସକ୍ରିପ୍ସନରେ ହସିବାକୁ ଲେଖିଲେଣି। ଦୈନିକ କିଛି ସମୟ ମନଖୋଲି ହସିବାକୁ ମନୋବିଜ୍ଞାନୀମାନେ ପରାମର୍ଶ ଦେଲେଣି। ସେଥିପାଇଁ ଆଜିକାଲି ସହରାଞ୍ଚଳରେ ହସ କ୍ଲବମାନ ଗଢ଼ି ଉଠିଲାଣି। ସେଠାରେ ମଣିଷମାନେ ଏମିତି କୃତ୍ରିମ ହସ ହସୁଛନ୍ତି ଯେ ଆଖପାଖର ମଣିଷମାନେ ଶୁଣି ଚମକିପଡ଼ି ହସିବା ଏବେ ଆଉ ମନର ବା ଭାବନାର ପରିପ୍ରକାଶ କରୁନାହିଁ ବରଂ ବ୍ୟାୟାମର ତାଲିକାରେ ସ୍ଥାନ ପାଇଲାଣି।
ମନରେ ପ୍ରଶ୍ନ ଉଠେ, ମଣିଷର ବୟସ ବଢ଼ିବା ସହ ମୁହଁରେ ହସ କାହିଁକି କମି ଯାଉଛି। ଚିନ୍ତାଗ୍ରସ୍ତ ଓ ଚାପଗ୍ରସ୍ତ ଜୀବନକୁ ଆପଣେଇ ସେ ହସ ବିମୁଖ ହୋଇଯାଉଛି କାହିଁକି। ଏହାର ମୁଖ୍ୟ କାରଣ ହେଉଛି ଆମେ ବର୍ତ୍ତମାନକୁ ନେଇ ସନ୍ତୁଷ୍ଟ ନୁହେଁ। ଆମର ସବୁ କିଛି ଭାବନା ଭବିଷ୍ୟତ ଉପରେ ନିର୍ଭର କରୁଛି। ଭବିଷ୍ୟତରେ ହସିବା ପାଇଁ ବା ଖୁସିରେ ରହିବା ପାଇଁ ଆମେ ବର୍ତ୍ତମାନକୁ ବ୍ୟୟ କରିଚାଲିଛୁ। ପରିସଂଖ୍ୟାନ କୁହେ ଛୋଟ ପିଲାମାନେ ଦିନକୁ ହାରାହାରି ୪୦୦ ଥର ହସିଥାନ୍ତି। ମାତ୍ର ପ୍ରାପ୍ତବୟସ୍କ ହେବା ପରେ ଏହା ହାରାହାରି ୧୭ ଥରକୁ ହ୍ରାସ ପାଇଥାଏ। ସାମ୍ପ୍ରତିକ ସମୟରେ ଜୀବନ ଏପରି ସଂଘର୍ଷମୟ ଓ ବ୍ୟସ୍ତବହୁଳ ହୋଇଗଲାଣି ଯେ ଜଣେ ପ୍ରାପ୍ତବୟସ୍କ ମଣିଷ ଦୈନିକ ହସିବାର ହାର ଶୂନଠାରୁ ଆଦୌ ଅଧିକ ନୁହେଁ। ଜୀବନରୁ ହାସ୍ୟରସ ସତେଯେମିତି ଉଭେଇ ଗଲାଣି। ଲଣ୍ଡନର ଖ୍ୟାତନାମା ମନୋବିଜ୍ଞାନୀ ପ୍ରଫେସର ସୋଫିସ୍କାଟଙ୍କ ମତରେ ଆଧୁନିକ ଜୀବନଶୈଳୀରେ ନ ହସିବାର ବେମାରି ଡିଆଁ ରୋଗ ପରି ଚାରିଆଡ଼େ ବ୍ୟାପି ଚାଲିଛି। କେହି ତ ଜଣେ ହେଲେ ହସ। ୟୁନିଭରସିଟି ଅଫ୍ ମେରିଲାଣ୍ଡର ମନୋବିଜ୍ଞାନୀ ରବର୍ଟ ପ୍ରୋବିନଙ୍କ ମତରେ ଭାରତୀୟମାନେ ଏବେ ଖୁବ୍ କମ୍ ହସୁଛନ୍ତି। ସତରେ ଏବେ ଭାରତୀୟମାନେ ଅଧିକ ଗମ୍ଭୀରତାପୂର୍ଣ୍ଣ ଜୀବନକୁ ଅପଣେଇଛନ୍ତି। ଅଧିକରୁ ଅଧିକ ଧନ ଉପାର୍ଜନ, କ୍ଷମତା ଓ ସମ୍ପତ୍ତି ଆହରଣ, ବିଳାସପୂର୍ଣ୍ଣ ଜୀବନଯାପନ, ସନ୍ତାନସନ୍ତତିଙ୍କ ଭବିଷ୍ୟତ ନିର୍ମାଣ ଓ ସର୍ବୋପରି ଆଗାମୀ ତିନି ଚାରି ପିଢ଼ି ବଂଶଧରଙ୍କ ପାଇଁ ଯୋଜନା ପ୍ରସ୍ତୁତି ଆମ ଜୀବନକୁ ଅଧିକ ଗମ୍ଭୀରତାପୂର୍ଣ୍ଣ କରିଦେଇଛି। ସେଥିପାଇଁ ଅବସର ଆମ ପାଇଁ ସ୍ବପ୍ନ, ହସ ଆମଲାଗି ମରୀଚିକା।
ଦାର୍ଶନିକ ମାୟା ଆଞ୍ଜେଲୁଙ୍କ ଭାଷାରେ- ହସୁ ନ ଥିବା ଲୋକଙ୍କୁ ମୁଁ ବିଶ୍ୱାସ କରେନି। ହାସ୍ୟ ଅଭିନେତା ଚାପଲିନ୍ଙ୍କ ମତରେ ସେହିଦିନଟି ତାଙ୍କର ନଷ୍ଟ ହୋଇଥାଏ ଯେଉଁଦିନ ସେ ହସି ନ ଥାନ୍ତି। ଜାକବ ସ୍ମିରନଫଙ୍କ ମତରେ ହସ ହେଉଛି ପ୍ରାଣର ଭାଷା। ହସର କୌଣସି ଭାଷା ନାହିଁ। ପ୍ରତ୍ୟେକ ଭାଷାଭାଷୀ ସମାନ ଭାବରେ ହସନ୍ତି, କାରଣ ହସ ଏକ ବିଶ୍ବସ୍ତରୀୟ ସଂଯୋଗ। ଦାର୍ଶନିକ ଭନଗଟଙ୍କ ଭାଷାରେ ହସ ଓ କାନ୍ଦ ସଫଳତା ଓ ବିଫଳତା ଉଭୟ ପରିପ୍ରକାଶର ମାଧ୍ୟମ ହୋଇଥାଏ। ମୁଁ ହସିବାକୁ ପସନ୍ଦ କରିବି, କାରଣ ହସିବା ପରେ ମୁହଁକୁ ସଫାକରିବାର ଆବଶ୍ୟକତା ପଡ଼ି ନ ଥାଏ। ହସ ସମସ୍ତଙ୍କର ପ୍ରିୟ। ହସ ସୃଷ୍ଟିକରିଥାଏ ହସ। ଶିଶୁଟିର ମୁହଁରେ ଦରୋଟି ହସ ଦେଖିଲେ ମା’ବାପାଙ୍କର ସବୁ କ୍ଳାନ୍ତି ଦୂର ହୋଇଯାଏ। ପ୍ରେମିକାର ମୁରୁକି ହସରେ ପ୍ରେମର ମୂଳଦୁଆ ଗଢ଼ାଯାଏ। ଦୁଷ୍ଟାମି କରୁଥିବା ଶିକ୍ଷାର୍ଥୀଟିର ମୁହଁରେ ହସ ଦେଖି ଗୁରୁଜୀଙ୍କ କ୍ରୋଧ ପ୍ରଶମିତ ହୋଇଯାଏ। ହସହସ ମୁହଁର ସମ୍ଭାଷଣ ହୃଦୟକୁ ଛୁଇଁଥାଏ। ନିଯୁକ୍ତି ପାଇଁ ସାକ୍ଷା୍ତକାର ହେଉ ବା ବିବାହ ଲାଗି କନ୍ୟା ଦେଖା ହେଉ, ହସ ହସ ମୁହଁର ବାର୍ତ୍ତାଳାପ ଅଧିକ ଗ୍ରହଣୀୟ ହୋଇଥାଏ। ହସ ଆମ ପାରିବାରିକ ଓ ସାମାଜିକ ସ୍ଥିତିକୁ ମଜଭୁତ କରେ। ଟିକିଏ ହସ ଅନେକ ଦିନର ମନାନ୍ତରକୁ ନିମିଷକରେ ଦୂର କରିଦେଇପାରେ। ସମ୍ପର୍କକୁ ଏହା ଯୋଡ଼େ ଓ ମଜଭୁତ କରେ। ହସର ଗୁରୁତ୍ୱକୁ ଏବେ ଚିକିତ୍ସା ବିଜ୍ଞାନରେ ପ୍ରୟୋଗ କରାଯାଉଛି। ଚିକିତ୍ସା ବିଜ୍ଞାନୀଙ୍କ ମତରେ ଦୈନିକ ୧୫ ମିନିଟ ଖୋଲାମନରେ ହସିଲେ ଏହା ହୃତ୍ପିଣ୍ଡ ଓ ରକ୍ତ ସଞ୍ଚାଳନକୁ ଠିକ୍ ରଖିଥାଏ। ମନରେ ଚାପ ସୃଷ୍ଟି କରୁଥିବା ଆଡ୍ରିନାଲାଇନ, ଏପିନେଫ୍ରିନ, ଡୋପାନିନ ଆଦି ହରମୋନକୁ ହ୍ରାସକରି ସ୍ବାସ୍ଥ୍ୟବର୍ଦ୍ଧକ ହରମୋନ ଏଣ୍ଡୋରଫିନ ଉତ୍ପନ କରିଥାଏ। ଶରୀରରେ ରୋଗ ସଂକ୍ରମଣକୁ ରୋକିବା ପାଇଁ ଆଣ୍ଟିବଡିଜ ସୃଷ୍ଟି କରିବା ସହ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟିଲାଗି ଲିମ୍ଫୋସାଇଟସକୁ ସକ୍ରିୟ କରିଥାଏ। ହସ ଏକ ପ୍ରଭାବଶାଳୀ ଔଷଧ। ଏହା ଲୋକଙ୍କୁ ଏକତ୍ର କରିଥାଏ, ଯାହା ଶରୀରରେ ସୁସ୍ଥ ଶାରୀରିକ ଏବଂ ଭାବଗତ ପରିବର୍ତ୍ତନ ସୃଷ୍ଟି କରିଥାଏ । ଆପଣଙ୍କ ମନ ଏବଂ ଶରୀରକୁ ସନ୍ତୁଳନକୁ ଆଣିବା ପାଇଁ ଭଲ ହସ ଭଳି ଅନ୍ୟ କୌଣସି ଜିନିଷ ଶୀଘ୍ର କିମ୍ବା ଅଧିକ ନିର୍ଭରଶୀଳ ଭାବରେ କାମ କରେ ନାହିଁ। ହସ ତୁମର ଭାରକୁ ହାଲୁକା କରେ, ଆଶାକୁ ପ୍ରେରଣା ଦିଏ, ତୁମକୁ ଅନ୍ୟମାନଙ୍କ ସହିତ ଯୋଡ଼ିଥାଏ। ଏହା ଆପଣଙ୍କୁ କ୍ରୋଧ ମୁକ୍ତ କରିବାରେ ଏବଂ ଶୀଘ୍ର କ୍ଷମା କରିବାରେ ମଧ୍ୟ ସାହାଯ୍ୟ କରେ। ହସ ହିଁ ଦୁଇଟି ଆତ୍ମାକୁ ସର୍ବାଧିକ ନିକଟତର କରିପାରେ।
ହସ ଉଭୟ ଶରୀର ଓ ମନକୁ ସୁସ୍ଥ ରଖିଥାଏ। ରାଗ, କ୍ରୋଧ, ହିଂସା ଓ ଅନେକ ନକାରାତ୍ମକ ଭାବନାଠାରୁ ଏହା ମନକୁ ମୁକ୍ତ ରଖେ। ଜଟିଳ ସମୟରେ ଏହା ମନକୁ ନୂଆ ଦିଗ ଦେଖାଏ। କାର୍ଯ୍ୟ ପରିସରରେ ଏହାର ପ୍ରଭାବ ସୁଦୂରପ୍ରସାରୀ। ହସର ସୁଦୂରପ୍ରସାରୀ ପ୍ରଭାବ ଯୋଗୁ ତଥା ବ୍ୟସ୍ତବହୁଳ ଜୀବନରେ ଚାପକୁ ହ୍ରାସ କରିବା ପାଇଁ ସୃଷ୍ଟି ହୋଇଛି ଅନେକ ହାସ୍ୟ ଓ ଆମୋଦ ପ୍ରଦାନକାରୀ ଗଳ୍ପ, ଉପନ୍ୟାସ,ନାଟକ, ଚଳଚ୍ଚିତ୍ର ଓ ଟିଭି ସିରିଏଲ। ଈଶ୍ବର ହସକୁ ଏକ ମହୌଷଧି ଭାବେ ମଣିଷକୁ ଦାନ କରିଛନ୍ତି। ଏହାକୁ ଏକ ପ୍ରାକୃତିକ ଅସ୍ତ୍ର ଭାବେ ଗ୍ରହଣ କରାଯାଇପାରେ। ଭୟ ଦେଖାଇ ଯେଉଁ କାମ ହାସଲ କରାଯାଇ ନ ପାରେ, ହସି ହସି ସେହିକାମକୁ ସହଜରେ ଆୟତ୍ତ କରାଯାଇପାରେ। ଏତେ ସୁଫଳ ପ୍ରଦାନ କରୁଥିବା ତଥା କୌଣସି ପାଶର୍ବପ୍ରତିକ୍ରିୟା ନ ଥିବା ଏହି ହସକୁ ଅପଣେଇବାରେ ଆମର କୁଣ୍ଠାଭାବ କାହିଁକି? ମଣିଷ କେବେ ହସିବା ଆରମ୍ଭ କରିଥିଲା ତାହା କହିହେବ ନାହିଁ। ନିଜକୁ ଦେଖି ବା ଅନ୍ୟକୁ ଦେଖି ହସିଥିଲା, ତାହା ମଧ୍ୟ କହିବା ସହଜ ନୁହେଁ। ମାତ୍ର ଏହା ସତ୍ୟ ଯେ ଏବେ ଆମେ ହସିବା ବନ୍ଦ ବା କମ୍ କରିଦେଇଛେ। ତେବେ ଆସନ୍ତୁ ପୁଣି ହସିବା ଆରମ୍ଭ କରିବା। ବ୍ୟାୟାମବାଲା ହସ ନୁହେଁ, ମନଖୋଲି ହସିବା । ନିଜେ ହସିବା ସହ ଅନ୍ୟକୁ ହସାଇବା ଓ ସମସ୍ତେ ହସି ହସି ଖୁସିରେ ରହିବା।
ମୋ: ୯୪୩୭୨୩୨୪୬୩