ହସ ଖୁସିର ସଂସାର ଉଜାଡି ଦେଲା କ୍ୟାନ୍ସର: ସରକାରୀ ପ୍ରୋତ୍ସାହନରୁ ବଞ୍ଚିତ ଆକାଶ

ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ):ଦିନ ଥିଲା ଗାଡି ଚଳାଇ ଘରକୁ ବଡ଼ ହସ ଖୁସିରେ ଚଳାଉଥିଲେ। ଦିନ ରାତି ପରିଶ୍ରମ କରିବାକୁ ପଛାଉ ନ ଥିଲେ। ଯେତିକି ରୋଜଗାର ଆସୁଥିଲା ସେତିକିରେ ନିଜ ସ୍ତ୍ରୀ ଆଉ ଛୋଟ ଶିଶୁଙ୍କୁ ହସ ଖୁସିରେ ରଖିପାରୁଥିଲେ। ହେଲେ ଏହି ହସ ଖୁସି ବେଶୀ ଦିନ ତିଷ୍ଠି ରହିନଥିଲା ଗତ ଦୁଇ ବର୍ଷ ତଳେ ଦେହ ଖରାପ ହେବାକୁ ଲାଗିଲା। ଆଉ ଡାକ୍ତର ପାଖକୁ ଦୌଡ଼ି ଦୌଡ଼ି ପରବର୍ତ୍ତୀ ସମୟରେ ଚି଼ହ୍ନଟ ହେଲା କ୍ୟାନ୍ସର। ଏହା ଶୁଣିବା ପରେ ପରିବାରରେ ଆସିଗଲା କଳା ବାଦଲ। ଏଭଳି ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡି ସହରର ଆକାଶ ନାୟକଙ୍କ କ୍ଷେତ୍ରରେ।

ଆକାଶ ଜଣେ ଭଲ ଗାଡି ଚାଳକ ଭାବେ ଦାରିଙ୍ଗବାଡି ସହରରେ ପରିଚିତ। ସେ ବିଭିନ୍ନ ସ୍ଥାନରେ ଗାଡି ଚାଳକ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଆସୁଥିଲେ। ସେ ଫୁଲବାଣୀର ନିରୁପମା ଦିଗାଲଙ୍କୁ ବୈଦିକ ରୀତିରେ ବିବାହ କରିଛନ୍ତି। ସେ ଏବେ କ୍ୟାନ୍ସରରେ ପିଡ଼ିତ ହେବା ପରେ ପରିବାରର ଅବସ୍ଥା ଶୋଚନୀୟ ହୋଇପଡିଛି ଗୋଟିଏ ମାତ୍ର ବ୍ୟକ୍ତି ଆକାଶ ରୋଜଗାରିଆ ଥିବା ବେଳେ ନିରୁପମା ଘରେ ରହୁଥିଲେ ହେଲେ ଏବେ ସ୍ବାମୀ କ୍ୟାନ୍ସରରେ ପୀଡ଼ିତ ହେବା ପରେ ତାଙ୍କୁ ବ୍ରହ୍ମପୁର, କଟକ, ଭୁବନେଶ୍ୱର, ରାଇପୁର, ବିଶାଖାପାଟଣା ଆଦି ଅଞ୍ଚଳରେ ଚିକିତ୍ସା କରାଇବା ପରେ ଆଉ ତାଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡିଛି। ପର ଘରେ ବାସନ ମାଜି ମାସକୁ ୬ ଶହ ଟଙ୍କା ରୋଜଗାର କରି ସେଥିରେ ଛୋଟ ଦୁଇଟି ଶିଶୁଙ୍କ ଖର୍ଚ୍ଚ ତୁଲାଉ ଥିବାବେଳେ ସ୍ବାମୀଙ୍କ ପାଇଁ ଔଷଧ ଓ ପରିବାର ଖର୍ଚ୍ଚ ପାଇଁ ଉକ୍ତ ଅର୍ଥ ନିଅଣ୍ଟ ପଡୁଛି।

ରାଜ୍ୟ ସରକାରଙ୍କ ରାସନ କାର୍ଡରେ ସେ ଟଙ୍କିକିଆ ଚାଉଳ ପାଉ ନ ଥିବାବେଳେ ଏବେ ଦୁଇ ଓଳି ଦୁଇ ମୁଠା ଖାଇବା କଷ୍ଟ ହୋଇପଡିଛି। ସେ ସରକାରଙ୍କ ସହାୟତା ପାଇଁ ଜିଲା ପ୍ରଶାସନ ଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନ ପର୍ଯ୍ୟନ୍ତ ନିବେଦନ କରିଛନ୍ତି। ଜିଲା ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ଜିଲା ପ୍ରଶାସନ କୌଣସି ପଦକ୍ଷେପ ନେଇ ନ ଥିବା ନିରୁପମା କହିଛନ୍ତି।