Categories: ଜାତୀୟ

ସ୍ମୃତି ଇରାନୀଙ୍କ ଠାରୁ ଅଜୟ ମିଶ୍ର ଟେନିଙ୍କ ପରି ଏହିସବୁ ମନ୍ତ୍ରୀଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୦।୬:ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନୂଆ ସରକାର ଗଠନ ହୋଇଛି। ମୋଦିଙ୍କ ନୂଆ ମନ୍ତ୍ରୀ ମଣ୍ଡଳରେ ବହୁନେତା ସ୍ଥାନ ପାଇଛନ୍ତି। ତେବେ ୧୮ତମ ଲୋକ ସଭା ଅଧିବେଶନରେ ବିଜୟୀ ଏମପିମାନେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଜୁନ ୨୪ରୁ ଆରମ୍ଭ ହେବାକୁ ଥିବା ଲୋକ ସଭା ଅଧିବେଶନରେ ଏହି ଶପଥ ଗ୍ରହଣ ଅନଷ୍ଠେିତ ହେବ। ଏଥିରେ ଏପରି ଅନେକ ଏମପି ଅଛନ୍ତି ଯେଉଁମାନେ ଦ୍ୱିତୀୟ କିମ୍ବା ତୃତୀୟ ଥର ପାଇଁ ଗୃହରେ ପ୍ରବେଶ କରିବାକୁ ଯାଉଛନ୍ତି। ଏଥି ସହିତ ଅନେକ ଅଛନ୍ତି ଯେଉଁମାନେ ପ୍ରଥମ ଥର ପାଇଁ ଏମପି ହୋଇଛନ୍ତି।

ତେବେ ନିୟମ ଅନୁସାରେ ନୂଆ ଏମପିଙ୍କୁ ସରକାରୀ ବଙ୍ଗଳା ଆଲର୍ଟ କରାଯାଇଥାଏ। ଏବଂ ପୁରୁଣା ଏମପିମାନେ ତାଙ୍କ ପୂର୍ବପରି ବାସଭବନରେ ରହିଥାନ୍ତି। କିନ୍ତୁ ଚଳିତ ଲୋକ ସଭା ନିର୍ବାଚନରେ ହାରିଥିବା ଏମପିଙ୍କୁ ସେମାନଙ୍କ ବାସଭବନ ଛାଡିବାକୁ ପଡ଼ିଥାଏ। ସୂଚନାନୁସାରେ, ଏହି ଏମପିମାନଙ୍କୁ ବଙ୍ଗଳା ଖାଲି କରିବାକୁ ଏବେ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ ୧୧ ଭିତରେ ସରକାରୀ ବଙ୍ଗଳା ଖାଲି କରିବାକୁ ସମୟ ଦିଆ ଯାଇଛି। ନଗର ଉନ୍ନୟନ ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ଥିତି ନିର୍ଦ୍ଦେଶକ ଏହି ନୋଟିସ ଜାରି କରିଛନ୍ତି।

ପରାଜିତ ମନ୍ତ୍ରୀଙ୍କ ମଧ୍ୟରେ ସ୍ମୃତି ଇରାନୀ, ଆର.କେ ସିଂ, ଅର୍ଜୁନ ମୁଣ୍ଡା, ମହେନ୍ଦ୍ରନାଥ ପାଣ୍ଡେ, ସଞ୍ଜୀବ ବାଲାନ, ରାଜୀବ ଚନ୍ଦ୍ରଶେଖର, କୈଳାଶ ଚୌଧୁରୀ, ଅଜୟ ମିଶ୍ର ଟେନି, ଭି ମୁରଲୀଧରନ, ନିଶିତ ପ୍ରମାନିକ, ସୁଭାଷ ସାରକାର, ସାଧବୀ ନିରଂଜନ ଭବନ କପିଲ ପାଟିଲ, ଭାଗବତ ଖୁବା, ଭାରତୀ ପାୱାର ଇତ୍ୟାଦି ନାମ ରହିଛି। ମୀନାକ୍ଷୀ ଲେଖୀଙ୍କ ଭଳି ନେତା ମଧ୍ୟ ଅଛନ୍ତି ଯେଉଁମାନେ ଟିକେଟ ପାଇନାହାଁନ୍ତି।

ସୂଚନାଥାଉ କି, କେନ୍ଦ୍ର ମନ୍ତ୍ରୀ ଏବଂ ଏମପିମାନଙ୍କୁ ଲୁଟେନ୍ସ ଦିଲ୍ଲୀରେ ସରକାରୀ ବଙ୍ଗଳା ବଣ୍ଟନ କରାଯାଇଥାଏ। ଏମପି ଓ ମନ୍ତ୍ରୀମାନେ ଗୃହର ସଦସ୍ୟତା ଆଧାରରେ ଏହି ବାସଭବନ ପାଇଥାନ୍ତି। ପରାଜିତ ଏମପିମାନଙ୍କର ସଦସ୍ୟତା ଶେଷ ହେବା ପରେ ସେମାନଙ୍କୁ ଏକ ମାସ ମଧ୍ୟରେ ସରକାରୀ ବଙ୍ଗଳା ଖାଲି କରିବାକୁ ପଡିଥାଏ। ଏଥିପାଇଁ ବିଜ୍ଞପ୍ତି ଜାରି କରାଯାଇଥାଏ। ନୋଟିସ ପାଇବା ପରେ ୩୦ ଦିନ ମଧ୍ୟରେ ଘର ଖାଲି କରିବାକୁ ପଡିଥାଏ।

Public Premises Eviction of Unauthorized Occupants Act ଅଧୀନରେ ସରକାରୀ ବଙ୍ଗଳା ଖାଲି କରାଯାଏ। କୌଣସି ବିବାଦ ଦେଖାଦେଲେ, ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଏ। ବିଶେଷ ପରିସ୍ଥିତିରେ ବଙ୍ଗଳା ଖାଲି କରିବାକୁ ଜୋର ଜବରଦସ୍ତି ମଧ୍ୟ କରାଯାଇପାରେ।

 

Share