ମେକଅପ ମ୍ୟାନଙ୍କୁ ଏମିତି ଡିମାଣ୍ଡ କରିଥିଲେ ସ୍ମିତା ଯାହା ମୃତ୍ୟୁ ପରେ ହୋଇଥିଲା ପୂରଣ!

ମୁମ୍ବାଇ: ବଲିଉଡରେ ୮୦ ଦଶକରେ ରାଜ କରୁଥିଲେ ଅଭିନେତ୍ରୀ ସ୍ମିତା ପାଟିଲ । ସେ ସମୟରେ ସେ ବଲିଉଡର ଆଗଧାଡିର ନାୟିକାଙ୍କ ମଧ୍ୟରୁ ଜଣେ ଥିଲେ । ତାଙ୍କ ସମ୍ପର୍କରେ ଏମିତି ଏକ କଥା ଶୁଣାଯାଏ ଯାହା ହୁଏତ ଅନେକଙ୍କୁ ଜଣା ନ ଥିବ । ସ୍ମିତା ପାଟିଲ ଲିଜେଣ୍ଡ୍ରି ଆକ୍ଟର ରାଜ କୁମାରଙ୍କ ସହ ଫିଲ୍ମ ‘ଗଲିୟୋ କା ବାଦଶାହା’ରେ କାମ କରୁଥାଆନ୍ତି । ଏହା ସେହି ଫିଲ୍ମର ଶୁଟିଂ ସହ ଜଡିତ । କୁହାଯାଏ ଏହି ସମୟରେ ସ୍ମିତା ରାଜ କୁମାରଙ୍କୁ ସାକ୍ଷାତ୍ କରିବାକୁ ତାଙ୍କ ମେକଅପ ରୁମରେ ପହଞ୍ଚିଯାଇଥିଲେ । ସେଠାରେ ସେ ଦେଖିଥିଲେ ରାଜ କୁମାର ଶୋଇକି ମେକଅପ ନେଉଛନ୍ତି । ଆଉ ସେଠାରୁ ସ୍ମିତା ଫେରିଆସିବା ପରେ ଏକ ଇଚ୍ଛା ନେଇ ଫେରି ଆସିଥିଲେ ।
ରାଜ କୁମାରଙ୍କୁ ଦେଖିବା ପରେ ସ୍ମିତା ଇଚ୍ଛା ପ୍ରକାଶ କରିଥିଲେ କି ସେ ବି ଶୋଇକି ମେକଅପ ନେବେ । ସେ ସମୟର ଚର୍ଚ୍ଚିତ ମେକଅପ ଆର୍ଟିଷ୍ଟ ଦୀପକ ସାୱନ୍ତଙ୍କ ସାମ୍ନାରେ ସେ ଏହା କହିଥିଲେ । କାରଣ ସେହି ଫିଲ୍ମରେ ସ୍ମିତାଙ୍କ ମେକଅପ ଦାୟିତ୍ୱ ଦୀପକଙ୍କୁ ଦିଆଯାଇଥିଲା । ହେଲେ ସ୍ମିତାଙ୍କ ଡିମାଣ୍ଡକୁ ସହଜରେ ଗ୍ରହଣ କରିପାରି ନ ଥିଲେ ଦୀପକ । ସେ ସ୍ମିତାଙ୍କୁ ବହୁତ ବୁଝାଇଥିଲେ । ଦୀପକ କହିଥିଲେ ରାଜ କୁମାର ବହୁତ ଜିଦିଆ । ସେ ଯାହା ବୁଝନ୍ତି ତାହାହିଁ କରନ୍ତି । ହେଲେ ଶୋଇବା ଅପେକ୍ଷା ବସିକି ମେକଅପ ନେଲେ ଭଲ ହୋଇଥାଏ । ଶେଷରେ ସ୍ୱିତା ଦୀପକଙ୍କ କଥା ମାନି ଯାଇଥିଲେ ।
ହେଲେ ଏହାର ଖୁବ୍ କମ୍ ଦିନ ମଧ୍ୟରେ ଅର୍ଥାତ୍ ୧୯୮୬ରେ ସ୍ମିତା ପାଟିଲଙ୍କର ଅକାଳ ବିୟୋଗ ହୋଇଯାଇଥିଲା । ଯାହାକୁ କେହି ସହଜରେ ଗ୍ରହଣ କରିପାରି ନ ଥିଲେ । ଆଉ ତାଙ୍କ ଶେଷ ବିଦାୟ ଦେବାକୁ ଯାଇ ମେକଅପ ଆର୍ଟିଷ୍ଟ ଦୀପକ ଥରୁଥିବା ହାତରେ ସ୍ମିତାଙ୍କୁ ଶୋଇବା ଅମସ୍ଥାରେ ହିଁ ମେକଅପ କରିଥିଲେ । ସ୍ମିତାଙ୍କ ଶୁଟିଂ ସମୟର ଇଚ୍ଛା ପୂରଣ ହାଇଥିଲା ମୃତ୍ୟୁ ପରେ ।

Share