Categories: ଖେଳ

ସଚିନ, ସଙ୍ଗାକାରାଙ୍କୁ ପଛରେ ଛାଡ଼ିଲେ ସ୍ମିଥ

ଲାହୋର,୨୪।୩: ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ବିଶ୍ୱର ଦ୍ରୁତତମ ବ୍ୟାଟର ଭାବେ ଟେଷ୍ଟ କ୍ରିକେଟରେ ୮ ହଜାର ରନ୍‌ ପୂରଣ କରିଛନ୍ତି। ପାକିସ୍ତାନ ବିପକ୍ଷ ୩ୟ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ୧୭ ରନ୍‌ର ପାଳି ଖେଳିବା ଅବସରରେ ଏହି ରେକର୍ଡ ନିଜ ନାମରେ କରିଛନ୍ତି ୩୨ ବର୍ଷୀୟ ସ୍ମିଥ। କ୍ୟାରିୟରର ୮୫ ଟେଷ୍ଟର ୧୫୧ତମ ଇନିଂସରେ ସେ ୮ ହଜାର ଟେଷ୍ଟ ରନ୍‌ ପୂରଣ କରିଛନ୍ତି। ଏହି ମାଇଲଷ୍ଟୋନ ସ୍ପର୍ଶ କରିବାରେ ସ୍ମିଥ ଅଷ୍ଟ୍ରେଲିଆର ୭ମ ଏବଂ ବିଶ୍ୱର ୩୩ତମ ଖେଳାଳି।

ଏହି ଧାରାରେ ସ୍ମିଥ ଶ୍ରୀଲଙ୍କାର କିମ୍ବଦନ୍ତୀ କୁମାର ସଙ୍ଗାକାରଙ୍କ ରେକର୍ଡ ଭଙ୍ଗ କରିଛନ୍ତି। ସେ କ୍ୟାରିୟରର ୧୫୨ତମ ଇନିଂସରେ ଏହି ମାଇଲଷ୍ଟୋନ ସ୍ପର୍ଶ କରିଥିଲେ। ତାଙ୍କ ପଛକୁ ଖୁବ୍‌ କମ୍‌ ଇନିଂସରେ ୮ ହଜାର ରନ୍‌ ପୂରଣ କରିଥିବା ବ୍ୟାଟରଙ୍କ ତାଲିକାରେ ସଚିନ ତେନ୍ଦୁଲକର (୧୫୪ ଇନିଂସ), ସାର ଭିଭିଆନ ରିଚାଡର୍‌ସ (୧୫୭) ଓ ରାହୁଲ ଡ୍ରାଭିଡ୍‌ (୧୫୮)ଙ୍କ ଭଳି ବ୍ୟାଟର ରହିଛନ୍ତି।