Categories: ଖେଳ

ସ୍ମିଥ୍‌, ଡିଭିଲର୍ସଙ୍କୁ ବୋଲିଂ କରିବା ବଡ଼ ଚ୍ୟାଲେଞ୍ଜ: କୁଲଦୀପ୍‌

ନୂଆଦିଲ୍ଲୀ,୩।୭(ପି.ଟି): ଅଷ୍ଟ୍ରେଲିଆ ତାରକା ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ ଓ ଦକ୍ଷିଣ ଆଫ୍ରିକା ପୂର୍ବତନ ବ୍ୟାଟ୍ସମ୍ୟାନ ଏବି ଡିଭିଲର୍ସଙ୍କୁ ବୋଲିଂ କରିବା ଏକ ବଡ଼ ଚ୍ୟାଲେଞ୍ଜ୍‌ ବୋଲି ଭାରତୀୟ ରିଷ୍ଟ ସ୍ପିନର କୁଲଦୀପ ଯାଦବ କହିଛନ୍ତି। ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ପାଖରେ ଏକ ସ୍ବତନ୍ତ୍ର କଳା ରହିଛି। ସ୍ମିଥ୍‌ ବ୍ୟାକ୍‌ ଫୁଟ୍‌ରେ ଓ ଲେଟ୍‌ରେ ଶଟ୍‌ ଖେଳିଥାନ୍ତି। ତେଣୁ ତାଙ୍କୁ ବୋଲିଂ କରିବାକୁ କଷ୍ଟକର ହୋଇଥାଏ ବୋଲି ଇଏସ୍‌ପିଏନ୍‌ କ୍ରିକ୍‌ଇନ୍‌ଫୋର କ୍ରିକେଟବାଜି ଏପିସୋଡ୍‌ରେ ଦୀପ୍‌ଦାସ ଗୁପ୍ତାଙ୍କୁ କହିଛନ୍ତି।
ଦିନିକିଆ ଫର୍ମାଟ୍‌ରେ ଡିଭିଲର୍ସ ଜଣେ ଉଚ୍ଚକୋଟୀର ଖେଳାଳି। ତାଙ୍କର ଷ୍ଟାଇଲ୍‌ ସ୍ବତନ୍ତ୍ର। ଏବେ ସେ ଅବସର ଗ୍ରହଣ କରିଛନ୍ତି। ଏହା ନିଶ୍ଚିତ ଭାବେ ଆମ ପାଇଁ ଭଲ। ଡିଭିଲର୍ସଙ୍କୁ ବାଦ୍‌ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରିବା ସେତେଟା କଷ୍ଟକର ନୁହଁ ବୋଲି ସେ କହିଛନ୍ତି। ଗତ ବର୍ଷ ଖରାପ୍‌ ଫର୍ମ ଦେଇ ଗତି କରୁଥିବା କଥାକୁ ସେ ସ୍ବୀକାର କରିଛନ୍ତି। କେତୋଟି କୌଶଳର ଅଭାବ କାରଣରୁ ଗତବର୍ଷ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲି। ଗତବର୍ଷ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ ପାରି ନ ଥିଲି। ବିଶ୍ୱକପ୍‌ ପୂର୍ବରୁ ଭଲ ପ୍ରସ୍ତୁତି କରିଥିଲି। ଉଇକେଟ ହାସଲ କରି ନ ଥିଲେ ମଧ୍ୟ ବିଶ୍ୱକପ୍‌ରେ ଭଲ ପ୍ରଦର୍ଶନ କରିଥିଲା ବୋଲି ସେ କହିଛନ୍ତି। ଏହାପରେ ଦଳରୁ ସାମିଲ ହେବା ସହ ଏକାଧିକ ବାର ବାଦ୍‌ ମଧ୍ୟ ପଡିଥିଲି। ସାଥୀ ରିଷ୍ଟ ସ୍ପିନର ୟୂଜବେନ୍ଦ୍ର ଚହଲଙ୍କ ସହ ମୋର ଯୋଡି ବେଶ୍‌ ଭଲ ରହିଆସିଛି। ପଡିଆ ଭିତରେ ଓ ବାହାରେ ତାଙ୍କର ଉପଦେଶ ଓ ସମର୍ଥନ ବେଶ୍‌ କାମରେ ଆସେ। ମିଡଲ ଓଭରରେ ଆମେ ୩ରୁ ୪ ଉଇକେଟ ହାସଲ କରିଥାଉ। ଷ୍ଟମ୍ପ ପଛରେ ରହି ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆମକୁ ମୂଲ୍ୟବାନ ଟିପ୍ସ ଦେଇଥାନ୍ତି। ଧୋନୀ ମଧ୍ୟ ଆବଶ୍ୟକତା ଅନୁଯାୟୀ ଫିଲ୍ଡ ସଜାଇଥାନ୍ତି। ପୂରା ଆତ୍ମବିଶ୍ୱାସ ସହ ବୋଲିଂ କରିବାରେ ସେ ବହୁତ ସାହାଯ୍ୟ କରିଆସିଛନ୍ତି ବୋଲି କୁଲପୀପ କହିଛନ୍ତି।

Share