Categories: ଖେଳ

ସାର୍‌ ଡନ ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗିଲେ ସ୍ମିଥ୍‌

ସିଡନୀ,୫।୧: ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ସିଡନୀରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନରେ ଚା’ ବିରତି ପର୍ଯ୍ୟନ୍ତ ତିନି ଉଇକେଟ ହରାଇ ୩୯୪ ରନ ସଂଗ୍ରହ କରିଥିଲା। ଏହି ମ୍ୟାଚରେ ଷ୍ଟିଭ ସ୍ମିଥ ଚମତ୍କାର ଶତକ ହାସଲ କରିଥିଲେ। ସେ ୧୯୨ ବଲ୍‌ରୁ ୧୦୪ ରନ୍‌ କରିଥିଲେ। ଏହା ତାଙ୍କର ଟେଷ୍ଟ କ୍ୟାରିୟରର ୩୦ତମ ଶତକ ଥିଲା। ଟେଷ୍ଟ ଶତକ ଦୃଷ୍ଟିରୁ ସ୍ମିଥ ସାର୍‌ ଡନ ବ୍ରାଡମ୍ୟାନଙ୍କୁ ପଛରେ ପକାଇଛନ୍ତି। ବ୍ରାଡମ୍ୟାନଙ୍କ ୨୯ ଶତକ ଥିଲା।
ଏହା ସହିତ ଅଷ୍ଟ୍ରେଲିଆ ପାଇଁ ଟେଷ୍ଟରେ ସର୍ବାଧିକ ଶତକ ତାଲିକାରେ ସ୍ମିଥ ତିନି ନମ୍ବରରେ ପହଞ୍ଚିଛନ୍ତି। ତାଙ୍କଠାରୁ କେବଳ ରିକି ପଣ୍ଟିଂ ଏବଂ ଷ୍ଟିଭ ୱ ଆଗରେ ଅଛନ୍ତି। ୱ ୩୨ ଏବଂ ପଣ୍ଟିଂ ୪୧ ଶତକ ହାସଲ କରିଥିଲେ।
ଟେଷ୍ଟରେ ସର୍ବାଧିକ ଶତକ ହାସଲ କରିବାରେ ଭାରତର ସଚିନ ତେନ୍ଦୁଲକର ରେକର୍ଡ କରିଛନ୍ତି। ସେ ୫୧ ଶତକ ହାସଲ କରିଥିଲେ। ଏଥି ସହିତ ପୂର୍ବତନ ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର ଜ୍ୟାକ କଲିସ ଦ୍ୱିତୀୟ ସ୍ଥାନରେ ଅଛନ୍ତି। କଲିସ ୪୫ ଶତକ ହାସଲ କରିଥିଲେ।

Share