Categories: ଜାତୀୟ

ନ୍ୟାୟ ପାଇଁ ନୁହେଁ ରାଜନୀତି କରିବାକୁ ହାଥରସ ଯାଉଛନ୍ତି ରାହୁଲ: ଇରାନି

ନୂଆଦିଲ୍ଲୀ,୩ ।୧୦: ଉତ୍ତର ପ୍ରଦେଶ ହାଥରସ ବଳାତ୍କାର ମାମଲାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ରାଜନୀତି । ଗୋଟିଏ ପଟେ ପୀଡ଼ିତାଙ୍କ ପରିବାର ଭିନ୍ନ ଭିନ୍ନ ବୟାନ ଦେଉଥିବା ବେଳେ ଅନ୍ୟପଟେ ଏହାକୁ ନେଇ ଶାସକ ବିରୋଧି ମଧ୍ୟରେ ଟଣା ଓଟରା ଆରମ୍ଭ ହୋଇ ଯାଇଛି । ପ୍ରାୟ ୨ ଦିନ ହେବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହାଥରସ ଯିବାକୁ ଉଦ୍ୟମ କରୁଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କୁ ପ୍ରଶାସନ ସେଠାରେ ପହଞ୍ଚିବାକୁ ଦେଉନାହିଁ । ଶନିବାର ପୁଣିଥରେ ରାହୁଲ ହାଥରସ ଯିବା କଥା ଜଣାପଡିଛି । ରାହୁଲ କହିଛନ୍ତି ହାଥରସ ଯିବାକୁ ତାଙ୍କୁ କୌଣସି ଶକ୍ତି ଅଟକାଇ ପାରିବ ନାହିଁ । ଏବେ ରାହୁଲଙ୍କ ଗସ୍ତକୁ ନେଇ କେନ୍ଦ୍ରମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତ୍ରୀ ସ୍ମୃତି ଇରାନି କହିଛନ୍ତି ରାହୁଲ ଗାନ୍ଧୀ ସେଠାକୁ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ନୁହେଁ ବରଂ ରାଜନୀତି କରିବାକୁ ଯାଉଛନ୍ତି । କଂଗ୍ରେସର ନୀତି ସମ୍ପର୍କରେ ଲୋକଙ୍କୁ ବେଶ୍ ଭଲଭାବେ ଜଣାଅଛି ସେଥିପାଇଁ ଜନତା ୨୦୧୯ରେ ବହୁ ସଂଖ୍ୟାରେ ଭାଜପାକୁ ଭୋଟଦେଇ ଶାସନ କ୍ଷମତା ଦେଇଛନ୍ତି । ତେବେ ରାହୁଲଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧିମଣ୍ଡଳ ଶନିବାର ହାଥରସ ବଳାତ୍କାର ପୀଡିତାଙ୍କ ପରିଜନଙ୍କୁ ଭେଟିବା ସହ ଦୁଃଖ ସମୟରେ ସେମାନଙ୍କ ପାଖରେ ଠିଆ ହେବା କଥା ରାହୁଲ ଟୁଇଟ୍ କରି କହିଛନ୍ତି । ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୪ରେ ହାଥରସରେ ୪ ଯୁବକ ଜଣେ ଦଳିତ ଯୁବତିଙ୍କୁ ଗଣବଳାତ୍କାର କରିଥିଲେ । ଏହାପରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲୁଥିବା ବେଳେ ଯୁବତୀଙ୍କ ମୃତ୍ୟୁ ହୋଇଯାଇଛି । ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଥିବା ବେଳେ ବୁଧବାର ରାତିରେ ତାଙ୍କ ମୃତ ଦେହକୁ ସଂସ୍କାର କରାଯାଇଥିଲା । ଏବେ ଏହି ଘଟଣାକୁ ନେଇ ବହୁ ବାଦ ବିବାଦ ଉପୁଜିଛି ।

Share