ମଣିପୁର କଳାକାରଙ୍କ ସହ ଗୀତର ତାଳେ ତାଳେ ଝୁମିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

ଇମ୍ଫାଲ,୧୯।୨: ମଣିପୁର ସମେତ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ମଣିପୁରରେ ପ୍ରଥମ ପର୍ଯ୍ୟାୟ ଭୋଟ ଫେବୃଆରୀ ୨୮ରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୫ରେ ଅନୁଷ୍ଠିତ ହେବ। ଏଥିପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଥିବା ବେଳେ ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିପଡ଼ିଛନ୍ତି ଦଳ। ଏହିକ୍ରମରେ ଶୁକ୍ରବାର କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଭାଜପା ପାଇଁ ପ୍ରଚାର କରିବାକୁ ମଣିପୁର ରାଜଧାନୀ ଇମ୍ଫାଲରେ ପହଞ୍ଚିଥିଲେ। ଏହି ସମୟରେ ସେ ମହିଳା କଳାକାରଙ୍କ ସହିତ ପାରମ୍ପରିକ ନୃତ୍ୟରେ ସାମିଲ ହୋଇଥିବାର ଦେଖିବାକୁ ମିଳିଛି। ଗୀତର ତାଳେ ତାଳେ କଳାକାରଙ୍କ ସହିତ ଝୁମିଛନ୍ତି ସ୍ମୃତି ଇରାନୀ। ଏହି ଅବସରରେ ସେ ବେଶ୍‌ ଖୁସି ଥିବା ନଜର ଆସିଛନ୍ତି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ମଣିପୁରର ୬୦ଟି ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି। ଏହାର ଫଳାଫଳ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ଓ ଗୋଆରେ ବିଧାନସଭା ନିର୍ବାଚନର ଫଳାଫଳ ସହିତ ମାର୍ଚ୍ଚ ୧୦ରେ ଘୋଷଣା କରାଯିବ ବୋଲି ସୂଚନା ରହିଛି।

Share