Categories: ଜାତୀୟ

ରାଜ୍ୟ ସଭାରେ ରାଗିଗଲେ ସ୍ମୃତି ଇରାନୀ, ବିରୋଧୀଙ୍କୁ ଦେଲେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୨୫।୭: ମଣିପୁର ହିଂସାକୁ ନେଇ ସଂସଦରେ ହଟ୍ଟଗୋଳ ବୁଧବାର ମଧ୍ୟ ଜାରି ରହିଛି। ବିରୋଧୀ ଦଳ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନୋଟିସ ଦେଇଛନ୍ତ। ଏହାକୁ ଲୋକ ସଭା ବାଚସ୍ପତି ଓମ ବିର୍ଲା ଗ୍ରହଣ କରିଛନ୍ତି। ମଣିପୁର ପ୍ରସଙ୍ଗରେ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିବୃତ୍ତି ଦିଅନ୍ତୁ ବୋଲି ବିରୋଧୀ ଦାବି କରୁଛନ୍ତି। ବୁଧବାର କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ବିରୋଧୀଙ୍କ ହଟ୍ଟଗୋଳକୁ ନେଇ ବିରୋଧୀଙ୍କୁ କଡ଼ା ଟାର୍ଗେଟ୍‌ କରିଥିଲେ।
ରାଜ୍ୟ ସଭାରେ ପ୍ରଶ୍ନ କାଳରେ ବିରୋଧୀ ଦଳର ଏମ୍‌ପିମାନେ ମଣିପୁର ପ୍ରସଙ୍ଗରେ ସ୍ଲୋଗାନ ଦେଇଥିଲେ। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ରାଗିଯାଇ ବିରୋଧୀଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ, ଯଦି ଆପଣଙ୍କର ସାହସ ଅଛି ତେବେ ରାଜସ୍ଥାନ, ଛତିଶଗଡ ଏବଂ ପଶ୍ଚିମବଙ୍ଗ ବିଷୟରେ ମଧ୍ୟ ଆଲୋଚନା କରନ୍ତୁ।
ଭାଜପା ଏମ୍‌ପି ତଥା ଆଥଲେଟ ପି.ଟି ଉଷା ରାଜ୍ୟ ସଭାରେ ଭାଷଣ ଦେଉଥିବାବେଳେ ବିରୋଧୀ ଦଳର ଏମ୍‌ପିମାନେ ‘ମଣିପୁର-ମଣିପୁର’ର ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏହା ଦେଖି ସ୍ମୃତି ଇରାନୀ ବିରୋଧୀ ଏମ୍‌ପିମାନଙ୍କୁ ଭର୍ତ୍ସନା କରି କହିଛନ୍ତି, ଯେଉଁମାନେ ତାଙ୍କୁ ଅସୁବିଧାରେ ପକାଉଛନ୍ତି (ପିଟି ଉଷା), ସେମାନେ ଦେଶର ଗୌରବ ବଢାଇବାରେ ପିଟି ଉଷାଙ୍କ ଦୁଇ ତୃତୀୟାଂଶ ଅବଦାନ ମଧ୍ୟ ଦେଇ ନ ଥିବେ।

Share