Categories: ଜାତୀୟ

ଶାହାଙ୍କ ସ୍ଥାନରେ ହାୱଡାରେ ରାଲି କରିବେ ସ୍ମୃତି

କୋଲକାତା,୩୧ ।୧: ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ଇସ୍ରାଏଲ ଦୂତାବାସ ବାହାରେ ହୋଇଥିବା ବିସ୍ଫୋରଣ ପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ତାଙ୍କର ପଶ୍ଚିମବଙ୍ଗ ଗସ୍ତକୁ ବାତିଲ କରି ଦେଇଥିଲେ । ଏବେ ତାଙ୍କ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପଶ୍ଚିମବଙ୍ଗର ହାୱଡାରେ ରାଲି କରିବେ ବୋଲି ଜଣାପଡିଛି । ଏହି ରାଲିରେ ରାଜୀବ ବାନାର୍ଜୀଙ୍କ ସହିତ ୫ ନେତା ବି ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଯେଉଁମାନେ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି) ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ଏମାନେ ଶନିବାର ଦିଲ୍ଲୀ ଆସି ଶାହାଙ୍କୁ ଭେଟିଥିଲେ । ସୂଚନାଯୋଗ୍ୟ, ଶାହା ୩୦ ଓ ୩୧ ଜାନୁୟାରୀରେ ପଶ୍ଚିମବଙ୍ଗ ଯାତ୍ରା କରିବାର କାର୍ଯ୍ୟକ୍ରମ ଥିଲା । ଚଳିତ ବର୍ଷ ଏପ୍ରିଲ ବା ମେ’ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଥିବା ବେଳେ ଏବେ ଭାଜପା ସେଠାରେ ସରକାର ଗଠନ କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ସେଥିପାଇଁ ଶାହା ପଶ୍ଚିମବଙ୍ଗ ଗସ୍ତ କରି ଥାଆନ୍ତେ । ଅନ୍ୟପଟେ ଭାଜପାର ଏଭଳି କାର୍ଯ୍ୟ ପଶ୍ଚିମବଙ୍ଗର ଶାସକ ଦଳ ତ୍ରୁଣମୂଳ କଂଗ୍ରେସକୁ ଅଡୁଆରେ ପକାଇ ଦେଉଛି । କାରଣ ନିକଟରେ କେତେଜଣ ନେତା ଟିଏମ୍‌ସି ଛାଡି ଭାଜପାରେ ସାମିଲ ହୋଇ ସାରିଲେଣି । ଏହାଦ୍ୱାରା ଟିଏମ୍‌ସି ଦୁର୍ବଳ ହୋଇ ଯାଉଛି ବୋଲି ବି ଆଲୋଚନା ହେଉଛି ।

Share