ନୂଆଦିଲ୍ଲୀ,୨୩।୫: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ଯଦି ରାହୁଲ ଗାନ୍ଧୀ ୱାୟନାଡରେ ରହିଥାନ୍ତେ,ତେବେ ଉତ୍ତରପ୍ରଦେଶର ଆମେଠି ପରି ଅବସ୍ଥା ହୋଇଥାନ୍ତା। ସୋମବାର କେରଳର ଭାରତ ମଜଦୁର ସଂଗଠନ (ବିଏମଏସ) ଦ୍ୱାରା ଆୟୋଜିତ ରାଜ୍ୟ ସ୍ତରୀୟ ମହିଲା ଶ୍ରମିକ ସମ୍ମିଳନୀର ଉଦ୍ଘାଟନ ସମୟରେ କେନ୍ଦ୍ର ମନ୍ତ୍ରୀ ଏଭଳି କହିଛନ୍ତି। ଅପରାଧିକ ମାନହାନୀ ମାମଲାରେ ଗୁଜରାଟ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ସହ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ ହେବା ପୂର୍ବରୁ ରାହୁଲ ଗାନ୍ଧୀ ୱାୟନାଡ ଲୋକ ସଭା ନିର୍ବାଚନମଣ୍ଡଳୀରୁ ଏମ୍ପି ଥିଲେ।
ସ୍ମୃତି ଇରାନୀ କହିଛନ୍ତି, ତାଙ୍କୁ ରାହୁଲ ଗାନ୍ଧୀଙ୍କୁ ଆମେଠିରୁ ବିଦା କରିବାର ସୌଭାଗ୍ୟ ମିଳିଥିଲା। ଯେତେବେଳେ ରାହୁଲ ଗାନ୍ଧୀ ଆମେଠରୁ ଏମ୍ପି ଥିଲେ, ସେଠାରେ ୮୦% ଲୋକଙ୍କର ବିଦ୍ୟୁତ ସଂଯୋଗ ନ ଥିଲା, ଜିଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ନ ଥିଲା, ଅଗ୍ନିଶମ କେନ୍ଦ୍ର ଏବଂ ମେଡିକାଲ କଲେଜ ନଥିଲା। ବିଦ୍ୟାଲୟ କିମ୍ବା ସୈନିକ ବିଦ୍ୟାଳୟ ମଧ୍ୟ ନ ଥିଲା।
ହେଲେ ରାହୁଲ ଗାନ୍ଧୀ ଚାଲିଯିବା ପରେ ସେଠାରେ ଏହି ସମସ୍ତ ସୁବିଧା ଏବଂ ଭିତ୍ତିଭୂମି ସମ୍ଭବ ହେଲା, ତେଣୁ ଯଦି ସେ ୱାୟନାଡରେ ରହନ୍ତି, ସେଠାରେ ମଧ୍ୟ ଆମେଠି ଭଳି ହେବ। ଇରାନୀ କହିଛନ୍ତି ,ସେ ଯେଉଁଠାରେ ବି ରୁହନ୍ତି, ଦିଲ୍ଲୀ କିମ୍ବା ଆମେଠି ହୁଅନ୍ତୁ, ସେ ୱାୟନାଡ ବିଷୟରେ ବହୁତ ଚିନ୍ତିତ, ତେଣୁ ୨୫୦ ଅଙ୍ଗନୱାଡିଙ୍କୁ ଦକ୍ଷ ଅଙ୍ଗନୱାଡିରେ ପରିଣତ କରିବାକୁ ନିଷ୍ପତ୍ତି ନେଇଛନ୍ତି।