Categories: ଜାତୀୟ

ନିସର୍ତ୍ତ କ୍ଷମା ମାଗନ୍ତୁ ସ୍ମୃତି ଇରାନୀ, ଲୋକ ସଭା ବାଚସ୍ପତିଙ୍କୁ ଅଧୀର ରଞ୍ଜନଙ୍କ ଚିଠି…

ନୂଆଦିଲ୍ଲୀ, ୩୧।୭ : ଭୁଲ ଭାବରେ ରାଷ୍ଟ୍ରପତିଙ୍କ ନାମ ନେବା ପ୍ରସଙ୍ଗ ନେଇ ବିବାଦ ଥମିବାର ନା ଧରୁନି। ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ପୁଣି ଥରେ ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ସ୍ମୃତି ଇରାନୀଙ୍କୁ ନିସର୍ତ୍ତ କ୍ଷମା ମାଗିବାକୁ ଦାବି କରିଛନ୍ତି। ଅଧୀର ରଞ୍ଜନ ଏଥର ତାଙ୍କ ଚିଠିରେ ଲେଖିଛନ୍ତି ଯେ ମୁଁ କହୁ କହୁ ଏଭଳି ଶବ୍ଦ ମୋ ପାଟିରୁ ଖସି ଯାଇଥିଲା। ଏହି ଅନିଚ୍ଛାକୃତ ଭୁଲଟି ଘଟିଛି କାରଣ ମୁଁ ହିନ୍ଦୀରେ ସେତେ ଭଲ ଭାବେ କହି ପାରେନା। ମୋର ଭୁଲ ପାଇଁ ମୁଁ ଦୁଃଖ ପ୍ରକାଶ କରି ମାନ୍ୟବର ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛି। କିନ୍ତୁ ମୁଁ ଏହା ମଧ୍ୟ କହିବାକୁ ଚାହେଁ ଯେ ସ୍ମୃତି ଇରାନୀ ଗୃହରେ ସମ୍ମାନିତ ରାଷ୍ଟ୍ରପତିଙ୍କ ନାମ ଯେଭଳି ଭାବେ ଗ୍ରହଣ କରୁଛନ୍ତି ଠିକ ନୁହେଁ। ସେ ମାନ୍ୟବର ରାଷ୍ଟ୍ରପତି କିମ୍ବା ମ୍ୟାଡାମ କିମ୍ବା ଶ୍ରୀମତୀ ପରି ସମ୍ମାନଜନକ ଶବ୍ଦ ବ୍ୟବହାର ନକରି ବାରମ୍ବାର ଦ୍ରୌପଦୀ ମୁର୍ମୁ ବୋଲି ଚିତ୍କାର କରୁଥିଲେ। ଏହା ମାନ୍ୟବର ରାଷ୍ଟ୍ରପତିଙ୍କ ପଦବୀ ପଦ ମର୍ଯ୍ୟାଦା ହ୍ରାସ କରିବା ପରି ମନେ ହେଉଛି। ତେଣୁ, ମୁଁ ଦାବି କରୁଛି ଯେ ସ୍ମୃତି ଇରାନୀ ନିଜର ଭୁଲ ପାଇଁ ବିନା ସର୍ତ୍ତରେ କ୍ଷମା ମାଗନ୍ତୁ।

Share