Categories: ଜାତୀୟ

ସ୍ମୃତି ମୋ-ତୁମ ମଧ୍ୟରେ ଏକ ନୂଆ ସେତୁ : ପ୍ରଧାନମନ୍ତ୍ରୀଙ୍କ ୱେବସାଇଟରେ ‘ମା’ ବିଭାଗ ଆରମ୍ଭ…

ନୂଆଦିଲ୍ଲୀ,୧୧।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଫିସିଆଲ ୱେବସାଇଟରେ ତାଙ୍କ ମା ହୀରାବେନ ମୋଦିଙ୍କୁ ଏକ ଅନନ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଶନିବାର ହିରବାଙ୍କୁ ଉତ୍ସର୍ଗୀକୃତ ଏକ ମାଇକ୍ରୋସାଇଟ ‘ମା’ ଲଞ୍ଚ କରାଯାଇଛି। ଏହି ମାଇକ୍ରୋସାଇଟରେ ଚାରୋଟି ଭିନ୍ନ ବିଭାଗ ସୃଷ୍ଟି କରାଯାଇଛି। ଏଥିରେ ହିରବାଙ୍କ ଜୀବନ, ତାଙ୍କର ଫଟୋ-ଭିଡିଓ ଏବଂ ତାଙ୍କ ଶିକ୍ଷା ସମ୍ବନ୍ଧୀୟ ତଥ୍ୟ ଅନ୍ତର୍ଭୁକ୍ତ ହୋଇଛି। ସ୍ମୃତି ବର୍ତ୍ତମାନ ମୋ ଏବଂ ତୁମ ମଧ୍ୟରେ ଏକ ନୂଆ ସେତୁ ହୋଇଛି ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

ଅଧିକାରୀମାନେ କହିିଛନ୍ତି ଯେ ମାଇକ୍ରୋସାଇଟ ‘ମା’ ମାତୃତ୍ୱର ଅତୁଟ ଭାବନାକୁ ପ୍ରତିଫଳିତ କରୁଛି। ପ୍ରଧାନମନ୍ତ୍ରୀଙ୍କ ମା’ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହାକୁ ଆରମ୍ଭ କରାଯାଇଛି। ଏହି ମାଇକ୍ରୋସାଇଟରେ ପ୍ରଧାନମନ୍ତ୍ରୀଙ୍କ ମା’ଙ୍କ ଦୈନନ୍ଦିନ କାର୍ଯ୍ୟ, ଦେଶବାସୀଙ୍କ ମନରେ ଥିବା ସ୍ମୃତି ତଥା ହିରବାଙ୍କ ଦେହାନ୍ତରେ ବିଶ୍ୱ ନେତାଙ୍କ ସମବେଦନା ବାର୍ତ୍ତା ମଧ୍ୟ ସ୍ଥାନୀତ ହୋଇଛି। ଗତ ବର୍ଷ ଡିସେମ୍ବର ୩୦ରେ ହୀରବାଙ୍କର ଦେହାନ୍ତ ହୋଇଥିଲା ।

ଏହି ମାଇକ୍ରୋସାଇଟ ଆରମ୍ଭରେ ଏକ ଭିଡିଓ ଅଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାବନା ଏବଂ ତାଙ୍କ ମା ପାଇଁ ଶବ୍ଦ ଅତି ସୁନ୍ଦର ଭାବରେ ଉପସ୍ଥାପିତ ହୋଇଛି। ଏହା ସହିତ ପିଏମ ମୋଦିଙ୍କ ପିଲାଦିନରୁ ତାଙ୍କ ମା’ଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସମୟ କାହାଣୀ ଉପସ୍ଥାପିତ ହୋଇଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବତନ୍ତ୍ର ବ୍ଲଗ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ଯାହା ସେ ତାଙ୍କ ୧୦୦ତମ ବର୍ଷରେ ପ୍ରବେଶ କରିବାବେଳେ ତାଙ୍କ ମା ପାଇଁ ଲେଖିଥିଲେ। ହିନ୍ଦୀରେ ଲିଖିତ ବ୍ଲଗର ଏକ ଅଡିଓ ସଂସ୍କରଣ ମଧ୍ୟ ଅଛି ।

ଏହି ଅଡିଓରେ କୁହାଯାଇଛି, ପୂଜ୍ୟା ମା, ଆଜି ତୁମେ ଆଉ ନାହଁ, ତଥାପି ତୁମ ଦ୍ୱାରା ଦିଆଯାଇଥିବା ସଂସ୍କାରଗୁଡ଼ିକ ମୋ ମନ ଏବଂ ମସ୍ତିଷ୍କ ଉପରେ ତୁମର ଦୁଇ ହାତ ପରି ବ୍ୟାପିଛି, ଯାହା ମୋତେ ଶକ୍ତି ଏବଂ ଶିକ୍ଷା ଦେଇଥାଏ। ମୁଣ୍ଡ ନୁଆଁଇ, କପାଳରେ ତିଲକ ଲଗାଇବା, ମିଠା ଖାଇବାକି ଦେବା, ହାତ ଧରି ରଖିବା, ଦୀପ ଜାଳିବା, ପାଦକୁ ଛୁଇଁବା ଏବଂ ତୁମର ଶକ୍ତି ମୋ ଆଙ୍ଗୁଳି ଦେଇ ମୋ ଶିରାରେ ପହଞ୍ଚିବା, ଏହି ଅଳ୍ପ କିଛି ସ୍ମୃତି ବର୍ତ୍ତମାନ ମୋ ଏବଂ ତୁମ ମଧ୍ୟରେ ଏକ ନୂତନ ସେତୁ ପାଲଟିଛି। ମା, ତୁମକୁ ଭେଟିବା ପାଇଁ ଏହା ଏକ ନୂଆ ସେତୁ, ବର୍ତ୍ତମାନ ମୁଁ ଏହା ଉପରେ ଚାଲିବି। ଯେତେବେଳେ ବି ଜୀବନରେ ସଂଘର୍ଷ କିମ୍ବା ଆନନ୍ଦ ଥାଏ, ଭବିଷ୍ୟତରେ ମୁଁ ଯେଉଁଠାରେ ଥିବି, ତୁମର ଅଭାବକୁ ମୁଁ ଅନୁଭବ କରିବି।

ଏଥିରେ ଚାରୋଟି ବିଭାଗ ପ୍ରସ୍ତୁତ କରାଯାଇଛି। ଯାହାକୁ ଲାଇଫ ଇନ ପବ୍ଲିକ ଡୋମେନ, ନେସନ ରେମର୍ସ, ୱାଲର୍‌ଡ ଲିଡର୍ସ କଣ୍ଡୋଲ ଏବଂ ଶେଷ ବିଭାଗ ସେଲିବ୍ରେଟିଂ ମଦରହୁଡ ନାମରେ ନାମିତ କରାଯାଇଛି। ପ୍ରଥମ ବିଭାଗରେ, ହିରବାଙ୍କ ସାଧାରଣ ଜୀବନ ସହିତ ଜଡିତ ଫଟୋ-ଭିଡିଓଗୁଡିକ ରଖାଯାଇଛି। ଦ୍ୱିତୀୟଟି ଟେଲିଭିଜନ କଭରେଜ, ପ୍ରିଣ୍ଟ ଏବଂ ଡିଜିଟାଲ କଭରେଜ ଏବଂ ହିରବାଙ୍କ ମୃତ୍ୟୁର ସମବେଦନା ବାର୍ତ୍ତା ଅନ୍ତର୍ଭୁକ୍ତ ଅଛି। ଶେଷ ବିଭାଗ ସେଲିବ୍ରେଟିଂ ମଦରହୁଡରେ ବ୍ୟକ୍ତିଗତ ଇ-କାର୍ଡ ସୃଷ୍ଟି ଏବଂ ପଠାଇବା ପାଇଁ ଉତ୍ସର୍ଗୀକୃତ। ଏଥିରେ ପିଏମ ମୋଦି ଏବଂ ତାଙ୍କ ମାଙ୍କର ଚାରୋଟି ଟେମ୍ପଲେଟ ଅଛି। ଲୋକମାନେ ଏହି ଚିତ୍ରଗୁଡ଼ିକ ମଧ୍ୟରୁ ଗୋଟିଏ ବାଛିପାରିବେ ଏବଂ ନିଜର ବାର୍ତ୍ତା ଲେଖି ଏହାକୁ ଶେୟାର କରିପାରିବେ।

Share